25 OCTOBER 2026

Welcome!

Unlock your personalized experience.
Sign Up

Poison is floating in the Mahanadi: ମହାନଦୀରେ ଭାସୁଛି ବିଷ: କାଳ ହେଲାଣି ଛତିଶଗଡ଼ ଶିଳ୍ପସଂସ୍ଥାର ବର୍ଜ୍ୟ

Oct 25, 2026 - 03:13
Poison is floating in the Mahanadi: ମହାନଦୀରେ ଭାସୁଛି ବିଷ: କାଳ ହେଲାଣି ଛତିଶଗଡ଼ ଶିଳ୍ପସଂସ୍ଥାର ବର୍ଜ୍ୟ

ଝାରସୁଗୁଡ଼ା: ନଦୀ ଜଳରେ ଭାସୁଛି କଳା ବିଷାକ୍ତ ଆସ୍ତରଣ। କୂଳରେ ଜମା ହେଉଛି ଗ୍ରିସ୍‌ ପରି ତେଲିଆ ଫେଣ, ଚାରିଆଡ଼େ ଖେଳିଯାଉଛି ଦୁର୍ଗନ୍ଧ। ଯେଉଁ ମହାନଦୀ ଓ ହୀରାକୁଦ ଜଳଭଣ୍ଡାର ଲକ୍ଷଲକ୍ଷ ଲୋକଙ୍କ ଜୀବନଜୀବିକା ଓ ଜଳ ଆବଶ୍ୟକତାର ଆଧାର, ସେହି ଜଳର ଦୂଷିତ ରୂପ ଏବେ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି। ଛତିଶଗଡ଼ର ବିଭିନ୍ନ ଶିଳ୍ପାନୁଷ୍ଠାନ ମହାନଦୀରୁ ବିପୁଳ ପରିମାଣର ଜଳ ଉଠାଇବା ସହ ନିଜ କାରଖାନାର ବର୍ଜ୍ୟଜଳକୁ ପୁଣି ନଦୀ ଓ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ୁଥିବାରୁ ନଦୀଜଳର ଗୁଣବତ୍ତା ଗୁରୁତର ଭାବେ ପ୍ରଭାବିତ ହେଉଛି। ଓଡ଼ିଶା ସୀମାନ୍ତ ରାୟଗଡ଼ ଜିଲ୍ଲାରେ ଥିବା ଏନ୍‌ଟିପିସି ସମେତ ୬୦ରୁ ଅଧିକ ଇସ୍ପାତ, ସ୍ପଞ୍ଜ ଆଇରନ୍‌ ଓ ତାପଜ ପ୍ରକଳ୍ପରୁ ନିର୍ଗତ ବର୍ଜ୍ୟଜଳ ବିନା ବିଶୋଧନରେ ହୀରାକୁଦ ଜଳଭଣ୍ଡାରକୁ ଛଡ଼ାଯାଉଥିବା ନେଇ ବହୁବର୍ଷରୁ ଅଭିଯୋଗ ହୋଇଆସୁଛି। ଛତିଶଗଡ଼ର ପ୍ରାୟ ୨୭ଟି ଗାଁ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାର ପରିବ୍ୟାପ୍ତ ହୋଇଥିବାରୁ ଏହି ପ୍ରଦୂଷଣ ସମସ୍ୟା ଉଭୟ ରାଜ୍ୟର ସୀମାନ୍ତ ଅଞ୍ଚଳକୁ ପ୍ରଭାବିତ କରୁଛି।

Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ

କାଳ ହେଲାଣି ଛତିଶଗଡ଼ ଶିଳ୍ପସଂସ୍ଥାର ବର୍ଜ୍ୟ
ନଦୀକୂଳରେ ଜମୁଛି କଳା ଗ୍ରିସ୍ ପରି ଆସ୍ତରଣ
ପାନୀୟ ଜଳର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ରାୟଗଡ଼ ସହର ଦେଇ ପ୍ରବାହିତ ବଡ଼କେଲୋ ଓ ସାନକେଲୋ ନଦୀ ମାଧ୍ୟମରେ ସେଠାକାର ଶିଳ୍ପସଂସ୍ଥାଗୁଡ଼ିକର ଦୂଷିତ ଜଳ ସିଧାସଳଖ ହୀରାକୁଦ ଜଳଭଣ୍ଡାରରେ ମିଶୁଛି। ଏହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ପ୍ରତିବାଦ କରୁଥିଲେ ମଧ୍ୟ ସ୍ଥିତିରେ ଆଶାନୁରୂପ ସୁଧାର ଆସୁନାହିଁ। ବିଶେଷକରି ରାୟଗଡ଼ ଜିଲ୍ଲାର ଜାମଗାଁ ଓ କତରଲିଆରେ ଥିବା ପାୱାର ଏବଂ ସ୍ପଞ୍ଜ ଆଇରନ୍‌ କାରଖାନାଗୁଡ଼ିକ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାତି ସମୟରେ କାରଖାନାର ବର୍ଜ୍ୟଜଳକୁ ବିଶୋଧନ ନ କରି ମହାନଦୀ ସହ ସଂଯୁକ୍ତ ବିଭିନ୍ନ ନାଳରେ ଛାଡ଼ି ଦିଆଯାଉଛି। ଏହା ଦ୍ବାରା ଜଳଭଣ୍ଡାରର ପାଣି ପ୍ରଦୂଷିତ ହେବା ସହ ବିଭିନ୍ନ ସମୟରେ ମାଛ ମରି ଭାସୁଥିବା ଦେଖାଯାଉଛି। ପ୍ରଦୂଷଣ ଯୋଗୁଁ ଜଳଜୀବଙ୍କ ଅସ୍ତିତ୍ୱ ଓ ମତ୍ସ୍ୟସମ୍ପଦ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। 

Drought: ବଦଳିଲାନି ବ୍ୟବସ୍ଥା; ନିଅଣ୍ଟିଆ ବର୍ଷା ଓ ଟାଣ ଖରାରେ ମଉଳୁଛି ଧାନଗଛ, ଚିନ୍ତାରେ ଚାଷୀ

ବର୍ତ୍ତମାନ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ ଅନ୍ତର୍ଗତ ସୀମାନ୍ତ କୁସମେଲଠାରୁ ପୂଝାରୀପାଲି, ପଲସଦା ଓ ସାହାସବଗା ପର୍ଯ୍ୟନ୍ତ ଜଳଭଣ୍ଡାରର ବିଭିନ୍ନ କୂଳରେ କଳାରଙ୍ଗର ତେଲିଆ ଫେଣ ଜମା ହେଉଛି। ଏଥିରୁ ଦୁର୍ଗନ୍ଧ ବାହାରୁଥିବାରୁ ନଦୀକୂଳିଆ ଗ୍ରାମବାସୀ ଏହି ପାଣିକୁ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିବାକୁ ମଧ୍ୟ ଭୟ କରୁଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ପୂଝାରୀପାଲି ଓ କୁସମେଲଠାରେ ଯେଉଁ ସ୍ଥାନରେ ତେଲିଆ ଫେଣ ଭାସୁଛି, ସେହି ନିକଟରେ ଦୁଇଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପର ଇନ୍‌ଟେକ୍‌ ୱେଲ୍‌ ରହିଛି। ଏହି ପ୍ରକଳ୍ପ ମାଧ୍ୟମରେ ଲଖନପୁର ବ୍ଲକ୍‌ର ୧୬ଟି ପଞ୍ଚାୟତ ସହ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଅଞ୍ଚଳକୁ ପାନୀୟ ଜଳଯୋଗାଣ କରାଯାଉଛି। ଏଭଳି ସ୍ଥିତିରେ ଜଳଭଣ୍ଡାର ପାଣିର ଗୁଣବତ୍ତା ଯାଞ୍ଚ ଓ ଲୋକଙ୍କ ପାଇଁ ନିରାପଦ ପାନୀୟ ଜଳଯୋଗାଣ ସୁନିଶ୍ଚିତ କରିବା ଜରୁରି ହୋଇପଡ଼ିଛି। ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ନ ଉଠାଇବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।