Police Uncover Alleged Murder Plot: ବିଜେପି ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ, ପତ୍ନୀଙ୍କ ସମେତ ୬ ଗିରଫ

Oct 02, 2026 - 16:47
Police Uncover Alleged Murder Plot: ବିଜେପି ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ, ପତ୍ନୀଙ୍କ ସମେତ ୬ ଗିରଫ

ବାଇକ୍‌ରେ ନିଆଁ ଲଗାଇବା ଘଟଣାର ତଦନ୍ତ କରୁ କରୁ ଏକ ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଆନ୍ଧ୍ରପ୍ରଦେଶ ପୁଲିସ। ଏହି ମାମଲାରେ ସ୍ଥାନୀୟ ବିଜେପି ନେତାଙ୍କ ପତ୍ନୀଙ୍କ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଛି। ପରେ ସମସ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି।

ପୁଲିସ ସୂଚନା ଅନୁସାରେ, ସେପ୍ଟେମ୍ବର ୧୩ ତାରିଖ ରାତିରେ ବିଜେପି ମଣ୍ଡଳ ସଭାପତି ମୁନିରାଜୁଙ୍କ ମୋଟରସାଇକେଲ୍‌ରେ ନିଆଁ ଲଗାଇ ଦିଆଯାଇଥିଲା। ଏନେଇ ମୁନିରାଜୁ ପୁଲିସରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। 

ପ୍ରାଥମିକ ଭାବେ ଏହି ଘଟଣା ପଛରେ ସ୍ଥାନୀୟ ରାଜନୈତିକ ବିବାଦ ରହିଛି କି ନାହିଁ, ତାହା ନେଇ ପୁଲିସ ତଦନ୍ତ କରିଥିଲା। ଗଣେଶ ଚତୁର୍ଥୀ ଅବସରରେ ଫ୍ଲେକ୍ସ ଲଗାଇବାକୁ ନେଇ ହୋଇଥିବା ବିବାଦକୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଇଥିଲା। ତେବେ ଏହି ଦିଗରେ ତତ୍କାଳ କୌଣସି ଠୋସ୍ ପ୍ରମାଣ ମିଳିନଥିବା ପୁଲିସ କହିଛି।

ଏହାପରେ CCTV ଫୁଟେଜ୍ ଏବଂ ବିଭିନ୍ନ ବୈଷୟିକ ପ୍ରମାଣକୁ ଯାଞ୍ଚ କରି ପୁଲିସ ସାଇ, ଉଦୟ କିରଣ, ଲୀଲା କୃଷ୍ଣ, ପୃଥ୍ୱୀରାଜ ଓ ହରିଶ ନାମକ ୫ ଜଣଙ୍କୁ ଚିହ୍ନଟ କରିଥିଲା। ଜେରା ବେଳେ ସେମାନେ ମୁନିରାଜୁଙ୍କ ବାଇକ୍‌ରେ ନିଆଁ ଲଗାଇଥିବା ସ୍ୱୀକାର କରିଥିବା ପୁଲିସ କହିଛି।

ତେବେ ତଦନ୍ତ ଆଗକୁ ବଢ଼ିବା ପରେ ମାମଲା ନୂଆ ମୋଡ଼ ନେଇଥିଲା। ପୁଲିସ ତଦନ୍ତରେ ମୁନିରାଜୁଙ୍କ ପତ୍ନୀ ପ୍ରଶାନ୍ତିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ପୁଲିସର ଦାବି ଅନୁସାରେ, ପ୍ରଶାନ୍ତି ଅଭିଯୁକ୍ତ ସାଇଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ ଏବଂ ସ୍ୱାମୀଙ୍କ ସମ୍ପର୍କିତ କିଛି ବ୍ୟକ୍ତିଗତ ତଥ୍ୟ ତାଙ୍କ ସହ ଶେୟାର କରିଥିଲେ।

ପୁଲିସ ଆହୁରି ଦାବି କରିଛି ଯେ, ପ୍ରଶାନ୍ତି ଓ ଅନ୍ୟ ଅଭିଯୁକ୍ତମାନେ ମୁନିରାଜୁଙ୍କ ଉପରେ ଆକ୍ରମଣ ନେଇ ଏକାଧିକ ଥର ଆଲୋଚନା କରିଥିଲେ। ତେବେ ହତ୍ୟା ଯୋଜନାକୁ କାର୍ଯ୍ୟକାରୀ କରାଯାଇନଥିବା ବେଳେ ବାଇକ୍ ଜାଳିବା ଘଟଣାକୁ ଏହି ବ୍ୟାପକ ଷଡ଼ଯନ୍ତ୍ରର ଅଂଶ ଭାବେ ପୁଲିସ ତଦନ୍ତ କରୁଛି।

ଏହି ମାମଲାରେ ପ୍ରଶାନ୍ତି, ସାଇ, ଉଦୟ କିରଣ, ଲୀଲା କୃଷ୍ଣ, ପୃଥ୍ୱୀରାଜ ଓ ହରିଶଙ୍କୁ ପୁଲିସ ଗିରଫ କରିଛି। ସମସ୍ତ ୬ ଜଣଙ୍କୁ କୋର୍ଟରେ ହାଜର କରାଯିବା ପରେ ନ୍ୟାୟିକ ହେପାଜତକୁ ପଠାଯାଇଛି। ମାମଲାରେ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।