Political Twist in Kotia Row: କୋଟିଆ ବିବାଦରେ ନବୀନଙ୍କୁ ମୋହନଙ୍କ ଚିଠି, କହିଲେ- ‘ଗଠନମୂଳକ ପରାମର୍ଶ ଦିଅନ୍ତୁ’
କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଚର୍ଚ୍ଚା ଜୋର ଧରିଛି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କୋଟିଆର ସମାଧାନ ପାଇଁ ଯଦି ନବୀନଙ୍କ ପାଖରେ କୌଣସି ଗଠନମୂଳକ ପରାମର୍ଶ ଅଛି, ତେବେ ତାହା ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ଏଥିସହ ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତା ରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେବା ପରଠାରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି।
ରାଜ୍ୟର ଆଞ୍ଚଳିକ ଅଖଣ୍ଡତା ଏବଂ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ଦୃଢ଼ ପ୍ରତିବଦ୍ଧ।
Advertisment ତେବେ ନବୀନଙ୍କ ଚିଠିର ବିଷୟବସ୍ତୁ ଏହି ସମ୍ବେଦନଶୀଳ ପ୍ରସଙ୍ଗର ଗଠନମୂଳକ ଓ ଆଇନଗତ ସମାଧାନ ଅପେକ୍ଷା ରାଜନୈତିକ ଦୃଷ୍ଟିକୋଣକୁ ଅଧିକ ଗୁରୁତ୍ୱ ଦେଉଥିବା ପରି ମନେ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ମତ ରଖିଛନ୍ତି।
କୋଟିଆର ବିକାଶ ପାଇଁ ସରକାରଙ୍କ ଯୋଜନା କୋଟିଆ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳର ବିକାଶକୁ ସରକାର ପ୍ରାଥମିକତା ଦେଉଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।
ସ୍ଥାନୀୟ ଲୋକଙ୍କୁ ଉନ୍ନତ ସରକାରୀ ସେବା ଯୋଗାଇବା, ସମନ୍ୱିତ ବିକାଶ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
Advertisment ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।
ଏହି କମିଟି କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳର ସମନ୍ୱିତ ବିକାଶ ଉପରେ ନଜର ରଖୁଛି।
ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଞ୍ଚଳକୁ ଗସ୍ତ କରି ବିକାଶମୂଳକ ଆବଶ୍ୟକତାର ସମୀକ୍ଷା କରିଛନ୍ତି।
ଆଇନଗତ ଲଢ଼େଇ ଉପରେ ଗୁରୁତ୍ୱ କୋଟିଆ ବିବାଦ ଏକ ଦୀର୍ଘକାଳୀନ ଆନ୍ତଃରାଜ୍ୟ ପ୍ରସଙ୍ଗ ହୋଇଥିବାରୁ ଏହାର ସମାଧାନ ପାଇଁ ସମସ୍ତ ପକ୍ଷ ସଂଯମ ଓ ଦାୟିତ୍ୱର ସହ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟ ସରକାର ଆଇନଗତ ଏବଂ ସାମ୍ବିଧାନିକ ବାଟରେ ଓଡ଼ିଶାର ଆଞ୍ଚଳିକ ସ୍ୱାର୍ଥକୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି।
ଏଥିସହ କୋଟିଆ ଲୋକଙ୍କ ବିକାଶ ଓ ଉନ୍ନତ ଜୀବନଧାରଣ ଉପରେ ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି।
ଚିଠିର ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦୀର୍ଘକାଳୀନ ସମସ୍ୟାର ସମାଧାନ ପାଇଁ ନବୀନ ପଟ୍ଟନାୟକଙ୍କ ପାଖରେ ଯଦି କୌଣସି ଗଠନମୂଳକ ପରାମର୍ଶ ରହିଛି, ତେବେ ସେ ତାହାକୁ ସ୍ୱାଗତ କରିବେ ଏବଂ ଧନ୍ୟବାଦ ଜଣାଇବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।