Prabhas vs Ranbir Kapoor: ବଦଳିଲା ‘ସ୍ପିରିଟ୍’ର ରିଲିଜ୍ ଡେଟ୍; ଦୀପାବଳିରେ ‘ରାମାୟଣ-୨’ ସହ ଲଢ଼ିବେ ପ୍ରଭାସ
ଦୀପାବଳିକୁ ନେଇ ଭାରତୀୟ ସିନେମା ଜଗତରେ ଏବେଠାରୁ ଉତ୍ସାହ ବଢିଲାଣି। ଗୋଟିଏ ପଟେ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସ୍ପିରିଟ୍’, ଅନ୍ୟପଟେ ରଣବୀର କପୁରଙ୍କ ମହାକାବ୍ୟ ଆଧାରିତ ଫିଲ୍ମ ‘ରାମାୟଣ ପାର୍ଟ-୨’। ଦୁଇଟି ବଡ଼ ବଜେଟ୍ର ଫିଲ୍ମ ଗୋଟିଏ ସମୟରେ ରିଲିଜ୍ ହେବାର ସମ୍ଭାବନା ଥିବାରୁ ବକ୍ସ ଅଫିସ୍ରେ ଜୋରଦାର ଟକ୍କର ଦେଖିବାକୁ ମିଳିପାରେ।
ବଦଳିଲା ‘ସ୍ପିରିଟ୍’ର ରିଲିଜ୍ ଡେଟ୍
ପ୍ରଭାସ ଓ ତୃପ୍ତି ଡିମ୍ରିଙ୍କ ଅଭିନୀତ ଫିଲ୍ମ ‘ସ୍ପିରିଟ୍’ର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା। ରବିବାର, ଅକ୍ଟୋବର ୧୮ରେ ସେ ଫିଲ୍ମର ନୂଆ ପୋଷ୍ଟର ସେୟାର କରିବା ସହ ଏହାର ରିଲିଜ୍ ଡେଟ୍ ସ୍ପଷ୍ଟ କରିଛନ୍ତି।
ଘୋଷଣା ଅନୁଯାୟୀ, ‘ସ୍ପିରିଟ୍’ ୨୯ ଅକ୍ଟୋବର ୨୦୨୭ରେ ବିଶ୍ୱବ୍ୟାପୀ ସିନେମା ହଲ୍ରେ ମୁକ୍ତିଲାଭ କରିବ। ପୂର୍ବରୁ ଏହି ଫିଲ୍ମ ୫ ମାର୍ଚ୍ଚ ୨୦୨୭ରେ ରିଲିଜ୍ ହେବାର ଥିଲା। କିନ୍ତୁ ପରେ ଏହାର ରିଲିଜ୍ ତାରିଖ ବଦଳାଇ ଦିଆଯାଇଛି।
ନୂଆ ପୋଷ୍ଟରରେ ପ୍ରଭାସଙ୍କୁ ଏକ ଭିନ୍ନ ଲୁକ୍ରେ ଦେଖିବାକୁ ମିଳିଛି। ଏହି ଘୋଷଣା ପରେ ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢ଼ିଛି।
‘ରାମାୟଣ ପାର୍ଟ-୨’ ସହ ହେବ କଡ଼ା ମୁକାବିଲା!
‘ସ୍ପିରିଟ୍’ର ନୂଆ ରିଲିଜ୍ ଡେଟ୍ ଘୋଷଣା ହେବା ପରେ ଏବେ ଚର୍ଚ୍ଚାରେ ରଣବୀର କପୁରଙ୍କ ‘ରାମାୟଣ ପାର୍ଟ-୨’। ଏହି ଦୁଇଟି ଫିଲ୍ମ ୨୦୨୭ ଦୀପାବଳି ସମୟରେ ପରଦାକୁ ଆସିପାରେ। ତେବେ ‘ରାମାୟଣ ପାର୍ଟ-୨’ର ନିର୍ଦ୍ଦିଷ୍ଟ ରିଲିଜ୍ ତାରିଖ ଏଯାଏଁ ଘୋଷଣା ହୋଇନାହିଁ।
ନମିତ ମଲହୋତ୍ରାଙ୍କ ପ୍ରଯୋଜନାରେ ନିର୍ମିତ ‘ରାମାୟଣ’ର ପ୍ରଥମ ଭାଗ ୫ ନଭେମ୍ବର ୨୦୨୬ରେ ରିଲିଜ୍ ହେବାକୁ ଯାଉଛି। ଏହାର ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ଆସିବାର ଯୋଜନା ରହିଛି। ତେଣୁ ରିଲିଜ୍ ତାରିଖ ମଧ୍ୟରେ ପରିବର୍ତ୍ତନ ନହେଲେ ପ୍ରଭାସ ଓ ରଣବୀରଙ୍କ ଫିଲ୍ମ ମଧ୍ୟରେ ବଡ଼ ବକ୍ସ ଅଫିସ୍ ଲଢ଼େଇ ଦେଖିବାକୁ ମିଳିପାରେ।
‘ସ୍ପିରିଟ୍’ରେ କିଏ କିଏ ଅଛନ୍ତି?
ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ‘ସ୍ପିରିଟ୍’ରେ ପ୍ରଭାସଙ୍କ ସହ ତୃପ୍ତି ଡିମ୍ରି ଓ ବିବେକ ଓବରୟ ପ୍ରମୁଖ ଭୂମିକାରେ ନଜର ଆସିବେ।
ପୂର୍ବରୁ ଏହି ଫିଲ୍ମରେ ପ୍ରଭାସଙ୍କ ସହ ଦୀପିକା ପାଦୁକୋନ୍ ଅଭିନୟ କରିବାର ଥିଲା। କିନ୍ତୁ କିଛି ବିବାଦ ପରେ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତାଙ୍କ ସ୍ଥାନରେ ତୃପ୍ତି ଡିମ୍ରିଙ୍କୁ ନିଆଯାଇଥିଲା।
ଏହି ଫିଲ୍ମଟି ଇଂରାଜୀ, ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼, ମାଲାୟଲମ୍, ମାଣ୍ଡାରିନ୍, ଜାପାନୀ ଓ କୋରିଆନ୍ ସମେତ ୯ଟି ଭାଷାରେ ରିଲିଜ୍ ହେବାକୁ ଯୋଜନା ରହିଛି।
ଟି-ସିରିଜ୍ ଫିଲ୍ମସ୍ ଓ ଭଦ୍ରକାଳୀ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଭୂଷଣ କୁମାର, ପ୍ରଣୟ ରେଡ୍ଡୀ ଭାଙ୍ଗା, କୃଷ୍ଣ କୁମାର ଓ ପ୍ରଭାକର ରେଡ୍ଡୀ ରହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।