Producer GV Narayana Rao Passes Away: ବରିଷ୍ଠ ତେଲୁଗୁ ଅଭିନେତା ଜିଭି ନାରାୟଣ ରାଓଙ୍କ ୭୩ ବର୍ଷରେ ପରଲୋକ, ସିନେମା ଜଗତରେ ଶୋକ

Aug 28, 2026 - 13:54
Producer GV Narayana Rao Passes Away: ବରିଷ୍ଠ ତେଲୁଗୁ ଅଭିନେତା ଜିଭି ନାରାୟଣ ରାଓଙ୍କ ୭୩ ବର୍ଷରେ ପରଲୋକ, ସିନେମା ଜଗତରେ ଶୋକ

ତେଲୁଗୁ ସିନେମା ଜଗତର ବରିଷ୍ଠ ଅଭିନେତା ଓ ପ୍ରଯୋଜକ ଜିଭି ନାରାୟଣ ରାଓଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଛି। ହାଇଦ୍ରାବାଦରେ ବୁଧବାର, ଅଗଷ୍ଟ ୨୬ ତାରିଖ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିନେତ୍ରୀ କରାଟେ କଲ୍ୟାଣୀ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। 

ଚିରଞ୍ଜୀବୀଙ୍କ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି

ଜିଭି ନାରାୟଣ ରାଓଙ୍କ ବିୟୋଗରେ ଅଭିନେତା ଚିରଞ୍ଜୀବୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ନାରାୟଣ ରାଓଙ୍କୁ ନିଜର ଘନିଷ୍ଠ ବନ୍ଧୁ ବୋଲି ସ୍ମରଣ କରିବା ସହ ଦୀର୍ଘଦିନର ସମ୍ପର୍କ ଏବଂ ସାଙ୍ଗରେ କାଟିଥିବା ଅନେକ ସ୍ମୃତିକୁ ମନେ ପକାଇଛନ୍ତି। ଚିରଞ୍ଜୀବୀଙ୍କ କହିବା ଅନୁସାରେ, ନାରାୟଣ ରାଓଙ୍କ ସହ ତାଙ୍କର ସମ୍ପର୍କ କେବଳ ସିନେମା ମଧ୍ୟରେ ସୀମିତ ନଥିଲା। 

୧୯୭୬ରୁ ଆରମ୍ଭ ହୋଇଥିଲା ଅଭିନୟ ଯାତ୍ରା

ଜିଭି ନାରାୟଣ ରାଓ ୧୯୭୬ରେ ପ୍ରଖ୍ୟାତ ନିର୍ଦ୍ଦେଶକ କେ. ବାଲଚନ୍ଦରଙ୍କ ଫିଲ୍ମ ‘ଅନ୍ତୁଲେନି କଥା’ ଜରିଆରେ ତେଲୁଗୁ ସିନେମାରେ ପାଦ ରଖିଥିଲେ। ପ୍ରାୟ ପାଞ୍ଚ ଦଶନ୍ଧିର କ୍ୟାରିୟରରେ ସେ ପ୍ରାୟ ୧୦୦ଟି ଫିଲ୍ମରେ ଅଭିନୟ କରିଥିଲେ।  ‘ଚିଲକମ୍ମା ଚେପ୍ପିଣ୍ଡି’, ‘ମୁଥ୍ୟାଲା ପଲ୍ଲାକି’, ‘ଗ୍ୟାଙ୍ଗ୍ ଲିଡର’ ଓ ‘ହିଟଲର’ ଭଳି ଚର୍ଚ୍ଚିତ ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଚିରଞ୍ଜୀବୀ ଓ ରଜନୀକାନ୍ତଙ୍କ ଭଳି ଦକ୍ଷିଣ ଭାରତୀୟ ସିନେମାର ବଡ଼ ତାରକାଙ୍କ ସହ ସେ ଏକାଧିକ ଫିଲ୍ମରେ କାମ କରିଥିଲେ। 

ଟେଲିଭିଜନରେ ମଧ୍ୟ ଥିଲା ଦମଦାର ପରିଚୟ

ବଡ଼ ପରଦା ସହ ଛୋଟ ପରଦାରେ ମଧ୍ୟ ଜିଭି ନାରାୟଣ ରାଓ ନିଜର ଛାପ ଛାଡ଼ିଥିଲେ। ‘ପାସୁପୁ କୁମକୁମା’ ଏବଂ ‘ସୁନ୍ଦରକାଣ୍ଡ’ ଭଳି ଲୋକପ୍ରିୟ ଟିଭି ସିରିଏଲରେ ସେ ଅଭିନୟ କରିଥିଲେ। ଏହା ତାଙ୍କୁ ତେଲୁଗୁ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ମଧ୍ୟ ପରିଚିତ କରାଇଥିଲା। 

ଅଭିନୟ ପରେ ପ୍ରଯୋଜନାରେ ମଧ୍ୟ ସଫଳତା

ଜିଭି ନାରାୟଣ ରାଓ କେବଳ ଅଭିନେତା ନଥିଲେ। ପରବର୍ତ୍ତୀ ସମୟରେ ସେ ଫିଲ୍ମ ପ୍ରଯୋଜନା କ୍ଷେତ୍ରକୁ ମଧ୍ୟ ପ୍ରବେଶ କରିଥିଲେ। ‘ଦେବାନ୍ଥକୁଡୁ’, ‘ୟମୁଡିକି ମୋଗୁଡୁ’ ଏବଂ ‘ଚେଟ୍ଟାନିକି କାଲ୍ଲୁ ଲେଭୁ’ ଭଳି ଫିଲ୍ମର ପ୍ରଯୋଜନା ସହ ତାଙ୍କ ନାମ ଜଡ଼ିତ ଥିଲା।  ରଜନୀକାନ୍ତଙ୍କ ସହ ମଧ୍ୟ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା। ମାଡ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟ୍ରେ ଉଭୟେ ଏକାଠି ପ୍ରଶିକ୍ଷଣ ନେଇଥିଲେ ବୋଲି ଜଣାଯାଏ। 

ଆଜି ହେବ ଅନ୍ତିମ ସଂସ୍କାର

ଜିଭି ନାରାୟଣ ରାଓଙ୍କ ଅନ୍ତିମ ସଂସ୍କାର ଅଗଷ୍ଟ ୨୮ରେ ହାଇଦ୍ରାବାଦର ବୈକୁଣ୍ଠ ମହାପ୍ରସ୍ଥାନମ୍ ଶ୍ମଶାନରେ କରାଯିବ ବୋଲି ଜଣାପଡ଼ିଛି। ତାଙ୍କ ବିୟୋଗରେ ଦକ୍ଷିଣ ଭାରତୀୟ ସିନେମା ଜଗତ ଜଣେ ଅଭିଜ୍ଞ କଳାକାର ଓ ପ୍ରଯୋଜକଙ୍କୁ ହରାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।