Protest: ସର୍ତ୍ତମୂଳକ ଜାମିନରେ ମୁକୁଳିଲେ ଦୀପକେ, ପୁଣି ସ୍ୱାକ୍ଷର କଲେ ଶାନ୍ତି ବଣ୍ଡ
"ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ ବିବାଦକୁ ନେଇ ଦିଲ୍ଲୀରେ ଉତ୍ତେଜନା ଲାଗି ରହିଥିବା ବେଳେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆଜି ସର୍ତ୍ତମୂଳକ ଜାମିନରେ ମୁକ୍ତ ହୋଇଛନ୍ତି।
ପୂର୍ବରୁ ସେ ପୁଲିସ ସହ କରିଥିବା ଶାନ୍ତି ବଣ୍ଡ୍ର ସର୍ତ୍ତ ଉଲ୍ଲେଖନ କରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଶନିବାର ସକାଳେ ତାଙ୍କୁ ଗିରଫ କରିଥିଲା।
ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୧୨୬ ଏବଂ ୧୭୦ ଅନୁଯାୟୀ ଶାନ୍ତି ଭଙ୍ଗ ଆଶଙ୍କାରେ ତାଙ୍କୁ ବିଶେଷ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ (ଏସ୍ଇଏମ୍) ଅଦାଲତରେ ହାଜର କରାଯାଇଥିଲା।
ଅଦାଲତରେ ଆଜି ଆଉ ଏକ ଶାନ୍ତି ବଣ୍ଡ ସ୍ୱାକ୍ଷର କରିବା ପରେ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି।Advertisment ସିଜେପିର ଆଇନ ବ୍ୟାପାର ମୁଖ୍ୟ ରତ୍ନା ସିଂହ ଦୀପକେଙ୍କ ଏହି ଗିରଫଦାରୀକୁ ବେଆଇନ ଦର୍ଶାଇ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ।
ସେ କହିଥିଲେ ଯେ ନାଗରିକମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଜାତୀୟ ପତାକା ଉଡ଼ାଇବା ପାଇଁ ଅନୁରୋଧ କରିବା କୌଣସି ଅପରାଧ ନୁହେଁ।
ସୂଚନାଯୋଗ୍ୟ, ଶୁକ୍ରବାର କନଟ୍ ପ୍ଲେସର ସେଣ୍ଟ୍ରାଲ ପାର୍କଠାରେ ଆୟୋଜିତ "ଲହରା ଦୋ ତ୍ରିରଙ୍ଗା" ପ୍ରତିବାଦ ସଭାରେ ନେତୃତ୍ୱ ଦେବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖିଥିଲା।
ସେହି ସମୟରେ କେନ୍ଦ୍ରୀୟ ଦିଲ୍ଲୀରେ ବିଏନ୍ଏସ୍ଏସ୍ର ଧାରା ୧୬୩ ଅନୁଯାୟୀ କଟକଣା ଜାରି କରାଯାଇଥିଲା।
ପୂର୍ବରୁ ଏହି ପ୍ରସଙ୍ଗରେ ସିଜେପି ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ଯନ୍ତର ମନ୍ତରରେ ବେଆଇନ ପ୍ରବେଶ କରିବାକୁ ଚେଷ୍ଟା କରି ଗିରଫ ହୋଇ ଏବେ ଜେଲ୍ରେ ଅଛନ୍ତି।
Neha Bora: ସିଜେପି ପ୍ରତିଷ୍ଠାତା ଦୀପକେଙ୍କ ପରେ ନେହା ବୋରାଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ ମଣ୍ଡି ହାଉସ୍ ନିକଟରୁ ଅଟକ ଅନ୍ୟପକ୍ଷରେ, ଏହି ପ୍ରତିବାଦ ଶୋଭାଯାତ୍ରା ସମୟରେ ମଣ୍ଡି ହାଉସ୍ ନିକଟରୁ ଅଟକ ହୋଇଥିବା ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ (ଆଇସା)ର ଜାତୀୟ ସଭାପତି ନେହା ବୋରା ମଧ୍ୟ ଆଜି ଭୋର ସମୟରେ ମୁକ୍ତ ହୋଇଛନ୍ତି।
ଦିଲ୍ଲୀ ପୁଲିସ ଆକ୍ଟର ଧାରା ୬୫ ଅନୁଯାୟୀ ଆନୁଷ୍ଠାନିକ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କୁ ଖଲାସ କରାଯାଇଛି।
ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ପାଇଁ ବାଂଲାଦେଶ ଛାତ୍ର ଆନ୍ଦୋଳନରୁ ପ୍ରେରଣା ମିଳିଛି ବୋଲି କହି ବଡ଼ ଧରଣର ବିବାଦ ସୃଷ୍ଟି କରିଥିବା ନେହା ଜେଲରୁ ମୁକୁଳିବା ପରେ କେନ୍ଦ୍ରର ବିଜେପି ସରକାର ଓ ପୁଲିସ ପ୍ରଶାସନକୁ ତୀବ୍ର ସମାଲୋଚନା କରିଛନ୍ତି।
ସେ ଦାବି କରିଛନ୍ତି ଯେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ତୁରନ୍ତ ବାଦ୍ ଦିଆଯାଉ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ନିଜ ପଦରୁ ଇସ୍ତଫା ଦିଅନ୍ତୁ।
ଗଣତାନ୍ତ୍ରିକ ପ୍ରତିବାଦକୁ ପୁଲିସ ବେଆଇନ ଭାବେ ଦମନ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି।
୧୫୦ ଜଣ ବିକ୍ଷୋଭକାରୀ ଅଟକସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଯାତାୟାତ ସ୍ୱାଭାବିକ କରିବା ପାଇଁ ପ୍ରାୟ ୧୫୦ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିବା ସହ ଅନେକ ଏଫ୍ଆଇଆର୍ ରଜୁ କରିଛି।
କନଟ୍ ପ୍ଲେସର ସେଣ୍ଟ୍ରାଲ ପାର୍କ ଚତୁର୍ଦ୍ଦିଗକୁ ସୁରକ୍ଷା ବାହିନୀ ସିଲ୍ କରିବା ସହ ସେଠାରେ ବ୍ୟାପକ ଭାବେ ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ୍) ମୁତୟନ କରାଯାଇଛି।
ଏସ୍ଆଇଆର୍ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟ ଏବଂ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ ରାଜଧାନୀରେ ପ୍ରଶାସନିକ ସତର୍କତା ବଢ଼ାଇ ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।