Proud Moment for India: ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ: ଏସୀୟ କ୍ରୀଡ଼ାରେ ବିଥ୍ୟାଙ୍କ ପଦକ ବର୍ଷା, ଭାଙ୍ଗିଲେ ରେକର୍ଡ

Sep 30, 2026 - 11:21
Proud Moment for India: ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ: ଏସୀୟ କ୍ରୀଡ଼ାରେ ବିଥ୍ୟାଙ୍କ ପଦକ ବର୍ଷା, ଭାଙ୍ଗିଲେ ରେକର୍ଡ

ସଂଘର୍ଷରୁ ସଫଳତା, ଆଉ ଟ୍ରାକ୍ ରୁ ପୋଡିୟମ୍। ଟ୍ରକ୍ ଡ୍ରାଇଭରଙ୍କ ଝିଅ ମୁଣ୍ଡରେ ସୁନା ମୁକୁଟ। ଗର୍ବ ଆଣିଲେ ଭାରତୀୟ ଆଥଲେଟ୍ ବିଥ୍ୟା ରାମରାଜ। ଏସୀୟ କ୍ରୀଡ଼ାରେ ଦମଦାର ପ୍ରଦର୍ଶନ କରି ବିଥ୍ୟା ରାମରାଜ ଜିତିଛନ୍ତି ତିନିଟି ପଦକ। ଭାଙ୍ଗିଲେ ଦୌଡ଼ରାଣୀ ପିଟି ଉଷାଙ୍କ ରେକର୍ଡ।

ମହିଳା ୪୦୦ ମିଟର ହର୍ଡଲ୍ସ ଦୌଡ଼କୁ ମାତ୍ର ୫୪.୭୫ ସେକେଣ୍ଡରେ ପୂରଣ କରି ବ୍ରୋଞ୍ଜ ପଦକ ଜିତିବା ସହ କିମ୍ବଦନ୍ତୀ ଆଥଲେଟ୍ ପି.ଟି. ଉଷାଙ୍କ ୪୨ ବର୍ଷର ରେକର୍ଡକୁ ଭାଙ୍ଗିଛନ୍ତି। ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ଉଷା ୫୫.୪୨ ସେକେଣ୍ଡରେ ୪୦୦ ମିଟର୍ ଅତିକ୍ରମ କରି ରେକର୍ଡ କରିଥିଲେ। 

ବିଥ୍ୟା ପ୍ରଥମ ଭାରତୀୟ ମହିଳା ଭାବେ ୪୦୦ ମିଟର ହର୍ଡଲ୍ସକୁ ୫୫ ସେକେଣ୍ଡରୁ କମ୍ ସମୟରେ ଶେଷ କରିବାର ଗୌରବ ଅର୍ଜନ କରିଛନ୍ତି। ସେହିଭଳି ରିଲେରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ଚମକ ମଧ୍ୟ ଦେଖିବାକୁ ମିଳିଛି । ୪୦୦ ମିଟର ରିଲେ ଦଳଗତ ପ୍ରତିଯୋଗିତାରେ ବିଥ୍ୟା ଆଙ୍କର ବା ଶେଷ ରନର୍ ଭାବେ ଚମତ୍କାର ଦୌଡ଼ ପ୍ରଦର୍ଶନ କରିଥିଲେ। 

କିରଣ ପାହଲ, ଏମ. ଆର. ପୁଭାମ୍ମା ଏବଂ ପ୍ରାଚୀଙ୍କ ସହ ମିଶି ଭାରତୀୟ ଦଳ ଶୀର୍ଷ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଥିଲା। ବିଥ୍ୟା ଶେଷ ମୁହୂର୍ତ୍ତରେ ବାହାରିନର ଅଲିମ୍ପିକ ପଦକ ବିଜେତା ସାଲୱା ଇଦ୍ ନାସେରଙ୍କୁ ପଛରେ ପକାଇ ଦେଶକୁ ଜିତାଇଥିଲେ। ଏହା ପୂର୍ବରୁ ରୌପ୍ୟ ପଦକ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

ଅଭାବ ଅନାଟନ ଭିତରେ ବଢ଼ିଥିବା ବିଥ୍ୟା ନିଜର କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ବଳରେ ଅନ୍ତର୍ଜାତୀୟ ମଞ୍ଚରେ ନିଜ ପରିଚୟ ତିଆରି କରିଛନ୍ତି। ବିଥ୍ୟାଙ୍କ ଏହି ସଫଳତା ପଛରେ ରହିଛି ବର୍ଷ ବର୍ଷର ପରିଶ୍ରମ, ସଂଘର୍ଷ ଓ ଲକ୍ଷ୍ୟ ପ୍ରତି ନିଷ୍ଠା।  ବାପା ଟ୍ରକ୍ ଚଲାନ୍ତି, ଝିଅ ଟ୍ରାକ୍ ରେ ଦୌଡ଼ନ୍ତି । ଆଉ ସେହି ଦୌଡ଼ ଆଜି ଦେଶକୁ ଦେଇଛି ଗର୍ବର ମୁହୂର୍ତ୍ତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।