Public Awareness: ଗଣ ଚେତନା: ନେପାଳରୁ ସତର୍କ ସଙ୍କେତ

Sep 26, 2026 - 14:45
Public Awareness: ଗଣ ଚେତନା: ନେପାଳରୁ ସତର୍କ ସଙ୍କେତ

"ସୁଦର୍ଶନ ଦାସ  ହିମାଳୟ କାନ୍ଦିଲେ ତାହାର ଲୁହ କେବଳ ନେପାଳର ଉପତ୍ୟକାରେ ପଡ଼େ ନାହିଁ।

ତାହାର ପ୍ରତିଧ୍ୱନି ଭାରତର ନଦୀ, ପାହାଡ଼ ଓ ଉପତ୍ୟକାରେ ମଧ୍ୟ ଶୁଣାଯାଏ।

ନେପାଳରେ ଅଗଷ୍ଟ ୨୬ ତାରିଖରେ ଘଟିଥିବା ଭୟାବହ ବନ୍ୟା ଓ ହିମ ସ୍ଖଳନ ଆଜି ସେହି ପ୍ରତିଧ୍ୱନିକୁ ଆହୁରି ତୀବ୍ର କରିଦେଇଛି।

ଏହା ଆମ ବିକାଶର ଧାରଣା, ଜଳବାୟୁ ପରିବର୍ତ୍ତନ ଓ ପ୍ରକୃତି ପ୍ରତି ଆମର ଅବିବେକୀ ଆଚରଣ ସାମ୍ନାରେ ଏକ ଭୟଙ୍କର ପ୍ରଶ୍ନ ଛିଡ଼ା କରାଇଛି।Advertisment Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା ଅଗଷ୍ଟ ୨୬ ତାରିଖ ସକାଳେ ଚୀନ ସୀମା ନିକଟସ୍ଥ ନେପାଳର ରାସୁୱା ଅଞ୍ଚଳରେ ହିମାଳୟର ପ୍ରାୟ ୫,୨୦୦ ମିଟର ଉଚ୍ଚତାରୁ ବରଫ, ପଥର ଓ ମାଟିର ବିଶାଳ ଅଂଶ ତଳକୁ ଖସି ଲେଂଦେ ଖୋଲା ନଦୀରେ ପଡ଼ିଲା।

ଏହା ପରେ ଭୋଟେକୋଶୀ ନଦୀଦେଇ ତ୍ରିଶୂଳି ନଦୀରେ ଭୟଙ୍କର ଜଳ ଓ ପଥରର ପ୍ରବାହ ସୃଷ୍ଟି କରି ପ୍ରାୟ ଶହେ କିଲୋମିଟର ତଳକୁ ଧ୍ୱଂସର ତାଣ୍ଡବ ରଚିଲା।

ରାସ୍ତା, ପୋଲ, ଘର, ବିଦ୍ୟୁତ୍‌ ବ୍ୟବସ୍ଥା ଓ ଜଳବିଦ୍ୟୁତ୍‌ ପ୍ରକଳ୍ପ ମାଟିରେ ମିଶିଗଲା।

ଗାଡ଼ିମୋଟର, ଘରଦ୍ୱାର, ପ୍ରକାଣ୍ଡ ଗଛସବୁ ସୁଅ ମୁହଁରେ କୁଟା ପରି ଭାସିଗଲା।

ନେପାଳର ସରକାରୀ ତଥ୍ୟ ଅନୁଯାୟୀ ୧,୪୫୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଘୋଷଣା ହୋଇଛି ଏବଂ ୪,୭୦୦ ଜଣ ନିଖୋଜ ଅଛନ୍ତି।

ଚୀନର ତିବ୍ବତ ଅଞ୍ଚଳରେ ମଧ୍ୟ ୪୩ ଜଣ ପ୍ରାଣ ହରାଇଛନ୍ତି।

ଏହି ବନ୍ୟା ବିପର୍ଯ୍ୟୟ ପ୍ରାୟ ୨୨ ଲକ୍ଷ ଟନ୍‌ର ଧ୍ୱଂସାବଶେଷ ଛାଡ଼ିଯାଇଛି ତ୍ରିଶୂଳୀ ନଦୀ ଉପତ୍ୟକାରେ।ଘଟଣାର ପ୍ରଥମ ଦିନଗୁଡ଼ିକରେ ଭୂମିକମ୍ପକୁ ଏହି ବିପର୍ଯ୍ୟୟର କାରଣ ବୋଲି ସନ୍ଦେହ କରାଯାଇଥିଲା।

କିନ୍ତୁ ପରେ ଭୂମିକମ୍ପ ତଥ୍ୟ ଓ ଉପଗ୍ରହ ଚିତ୍ରର ବିଶ୍ଳେଷଣ ଏକ ଭିନ୍ନ ସତ୍ୟ ସାମ୍ନାକୁ ଆଣିଲା।

ଭୂମିକମ୍ପ ପାହାଡ଼ ଧସାଇ ନଥିଲା; ପାହାଡ଼ ଧସିବା ଦ୍ୱାରା ଭୂମିକମ୍ପ ଭଳି ତରଙ୍ଗ ସୃଷ୍ଟି ହୋଇଥିଲା।ତେବେ ହିମାଳୟରେ ଏପରି ଅସ୍ଥିରତା ବଢ଼ୁଛି କାହିଁକି?

ଏଠାରେ ଜଳବାୟୁ ପରିବର୍ତ୍ତନର ପ୍ରଶ୍ନକୁ ଏଡ଼ାଇ ହେବ ନାହିଁ।

ନୂଆ ବୈଜ୍ଞାନିକ ଅଧ୍ୟୟନ କହୁଛି, ହିନ୍ଦୁକୁଶ-ହିମାଳୟ ଅଞ୍ଚଳ ପୃଥିବୀର ହାରାହାରି ଉଷ୍ମତା ବୃଦ୍ଧିଠାରୁ ପ୍ରାୟ ଦୁଇଗୁଣ ଦ୍ରୁତ ଗତିରେ ଉତ୍ତପ୍ତ ହେଉଛି।

୧୯୯୦ ପରଠାରୁ କେତେକ ଅଞ୍ଚଳରେ ବରଫ ଆବରଣ ପ୍ରାୟ ୩୦ ପ୍ରତିଶତ କମିଛି।

ଦୀର୍ଘଦିନ ଧରି ଜମି ରହିଥିବା ବରଫ ତରଳୁଛି।

୨୦୦୦ ମସିହା ପରଠାରୁ ହିମନଦୀଗୁଡ଼ିକର ବରଫ ତରଳିବା ବେଗ ଦ୍ୱିଗୁଣ ହୋଇଛି।

ଏହା ହିମାଳୟର ଭୂସ୍ଥିରତା ଓ ତଳ ଅଞ୍ଚଳର ଜୀବନ ପାଇଁ ଏକ ଭୟଙ୍କର ସଙ୍କେତ ଦେଉଛି।ଏଠାରେ ଜଳବାୟୁ ନ୍ୟାୟର ପ୍ରଶ୍ନଟି ଆହୁରି ତୀବ୍ର ହୋଇଉଠେ।

ନେପାଳ ବିଶ୍ୱର ତାପମାତ୍ରା ବୃଦ୍ଧିକାରୀ ଗ୍ୟାସ ନିର୍ଗମନରେ ଏକ ନଗଣ୍ୟ ଭୂମିକା ନିଏ।

ବିଭିନ୍ନ ଆକଳନରେ ଏହା ୦.୧ ପ୍ରତିଶତରୁ କମ୍; କେବଳ ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ଧରିଲେ ନେପାଳର ଅଂଶ ପ୍ରାୟ ୦.୦୫ ପ୍ରତିଶତ।

ଅନ୍ୟପଟେ ୨୦୨୪ରେ ଚୀନ ପ୍ରାୟ ୨୯ ପ୍ରତିଶତ, ଆମେରିକା ୧୧ ପ୍ରତିଶତ ଓ ଭାରତ ପ୍ରାୟ ୮ ପ୍ରତିଶତ ବିଶ୍ୱ ତାପମାତ୍ରା ବୃଦ୍ଧିକାରୀ ଗ୍ୟାସ ନିର୍ଗମନ କରିଥିଲେ।

ଏହି ତିନି ଦେଶ ମିଶି ବିଶ୍ୱର ବାର୍ଷିକ ଉତ୍ତାପ ବୃଦ୍ଧିକାରୀ ଗ୍ୟାସ ନିର୍ଗମନର ପ୍ରାୟ ଅର୍ଦ୍ଧାଧିକ ଅଂଶ ପାଇଁ ଦାୟୀ।

ଯେଉଁ ଦେଶର ନିର୍ଗମନ ବିଶ୍ୱ ସମୁଦାୟରେ ନଗଣ୍ୟ, ସେହି ଦେଶ ଆଜି ତରଳୁଥିବା ହିମନଦୀ, ଅସ୍ଥିର ପାହାଡ଼ ଓ ଉଗ୍ର ହେଉଥିବା ବନ୍ୟାର ମୂଲ୍ୟ ଦେଉଛି।

ଯେଉଁମାନେ ବିଶ୍ୱ ଉଷ୍ମତା ବୃଦ୍ଧିରେ ଅଧିକ ଅବଦାନ ରଖିଛନ୍ତି, ସେମାନଙ୍କ ତୁଳନାରେ ନେପାଳ ଭଳି ଦେଶମାନେ ଅଧିକ ଅସୁରକ୍ଷିତ।

ଏହା ହିଁ ଜଳବାୟୁ ଅନ୍ୟାୟର ସବୁଠାରୁ ବଡ଼ ଯନ୍ତ୍ରଣାଦାୟକ ଚିତ୍ର।ତେଣୁ ନେପାଳ ସରକାର ଜାତିସଂଘର କ୍ଷତି ଓ କ୍ଷୟକ୍ଷତି ପାଣ୍ଠିରୁ ୨ କୋଟି ଡଲାର ଦାବି କରିଛନ୍ତି।

ଏହାକୁ ସେମାନେ ଦାନ ନୁହେଁ, ବରଂ ଜଳବାୟୁ କ୍ଷତିପୂରଣ ଭାବରେ ଦାବି କରୁଛନ୍ତି।

ଏହା ସହିତ ନେପାଳ ପୁନର୍ନିର୍ମାଣର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାୟ ୫୦୦ କୋଟି ଡଲାରର ଅନ୍ତର୍ଜାତୀୟ ସହାୟତା ଆବଶ୍ୟକ ବୋଲି କହିଛି।

ଏହି ଦାବି ଆମେରିକା, ଚୀନ, ଭାରତ, ବିଶ୍ୱବ୍ୟାଙ୍କ ଓ ଏସିଆ ଉନ୍ନୟନ ବ୍ୟାଙ୍କ ଭଳି ଦେଶ ଓ ସଂସ୍ଥାମାନଙ୍କ ନିକଟରେ ନେପାଳ ଉପସ୍ଥାପନ କରିଛି।କିନ୍ତୁ ଏଠାରେ ଏକ କଠୋର ସତ୍ୟ ମଧ୍ୟ ଆଲୋଚିତ ହେବା ଉଚିତ।

ନେପାଳର ଜଳବାୟୁ ନ୍ୟାୟ ପାଇଁ ଦାବି କରିବାର ନୈତିକ ଅଧିକାର ରହିଛି ନିଶ୍ଚୟ, କିନ୍ତୁ ନେପାକକୁ ନିଜର ବିକାଶ ମଡେଲକୁ ନେଇ ମଧ୍ୟ ଆତ୍ମସମୀକ୍ଷା କରିବାକୁ ପଡ଼ିବ।

ନେପାଳ ତାହାର ନଦୀ ଓ ପର୍ବତକୁ ଜଳବିଦ୍ୟୁତ୍‌, ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣରେ ବ୍ୟବହାର କରି ଦ୍ରୁତ ଅର୍ଥନୈତିକ ବିକାଶ ଚାହୁଁଛି।

କିନ୍ତୁ ମନେ ରଖିବାକୁ ପଡ଼ିବ ଯେ ପ୍ରକୃତିର ସହନଶୀଳତାର ମଧ୍ୟ ଗୋଟିଏ ଲକ୍ଷ୍ମଣ ରେଖା ଅଛି!

ନେପାଳ ସେ ଲକ୍ଷ୍ମଣ ରେଖାକୁ କ"ଣ ଡେଇଁବାର ପ୍ରୟାସ କରିନାହିଁ?

ଯେତେବେଳେ ଏକ ନଦୀ ଉପତ୍ୟକାରେ ଗୋଟିଏ ପରେ ଗୋଟିଏ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ହୁଏ, ଯେତେବେଳେ ପାହାଡ଼କୁ କାଟି ରାସ୍ତା ଓ ସୁଡ଼ଙ୍ଗ ତିଆରି ହୁଏ, ଯେତେବେଳେ ନଦୀର ସ୍ୱାଭାବିକ ପଥକୁ ନିର୍ମାଣ ଦ୍ୱାରା ସଙ୍କୁଚିତ କରାଯାଏ, ସେତେବେଳେ ଏକ ଅସାଧାରଣ ବନ୍ୟା ଆସିଲେ କ୍ଷତି ଅନେକ ଗୁଣ ବଢ଼ିଯିବା ସ୍ବାଭାବିକ।

ଏହି ବିପର୍ଯ୍ୟୟରେ ନେପାଳର ଏକ ଡଜନରୁ ଅଧିକ ଜଳବିଦ୍ୟୁତ୍‌ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିବା ତଥ୍ୟ ଏହି ସତ୍ୟକୁ ଆମ ସାମ୍ନାରେ ସ୍ପଷ୍ଟ କରିଛି।ଏବେ ଆସିବା ଭାରତର କଥାକୁ।

ନେପାଳ ଓ ଭାରତକୁ ଏକ ରାଜନୈତିକ ସୀମା ବିଭକ୍ତ କରିଛି, କିନ୍ତୁ ପ୍ରକୃତିର ମାନଚିତ୍ରରେ ଦୁଇ ଦେଶ ହିମାଳୟର ଅଂଶ।

ଗୋଟିଏ ପର୍ବତ ବ୍ୟବସ୍ଥା, ଗୋଟିଏ ଭୂତାତ୍ତ୍ୱିକ ଅବସ୍ଥିତି, ଗୋଟିଏ ପ୍ରକାରର ହିମନଦୀ ଓ ବର୍ଷା ପ୍ରଣାଳୀ।

ତେଣୁ ନେପାଳରେ ଯାହା ଘଟିଛି, ତାହା ଭାରତରେ ଘଟିବ ନାହିଁ ବୋଲି ଭାବିବା ଏକ ବିପଜ୍ଜନକ ଧାରଣା।

Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...

ସିକ୍କିମ ଆମକୁ ଏହାର ଏକ ସ୍ପଷ୍ଟ ଉଦାହରଣ ଦେଇସାରିଛି।

୨୦୨୩ରେ ଦକ୍ଷିଣ ଲୋନାକ ହିମନଦୀ ହ୍ରଦର ବିସ୍ଫୋରଣଜନିତ ବନ୍ୟା ତୀସ୍ତା ଉପତ୍ୟକାରେ ବିପୁଳ କ୍ଷତି କରିଥିଲା।

ଏବେ ନେପାଳର ବିପର୍ଯ୍ୟୟ ପରେ ସିକ୍କିମରେ ୪୦ଟି ଉଚ୍ଚ ବିପଦପ୍ରବଣ ହିମନଦୀ ହ୍ରଦ ଚିହ୍ନଟ ହୋଇଛି; ସେଥିରୁ ୧୬ଟିକୁ ସର୍ବାଧିକ ବିପଦପ୍ରବଣ ଶ୍ରେଣୀରେ ରଖାଯାଇଛି।

ସିକ୍କିମ ସରକାର ଏବେ ଏହି ହ୍ରଦଗୁଡ଼ିକର ବୈଜ୍ଞାନିକ ମାପ, ନିରୀକ୍ଷଣ ଓ ବିପଦ ହ୍ରାସ ପାଇଁ ପଦକ୍ଷେପ ନେଉଛନ୍ତି।

ସେହିପରି ଉତ୍ତରାଖଣ୍ଡର ଅଳକନନ୍ଦା ଓ ଭାଗୀରଥୀ, ହିମାଚଳର ସତଲେଜ ଓ ଚେନାବ, ଅରୁଣାଚଳର ସିଆଙ୍ଗ ଓ ସୁବନସିରୀ- ଏହି ସମସ୍ତ ନଦୀ ହେଉଛନ୍ତି ପରିବର୍ତ୍ତନଶୀଳ ହିମାଳୟର ଅଂଶ।

ଏହି ଅଞ୍ଚଳଗୁଡ଼ିକରେ ବିଶାଳ ବନ୍ଧ, ଜଳବିଦ୍ୟୁତ୍‌ ପ୍ରକଳ୍ପ, ରାସ୍ତା ଓ ସୁଡ଼ଙ୍ଗ ନିର୍ମାଣ ହେଉଛି।

ନିର୍ମମ ଭାବରେ ପାହାଡ଼ କଟାଯାଉଛି, ଆଖିବୁଜା ନିର୍ମାଣ କାର୍ଯ୍ୟ ଚାଲିଛି।

ନିକଟରେ ଏହି ଲେଖକ ଲଦାଖ ଅଞ୍ଚଳ ବୁଲିଲାବେଳେ ହିମାଳୟର ପ୍ରକୃତି ଉପରେ ମଣିଷର ଏହି ଅବିବେକୀ ଅତ୍ୟାଚାର ଦେଖିଥିଲେ।

ଏହି ସବୁ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ଥାଇପାରେ; କିନ୍ତୁ ତାହାର ଏକ ସୀମା ନିର୍ଦ୍ଧାରିତ ହେବା ଉଚିତ କାରଣ ଆଗାମୀ ଦିନର ହିମାଳୟ ଆଜିର ହିମାଳୟ ଠାରୁ ଭିନ୍ନ ରୂପ ନେବାକୁ ଯାଉଛି।

ହିମାଳୟର ନଦୀଗୁଡ଼ିକରେ ପୁରୁଣା ବନ୍ୟାର ତଥ୍ୟ ଆଧାରରେ ଆସନ୍ତାକାଲିର ବନ୍ଧ, ରାସ୍ତା ଓ ସୁଡ଼ଙ୍ଗ ନିର୍ମାଣ କରିବା ଦ୍ବାରା ଏକ ବଡ଼ ବିପଦକୁ ଡାକି ଆଣିବା ଥୟ।

ସମ୍ପ୍ରତି ଏକ ଅନ୍ତର୍ଜାତୀୟ ଅଧ୍ୟୟନ ଚେତାବନୀ ଦେଇଛି ଯେ ହିମାଳୟ ଏକ ଗୁରୁତର ପରିବର୍ତ୍ତନର ସୀମାରେ ପହଞ୍ଚୁଛି।

ହିମନଦୀଗୁଡ଼ିକର ଦ୍ରୁତ ଗଳନ, ପ୍ରଥମେ ଜଳର ଅଧିକ ପ୍ରବାହ ଓ ପରେ ଜଳପ୍ରବାହ ହ୍ରାସର ଏକ ନୂଆ ପର୍ଯ୍ୟାୟ ସୃଷ୍ଟି କରିପାରେ।

ଭାରତର ଅର୍ଥନୀତି ଓ କୋଟି କୋଟି ଲୋକଙ୍କ ଜୀବନ ଏହି ହିମାଳୟ ଜଳ ବ୍ୟବସ୍ଥା ଉପରେ ନିର୍ଭରଶୀଳ।

ଭାରତୀୟ ହିମାଳୟରେ ପ୍ରାୟ ୨୦୦ଟି ଉଚ୍ଚ ବିପଦପ୍ରବଣ ହିମନଦୀ ହ୍ରଦ ଚିହ୍ନଟ ହୋଇଥିବା ନୂଆ ଆକଳନ ମଧ୍ୟ ଚିନ୍ତା ବଢ଼ାଇଛି।ତେଣୁ ଭାରତ ପାଇଁ ନେପାଳର ସନ୍ଦେଶ ସ୍ପଷ୍ଟ।

ଆମେ ହିମାଳୟକୁ ଜିତିବାର ପ୍ରୟାସ କରିବା ମୂର୍ଖାମି।

ଆମକୁ ହିମାଳୟ ସହିତ ବଞ୍ଚିବା ଶିଖିବାକୁ ହେବ।

ପାହାଡ଼ କେତେ କାଟିବା, କେଉଁଠି ରାସ୍ତା କରିବା, କେଉଁଠି ବନ୍ଧ କରିବା, କେତେ ଜଳବିଦ୍ୟୁତ୍‌ ପ୍ରକଳ୍ପ ଗୋଟିଏ ଉପତ୍ୟକା ସହିପାରିବ, ନଦୀର ସ୍ୱାଭାବିକ ପଥ କେତେ ରଖିବା ଉଚିତ- ଏସବୁ ପ୍ରଶ୍ନକୁ ଆର୍ଥିକ ଲାଭ ଦୃଷ୍ଟିକୋଣରୁ ନୁହେଁ, ପ୍ରକୃତିର ସହନଶୀଳତା ସୀମାର ଆଧାରରେ ନିର୍ଣ୍ଣୟ କରିବାକୁ ହେବ।ପର୍ବତ ଆମ ଉପରେ ରାଗ ରଖେ ନାହିଁ।

ନଦୀ ମଣିଷକୁ ଦଣ୍ଡ ଦେବା ପାଇଁ ତାହାର ପଥ ବଦଳାଏ ନାହିଁ।

ଆମେ ହିଁ ପ୍ରକୃତିର ସୀମାକୁ ବାରମ୍ବାର ପରୀକ୍ଷା କରୁଛୁ।

ସେ ପରୀକ୍ଷାର ସୀମା ଯେତେବେଳେ ଅତିକ୍ରମ ହୁଏ, ପ୍ରକୃତି ତା"ର ନିୟମକୁ ପରିବର୍ତ୍ତନ କରେ।

ଆଉ ଯେତେବେଳେ ପ୍ରକୃତି ନିଜ ନିୟମରେ ପରିବର୍ତ୍ତନ ଆଣେ, ସେତେବେଳେ ଆମେ ତାହାକୁ "ପ୍ରାକୃତିକ ବିପର୍ଯ୍ୟୟ" ବୋଲି କହିଦେଉ।

ହୁଏତ ଏହି ବିପର୍ଯ୍ୟୟକୁ ସମ୍ପୂର୍ଣ୍ଣ ଭାବରେ "ମନୁଷ୍ୟକୃତ" ବୋଲି କହିବା ବୈଜ୍ଞାନିକ ଦୃଷ୍ଟିରୁ ଠିକ୍ ହେବ ନାହିଁ, କିନ୍ତୁ ଏହାକୁ କେବଳ "ପ୍ରାକୃତିକ" ବୋଲି କହିବା ମଧ୍ୟ ସେତିକି ଭୁଲ୍‌ ହେବ।

ଏକ ପ୍ରାକୃତିକ ଘଟଣାକୁ ମହାବିପର୍ଯ୍ୟୟରେ ପରିଣତ କରିବାରେ ଜଳବାୟୁ ପରିବର୍ତ୍ତନ, ଅବିଚାରିତ ନିର୍ମାଣ, ଅତ୍ୟଧିକ ଜଳବିଦ୍ୟୁତ୍‌ ନିର୍ଭରତା ଓ ଦୁର୍ବଳ ପ୍ରସ୍ତୁତିର ଭୂମିକାକୁ ଆମକୁ ସ୍ୱୀକାର କରିବାକୁ ହେବ।

ନେପାଳର ଦୁଃଖ ଆମ ପାଇଁ କେବଳ ସହାନୁଭୂତିର ବିଷୟ ହୋଇ ରହିବା ଉଚିତ ନୁହେଁ।

ଏହା ଏକ ଚେତାବନୀ।

ଏକ ସତର୍କ ଘଣ୍ଟି।ହିମାଳୟ ଆମକୁ ଆଉ ଏକ ସୁଯୋଗ ଦେଉଛି, ନିଜର ଭୁଲ୍‌ ସୁଧାରିବାର।

ଯଦି ଆଜି ଆମେ ନ ସୁଧୁରିବା, ତେବେ ଆଗାମୀ ଦିନରେ ନେପାଳର ଆର୍ତ୍ତନାଦ ଆମକୁ ଶୁଣିବାକୁ ପଡ଼ିବ।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୦୨୦୨୨୫"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।