Puja Preparations: ମାଟିରେ ରୂପ ପାଇଲେଣି ମା'
"କୋଲକାତା: ଶରତ ଆକାଶରେ ଭାସୁଥିବା ଧଳା କାଶତଣ୍ଡୀ ଫୁଲ, ପବନରେ ମିଶିଥିବା ପାର୍ବଣର ଗନ୍ଧ ଦୁର୍ଗାପୂଜା ଆସିବାର ସଙ୍କେତ ଦେଲାଣି।
ପାର୍ବଣ ଅନେକ ଦିନ ବାକି ଅଛି ହେଲେ ପ୍ରସ୍ତୁତି ଜୋରସରରେ ଆରମ୍ଭ ହେଲାଣି।
ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ କୋଲକାତା।
ଏଠାରେ ମୂର୍ତ୍ତି ଗଠନ କରୁଥିବା ଶିଳ୍ପୀମାନଙ୍କର ଏକ ବସତି ରହିଛି କୁମାରଟୁଲି।
ଯେଉଁ ସ୍ଥାନ ମା"ଙ୍କ ମୂର୍ତ୍ତି ତିଆରି ପାଇଁ ପ୍ରସିଦ୍ଧ।
ପ୍ରାୟ ୩୦୦ ବର୍ଷର ଐତିହ୍ୟ ବହନ କରୁଥିବା କୁମାରଟୁଲିରେ ମା"ଙ୍କ ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରିଥାନ୍ତି କାରିଗର।Advertisment କାରିଗରଙ୍କ ଦକ୍ଷତା ଓ ଧୈର୍ଯ୍ୟ ସେଠାରେ ମାଟି, ଖଡ଼ି, ରଙ୍ଗରେ ଓ କାରିଗରଙ୍କ ନିଖୁଣ ହାତରେ ଧୀରେଧୀରେ ରୂପ ନିଅନ୍ତି ମା" ଦୁର୍ଗା।
ଏହା ବଙ୍ଗର ଦୁର୍ଗାପୂଜା ପରମ୍ପରାର ଏକ ଜୀବନ୍ତ ଅଧ୍ୟାୟ।
ପ୍ରତିବର୍ଷ ଦୁର୍ଗାପୂଜା ଆସିବା ପୂର୍ବରୁ ଏଠାକାର ଗଳିକନ୍ଦିରେ ଆରମ୍ଭ ହୋଇଯାଏ ମୂର୍ତ୍ତି ନିର୍ମାଣର ବ୍ୟସ୍ତତା।
ଏ ବର୍ଷ ମଧ୍ୟ ଆରମ୍ଭ ହେଲାଣି କାମ।
କେଉଁଠି ମାଟିର ଢାଞ୍ଚା ତିଆରି ହେଉଛି, କେଉଁଠି ଦେବୀଙ୍କ ମୁହଁରେ ଆକାର ଆସୁଛି, ଆଉ କେଉଁଠି ଶେଷ ସ୍ପର୍ଶ ପାଇ ଜୀବନ୍ତ ହେଉଛି ମା"ଙ୍କ ପ୍ରତିମା।
ଏଠାକାର କାରିଗରଙ୍କ ପାଇଁ ଦୁର୍ଗା ପ୍ରତିମା ତିଆରି କରିବା କେବଳ ଏକ ପେସା ନୁହେଁ, ଏହା ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଏକ କଳା ପରମ୍ପରା।
ମାଟିର ଅବୟବରୁ ଆରମ୍ଭ କରି ଦେବୀଙ୍କ ମୁଖମଣ୍ଡଳ, ଆଖି, ଅଳଙ୍କାର ଓ ରଙ୍ଗ ପ୍ରତ୍ୟେକ ପର୍ଯ୍ୟାୟରେ ରହିଛି କାରିଗରଙ୍କ ଦକ୍ଷତା ଓ ଧୈର୍ଯ୍ୟ।
ଏକ ନିର୍ଜୀବ ମାଟିର ଢାଞ୍ଚା କିପରି ଧୀରେଧୀରେ ଦେବୀଙ୍କ ମୂର୍ତ୍ତିରେ ପରିଣତ ହୁଏ, ତାହାର ସାକ୍ଷୀ ରହେ କୁମାରଟୁଲିର ପ୍ରତ୍ୟେକ ଗଳି।
ଦିନରାତି ପରିଶ୍ରମ କରି କାରିଗରମାନେ ପ୍ରତିମାକୁ ଦିଅନ୍ତି ଚୂଡ଼ାନ୍ତ ରୂପ।
ଏଠାର ଐତିହ୍ୟ କେବଳ କୋଲକାତାର ଦୁର୍ଗାପୂଜା ସହ ଜଡ଼ିତ ନୁହେଁ।
ଏଠାକାର ମୃତ୍ତିକାଶିଳ୍ପୀଙ୍କ ଦକ୍ଷତା ଓ ପରିଶ୍ରମ ଏହି ପରମ୍ପରାକୁ ବର୍ଷ ପରେ ବର୍ଷ ଜୀବନ୍ତ ରଖିଛି।
ଦୁର୍ଗାପୂଜା ଋତୁ ଆସିଲେ ଏହି ଅଞ୍ଚଳରେ ବଢ଼ିଯାଏ କାମର ଚାପ।
ବଡ଼ ବଡ଼ ପ୍ରତିମାଠାରୁ ଆରମ୍ଭ କରି ଛୋଟ ଘରୋଇ ପୂଜାର ପ୍ରତିମା, ବିଭିନ୍ନ ଆକାର ଓ ଶୈଳୀର ମୂର୍ତ୍ତି ଏଠାରେ ତିଆରି ହୁଏ।
ଦୁର୍ଗାପୂଜା ଆସିବା ପୂର୍ବରୁ ଏହି ସ୍ଥାନ ପାଲଟିଯାଏ ଅନ୍ୟ ଏକ କୋଲକାତା।
ଏଠାରେ ଆଲୋକସଜ୍ଜା କିମ୍ବା ବଡ଼ ବଡ଼ ପଣ୍ଡାଲ ନୁହେଁ, ଉତ୍ସବର କେନ୍ଦ୍ରବିନ୍ଦୁ ହେଉଛି ମାଟି ଓ ମଣିଷର ସମ୍ପର୍କ।
Durga Puja: ମା"ଙ୍କ ଆଗମନର ବାର୍ତ୍ତା ଦେଲାଣି କାଶତଣ୍ଡୀ କାରିଗରଙ୍କ ହାତରେ ମାଟି ଆକାର ପାଏ, ଆକାରରେ ଆସେ ମୁଖ, ମୁଖରେ ଫୁଟେ ଭାବ, ଆଉ ଶେଷରେ ସେହି ପ୍ରତିମା ଲକ୍ଷଲକ୍ଷ ଭକ୍ତଙ୍କ ଆରାଧ୍ୟ ଦେବୀରେ ପରିଣତ ହୁଏ।
ତେଣୁ ଦୁର୍ଗାପୂଜା ଆରମ୍ଭ ହେବା ପୂର୍ବରୁ ହିଁ କୁମାରଟୁଲିରେ ମା" ଦୁର୍ଗାଙ୍କ ଆଗମନର ଅନୁଭବ ମିଳିଯାଏ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।