Puri Murder Mystery Solved: ୫୭ ଦିନ ପରେ ଧରାପଡ଼ିଲା ମା’ର ହତ୍ୟାକାରୀ ପୁଅ, ରୋଷେଇ ଘରେ ପୋତି ଉପରେ କରିଥିଲା ପ୍ଲାଷ୍ଟର

Oct 20, 2026 - 12:57
Puri Murder Mystery Solved: ୫୭ ଦିନ ପରେ ଧରାପଡ଼ିଲା ମା’ର ହତ୍ୟାକାରୀ ପୁଅ, ରୋଷେଇ ଘରେ ପୋତି ଉପରେ କରିଥିଲା ପ୍ଲାଷ୍ଟର

ମା’ଙ୍କୁ ହତ୍ୟା କରି ରୋଷେଇ ଘରେ ମୃତଦେହ ପୋତିଦେବା ପରେ ଫେରାର୍ ହୋଇଯାଇଥିଲା ପୁଅ। ହେଲେ ଦୀର୍ଘ ୫୭ ଦିନ ପରେ ଶେଷରେ ପୋଲିସ ହାତରେ ଧରାପଡ଼ିଛି ଅଭିଯୁକ୍ତ। ଝାଡ଼ଖଣ୍ଡର ଟାଟାନଗରରୁ ଅଭିଯୁକ୍ତ ମଦନ ଦଳେଇକୁ ଗିରଫ କରିଛି ପୁରୀ ପୋଲିସ। ସେଠାରେ ଏକ ଦୋକାନରେ କାମ କରୁଥିଲା ମଦନ। ଏନେଇ ପୁରୀ ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। 

ସୂଚନା ଅନୁସାରେ, ପୁରୀର କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଏକ ଭଡ଼ା ଘରେ ମା’ ଓ ପୁଅ ରହୁଥିଲେ। ଉଭୟଙ୍କ ଘର ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖରଡ଼ା ଗାଁରେ। ଅଭିଯୋଗ ଅନୁସାରେ, ମଦନ ନିଜ ମା’ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ରୋଷେଇ ଘରେ ପୋତି ଦେଇଥିଲା। ଏହାପରେ ମୃତଦେହ ପୋତାଯାଇଥିବା ସ୍ଥାନ ଉପରେ ପ୍ଲାଷ୍ଟର କରି ଫେରାର୍ ହୋଇଯାଇଥିଲା।

ଗତ ଅଗଷ୍ଟ ୨୪ ତାରିଖରେ ଏହି ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ଘଟଣା ପରଠାରୁ ଅଭିଯୁକ୍ତ ମଦନର କୌଣସି ପତ୍ତା ମିଳୁନଥିଲା। ତାକୁ ଧରିବା ପାଇଁ ପୁରୀ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା।

ସିସିଟିଭି ଓ ମୋବାଇଲ୍ ତଥ୍ୟରୁ ମିଳିଲା ସୁରାକ୍ 

ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଘର ମାଲିକଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଏହାସହ ମୋବାଇଲ୍ ଫୋନ୍‌ର ତଥ୍ୟ ବିଶ୍ଳେଷଣ କରି ମଦନର ଅବସ୍ଥିତି ସମ୍ପର୍କରେ ସୁରାକ୍ ପାଇଥିଲା ପୋଲିସ।

ଶେଷରେ ଝାଡ଼ଖଣ୍ଡର ଟାଟାନଗରରେ ତାକୁ ଠାବ କରି ଗିରଫ କରାଯାଇଛି। ପୋଲିସର କହିବା ଅନୁସାରେ, ତଦନ୍ତ ବେଳେ ମଦନ ନିଜ ମା’ଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ଏହି ଘଟଣାର ପଛରେ ଥିବା କାରଣ ଓ ଅନ୍ୟାନ୍ୟ ଦିଗ ନେଇ ପୋଲିସର ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।