Puri Swargadwar Faces Wood Shortage: ପୁରୀ ସ୍ୱର୍ଗଦ୍ୱାରରେ ବଢୁଛି ଶବଦାହ ଚାପ, ବଢ଼ିଲା କାଠ ସଙ୍କଟ

Aug 14, 2026 - 20:36
Puri Swargadwar Faces Wood Shortage: ପୁରୀ ସ୍ୱର୍ଗଦ୍ୱାରରେ ବଢୁଛି ଶବଦାହ ଚାପ, ବଢ଼ିଲା କାଠ ସଙ୍କଟ

ପୁରୀ ସ୍ୱର୍ଗଦ୍ୱାର...ନାଁ ଯେମିତି, ବିଶ୍ୱାସ ବି ସେମିତି। ସ୍ୱର୍ଗଦ୍ୱାରରେ ଶବଦାହ କଲେ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ରହିଛି ଧାର୍ମିକ ବିଶ୍ୱାସ। ଏହି ବିଶ୍ୱାସକୁ ନେଇ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ଆସୁଛି ବହୁ ସଂଖ୍ୟାରେ ଶବ। କିନ୍ତୁ ଏଠାକାର ସୀମିତ ବ୍ୟବସ୍ଥା ଏବେ ସମସ୍ୟା ହୋଇ ଛିଡ଼ା ହେଉଛି। କାରଣ ଅସୁବିଧା କେବଳ ପିଣ୍ଡିରେ ନୁହେଁ। ଶବଦାହ ପାଇଁ ଝାଉଁ କାଠର ଘୋର ସଙ୍କଟ ଦେଖାଦେଉଛି। ଅଭିଯୋଗ ହୋଇଛି, ସରକାର ଯୋଗାଉଥିବା ଦେଢ କୁଇଣ୍ଟାଲ କାଠରେ ଶବଦାହ ହୋଇପାରୁନାହିଁ। ଏଥିରେ ଝାଉଁ କମ୍, ଅନ୍ୟ କାଠ ଅଧିକ ମିଶୁଛି। ଯାହାଦ୍ବାରା ଶବଦାହରେ ସମୟ ଲାଗୁଛି। ଅତ୍ୟଧିକ ଧୂଆଁ ଦ୍ବାରା ପରିବେଶ ବି ପ୍ରଦୂଷିତ ହେଉଛି। ସୂଚନା ଅନୁସାରେ, ୨୦୨୫ ମସିହାରେ ସ୍ବର୍ଗଦ୍ବାରରେ ୩୦ ହଜାରରୁ ଅଧିକ ଶବଦାହ ହୋଇଥିଲା । ବର୍ଷକରେ ଏତେ ଶବ ପୋଡ଼ାଗଲେ ସହରର ପ୍ରଦୂଷଣ ଉପରେ ବି ଦୃଷ୍ଟି ଦିଆଯିବା ଦରକାର। ଗତ ପାଞ୍ଚବର୍ଷର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଶବବାହ ସଂଖ୍ୟା ଦୁଇଗୁଣ ବଢୁଛି। କିନ୍ତୁ ସ୍ୱର୍ଗଦ୍ୱାରର ପ୍ରାୟ ୧ ଏକର ୧୩ ଡିସିମିଲ ଜମିରେ କେବଳ ୨୮ଟି ହିଁ ଶବଦାହ ପିଣ୍ଡି ରହିଛି। ଅନ୍ୟପଟେ ପୁରୀ ବାସିନ୍ଦାଙ୍କ ପାଇଁ ଅତି କମରେ ୫ଟି ପିଣ୍ଡି ସଂରକ୍ଷିତ ରଖାଯାଉ ଦାବି ଉଠିଛି। 

ଏପଟେ କାଠ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଆଧୁନିକ ବ୍ୟବସ୍ଥାକୁ ବିକଳ୍ପ ଭାବେ ଦେଖୁଛି ପ୍ରଶାସନ। ସ୍ବର୍ଗଦ୍ବାରରେ ଦୁଇଟି ଉଡ୍ ବେସଡ୍ ଚୁଲା ନିର୍ମାଣ ପାଇଁ ପ୍ରଶାସନ ଯୋଜନା କରିଛି। ପୁରୀ ମହାନଗର ନିଗମ ଏହାର ପରିଚାଳନା ଦାୟିତ୍ବରେ ରହିବାକୁ ଧାର୍ଯ୍ୟ ହୋଇଥିବାବେଳେ ଏଥିପାଇଁ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ତେବେ ସ୍ୱର୍ଗଦ୍ୱାର କେବଳ ଏକ ଶବଦାହ ସ୍ଥଳ ନୁହେଁ, ଏହାସହ ଜଡିତ ରହିଛି ଲୋକଙ୍କ ଗଭୀର ଧାର୍ମିକ ବିଶ୍ବାସ। ତେଣୁ ଆଧୁନିକ ବ୍ୟବସ୍ଥା କରିବା ସମୟରେ ସ୍ୱର୍ଗଦ୍ୱାରର ପରମ୍ପରା ଓ ଧାର୍ମିକ ଭାବନା ଯେପରି କ୍ଷୁର୍ଣ୍ଣ ନହୁଏ, ସେଥିପ୍ରତି ମଧ୍ୟ ଦେବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି।

ସ୍ୱର୍ଗଦ୍ୱାରରେ ପ୍ରତିଦିନ ଶବଦାହ ସଂଖ୍ୟା ବଢୁଥିବାରୁ ଆଗକୁ ଝାଉଁ କାଠ ଯୋଗାଣରେ ସମସ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି। ତେଣୁ ଝାଉଁ କାଠର ସଙ୍କଟ, ପିଣ୍ଡିର ଅଭାବ ଓ ଦୀର୍ଘ ଅପେକ୍ଷାରୁ ମୁକ୍ତି ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।