Puri Swargadwara Firewood Crisis Deepens: ସ୍ୱର୍ଗଦ୍ୱାରରେ କାଠ ସଙ୍କଟ, ଅସ୍ତରଙ୍ଗ ଝାଉଁ ଚାରା ରୋପଣରେ ମହାଦୁର୍ନୀତି ଅଭିଯୋଗ

Oct 07, 2026 - 20:27
Puri Swargadwara Firewood Crisis Deepens: ସ୍ୱର୍ଗଦ୍ୱାରରେ କାଠ ସଙ୍କଟ, ଅସ୍ତରଙ୍ଗ ଝାଉଁ ଚାରା ରୋପଣରେ ମହାଦୁର୍ନୀତି ଅଭିଯୋଗ

ଯେଉଁଠି ଦାହ ହେଲେ ଦିବଙ୍ଗତ ଆତ୍ମାର ସଦଗତି ହୁଏ। ଏଭଳି ବିଶ୍ବାସ ଆଧାରରେ ସ୍ବର୍ଗଦ୍ବାରରେ ବଢୁଛି ଶବର ଭିଡ଼। ହେଲେ କାଠ ଅଭାବରୁ ସ୍ବର୍ଗଦ୍ବାରରେ ବଢ଼ିଛି ଦାହ ସହ ଅନ୍ତିମ ସତ୍କାର ଚିନ୍ତା। କାରଣ କମୁଛି ଝାଉଁ ଜଙ୍ଗଲ ପରିମାଣ। ଫଳରେ ସ୍ବର୍ଗଦ୍ବାରକୁ ଆସିପାରୁନି ଆବଶ୍ୟକ କାଠ। ବନ ବିଭାଗ ବି ଅସହାୟ ପ୍ରକାଶ କରିଛି। ତେବେ କେଉଁଠି ରହୁଛି ସମସ୍ୟା ? କଥା ବୁଝୁ ବୁଝୁ ସାମ୍ନାକୁ ଆସିଛି ଝାଉଁ ବଣରେ ଛକି ବସିଥିବା ମହାଦୁର୍ନୀତିର ରାକ୍ଷାସ। ପୁରୀ ଅସ୍ତରଙ୍ଗ ବନାଞ୍ଚଳରେ ଝାଉଁ ଚାରା ରୋପଣ ନାଁରେ ହରିଲୁଟର ସାଂଘାତିକ ଚିତ୍ର। ଅସ୍ତରଙ୍ଗ ସହନ ଠାରୁ ଗଙ୍ଗାଦେବୀ ସମୁଦ୍ର କୂଳ ଯାଏଁ ଲମ୍ବିଥିବା ସଂରକ୍ଷିତ ଜଙ୍ଗଲ। ଯେଉଁଠି ସବୁଜ ମହାନଦୀ ମିଶନ ଅଧିନରେ ୮୦ ହଜାର ଝାଉଁ ଚାରା ରୋପଣ କରାଯିବାର ଥିଲା। ଅବଶ୍ୟ ବିଭାଗୀୟ ରିପୋର୍ଟରେ ଚାରା ରୋପଣର ତଥ୍ୟ ବି ରହିଛି। କିନ୍ତୁ ସେହି ଅନୁପାତରେ ନା ଚାରା ଲଗାଯାଇଛି ନା ଗଛ ଉଠିଛି। ବରଂ ଚାରା ଜାଗାରେ ଡାଳ ପୋତି ରାଧେ ରାଧେ, ତୋର ଅଧେକୁ ମୋର ଅଧେ ନ୍ୟାୟରେ ସରକାରୀ ଅନୁଦାନ ହଡ଼ପ୍ କରାଯାଇଥିବାର ସଂଗୀନ ଅଭିଯୋଗ ଉଠିଛି।  

ସହନଠାରୁ ଗଙ୍ଗାଦେବୀ ଯାଏଁ ୩୨ ହେକ୍ଟର ସମୁଦ୍ରକୂଳ ଜଙ୍ଗଲ ଜମି। ତାହାରି ଭିତରେ ଗ୍ରୀନ ମହାନଦୀ ମିଶନରେ ୮୦ ହଜାର ଝାଉଁ ଚାରା ରୋପଣର ସରକାରୀ ତଥ୍ୟ ରହିଛି। ୮ଟି ପ୍ଲଟରେ ୩ଟି ଟିମରେ ୨୩ ଶ୍ରମିକ ଚାରା ରୋପଣ କରିଥିବା କୁହାଯାଉଛି। ତାସହ ୮୬ % ଚାରା ଲାଗିଥିବା ବି ଦର୍ଶାଯାଇଛି। ୨୦୨୪-୨୦୨୫ ମସିହାରେ ଚାରା ରୋପଣ କାର୍ଯ୍ୟ ହୋଇଥିବା ବନ ବିଭାଗ କହିଛି। କିନ୍ତୁ ବର୍ଷେ ପରେ ଏବେ ଗ୍ରାଉଣ୍ଡ ଜିରୋରେ ଚିତ୍ର ଏମିତି। କେଉଁଠି ଡାଳ ପୋତାଯାଇଛି ତ ଆଉ କେଉଁଠି ପଡ଼ିଆ ପଡ଼ିଛି ଜମି। ବନବିଭାଗ ପକ୍ଷରୁ କୁହାଯାଉଛି, ସମୁଦ୍ର ପାଣି ପଶିବାରୁ ଅନେକ ଚାରା ନଷ୍ଟ ହୋଇଯାଇଛି। ଏହି କଥାକୁ କିନ୍ତୁ ସ୍ଥାନୀୟ ବାସିନ୍ଦା ସହଜରେ ହଜମ କରିପାରୁନାହାଁନ୍ତି। ବରଂ ଦୁର୍ନୀତିର ଗନ୍ଧ ବାରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ପୁରୀ ସ୍ବର୍ଗଦ୍ବାରରେ କେବଳ ଝାଉଁ କାଠ ଦ୍ବାରା ଦାହର ପରମ୍ପରା ରହିିଛି। କିନ୍ତୁ ‘ଓଡିଶା ବନ ଉନ୍ନୟନ ନିଗମ’ ଅଧିନରେ ଥିବା ଅସ୍ତରଙ୍ଗ ବନାଞ୍ଚଳରେ ହ୍ରାସ ପାଉଛି ଝାଉଁ ଗଛ। ଫଳରେ କାଠ ଯୋଗାଣ ପ୍ରଭାବିତ ହୋଇଛି। ଏଭଳି ସଙ୍କଟଜନକ ସ୍ଥିତିବେଳେ କାହା ନିର୍ଦ୍ଦେଶରେ ୮୦ ହଜାର ଝାଉଁ ଚାରା ରୋପଣରେ କରାଯାଇଛି ଏଭଳି ଅନିୟମିତତା ? ୨୦୨୪-୨୦୨୫ରେ ଲଗାଯାଇଥିବା ଚାରା ଯଦି ନଷ୍ଟ ହୋଇଗଲା, ତେବେ ଚାରା ବଦଳରେ ଏଭଳି ଡାଳ ପୋତିବାର ରହସ୍ୟ କ’ଣ ? କାହା ମିଲିଭଗତରେ ଚାଲିଛି ଏଭଳି ସନ୍ଦେହଜନକ କାରବାର ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ପୁରୀ ଜିଲ୍ଲାପାଳ କହିଛନ୍ତି, ଏ ସଂପର୍କରେ ଅଭିଯୋଗ ଆସିଛି। ଡିଏଫଓଙ୍କୁ ନିର୍ଦ୍ଦେଶ ପରେ ଘଟଣାର ତଦନ୍ତ ଜାରି ରହିଛି। ଯିଏ ବି ଅନିୟମିତତା କରିଥିବେ ଦୃଢ଼ ଆକ୍ସନ ନିଆଯିବ।  

ତେବେ ଏହି ଘଟଣା ସଂପର୍କରେ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଜାରି ରହିଥିବା ତଦନ୍ତରୁ କି ସତ ସାମ୍ନାକୁ ଆସୁଛି, ତାକୁ ଅପେକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।