Thai Woman Travels To India: ସୋସିଆଲ ମିଡିଆ ପ୍ରେମରୁ ବିବାହ, ଥାଇ ମହିଳାଙ୍କଠାରୁ ନେଲେ ୬୦ ଲକ୍ଷ

Oct 07, 2026 - 20:27
Thai Woman Travels To India: ସୋସିଆଲ ମିଡିଆ ପ୍ରେମରୁ ବିବାହ, ଥାଇ ମହିଳାଙ୍କଠାରୁ ନେଲେ ୬୦ ଲକ୍ଷ

ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ପରିଚୟ। ଧୀରେ ଧୀରେ ବନ୍ଧୁତା ପ୍ରେମରେ ପରିଣତ ହେଲା। ଆଉ ଏହାପରେ ହେଲା ବିବାହ। ହେଲେ ବିବାହ ପରେ ଯାହା ସାମ୍ନାକୁ ଆସିଲା, ତାହା ଥାଇଲାଣ୍ଡର ଜଣେ ମହିଳାଙ୍କ ପାଇଁ ଦୁଃସ୍ୱପ୍ନଠାରୁ କମ୍ ନଥିଲା। ଉତ୍ତରପ୍ରଦେଶର କାନପୁରର ଜଣେ ଚମଡ଼ା ବ୍ୟବସାୟୀ ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ତାଙ୍କୁ ବିବାହ କରିଥିବା ଏବଂ ପରେ ପ୍ରାୟ ୬୦ ଲକ୍ଷ ଟଙ୍କା ନେଇ ଧୋକା ଦେଇଥିବା ଅଭିଯୋଗ ହୋଇଛି।

ଥାଇଲାଣ୍ଡର ବାସିନ୍ଦା ଅପସର୍ଣ୍ଣ ନାମ୍ନୀ ଏହି ମହିଳା ରେଷ୍ଟୁରାଣ୍ଟ ଓ କ୍ୟାଣ୍ଟିନ୍ ବ୍ୟବସାୟ କରନ୍ତି। ସୋସିଆଲ ମିଡିଆ ଜରିଆରେ ତାଙ୍କର କାନପୁରର ଚମଡ଼ା ବ୍ୟବସାୟୀ ଇରଫାନ ସହ ପରିଚୟ ହୋଇଥିଲା। କିଛି ଦିନର ଚାଟିଂ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।

ଅପସର୍ଣ୍ଣଙ୍କ ଅଭିଯୋଗ ଅନୁସାରେ, ଇରଫାନ ତାଙ୍କୁ ନିଜେ ଅବିବାହିତ ବୋଲି କହିଥିଲେ। ଏହାପରେ ସେ ଥାଇଲ୍ୟାଣ୍ଡ ଯାଇ ଅପସର୍ଣ୍ଣଙ୍କୁ ଭେଟିଥିଲେ ଏବଂ ଦୁଇ ବର୍ଷ ପୂର୍ବେ ସେଠାରେ ତାଙ୍କୁ ବିବାହ କରିଥିଲେ।

ବ୍ୟବସାୟ ନାଁରେ ନେଇଗଲେ ୬୦ ଲକ୍ଷ

ବିବାହ ପରେ ଇରଫାନ ବ୍ୟବସାୟ ଓ ଅନ୍ୟାନ୍ୟ ଆର୍ଥିକ ଆବଶ୍ୟକତା ଦର୍ଶାଇ ଅପସର୍ଣ୍ଣଙ୍କଠାରୁ ଟଙ୍କା ମାଗିବା ଆରମ୍ଭ କରିଥିବା ସେ ଅଭିଯୋଗ କରିଛନ୍ତି। ନିଜ ରେଷ୍ଟୁରାଣ୍ଟର ରୋଜଗାର ସହ ସମ୍ପର୍କୀୟଙ୍କଠାରୁ ଧାର କରି ସେ ଇରଫାନକୁ ପ୍ରାୟ ୬୦ ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି।

ତେବେ ଟଙ୍କା ନେବା ପରେ ଇରଫାନ ତାଙ୍କ ସହ ଯୋଗାଯୋଗ ବନ୍ଦ କରି ଭାରତ ଫେରିଆସିଥିବା ଅଭିଯୋଗ ହୋଇଛି।

କାନପୁର ଆସି ଜାଣିଲେ ସତ

ମାସ ମାସ ଧରି ସ୍ୱାମୀଙ୍କ ସହ ଯୋଗାଯୋଗ ହୋଇନପାରିବା ପରେ ଅପସର୍ଣ୍ଣ ଭାରତ ଆସିବାକୁ ନିଷ୍ପତ୍ତି ନେଇଥିଲେ। ଅକ୍ଟୋବର ୬ରେ ସେ କାନପୁରରେ ଇରଫାନ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ତାଙ୍କ ସାମ୍ନାକୁ ଆସିଥିଲା ଆଉ ଏକ ବଡ଼ ସତ।

ଯେଉଁ ବ୍ୟକ୍ତି ନିଜକୁ ଅବିବାହିତ ବୋଲି କହି ତାଙ୍କୁ ବିବାହ କରିଥିଲା, ତାର ପୂର୍ବରୁ ୧୨ ବର୍ଷର ବିବାହିତ ଜୀବନ ଥିବା ଏବଂ ତିନିଜଣ ସନ୍ତାନ ଥିବା ଅପସର୍ଣ୍ଣ ଜାଣିବାକୁ ପାଇଥିବା ଅଭିଯୋଗ କରିଛନ୍ତି।
ଅପସର୍ଣ୍ଣ ଇରଫାନକୁ ତାଙ୍କ ସହ କରାଯାଇଥିବା ଠକେଇ ନେଇ ପ୍ରଶ୍ନ କରିବା ସହ ଟଙ୍କା ଫେରାଇବାକୁ ଦାବି କରିଥିଲେ। ଏହି ସମୟରେ ତାଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଘଟଣାରେ ଭାଙ୍ଗିପଡ଼ିଥିବା ଅପସର୍ଣ୍ଣ ଅତିରିକ୍ତ ଡେପୁଟି କମିଶନର ଅଫ୍ ପୋଲିସ୍ (ଇଷ୍ଟ) ଶିବା ସିଂହଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଥିଲେ। ଠକାମୀ, ମାଡ଼ ଏବଂ ଧର୍ମ ପରିବର୍ତ୍ତନ ପାଇଁ ଚାପ ଦେବା ଭଳି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ଅନୁସାରେ, ମହିଳାଙ୍କ ଅଭିଯୋଗ ଆଧାରରେ ସମ୍ପୃକ୍ତ ଆଇନର ବିଭିନ୍ନ ଧାରାରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି ଏବଂ ଇରଫାନକୁ ଗିରଫ କରାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।