Ragini's Emotional Plea for Tricycle: ଗୋଟିଏ ଗୋଡ଼ରେ ୪୦୦ ମିଟର ଡେଇଁ ଡେଇଁ ସ୍କୁଲ ଯାଉଛି କୁନି ଝିଅ ରାଗିଣୀ
ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାର ୭ ବର୍ଷୀୟା ରାଗିଣୀଙ୍କ ସଂଘର୍ଷର କାହାଣୀ ଏବେ ସମସ୍ତଙ୍କ ଆଖିକୁ ଓଦା କରିଦେଇଛି। ମାତ୍ର ୬ ମାସ ବୟସରେ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଥିଲେ ରାଗିଣୀ। କିନ୍ତୁ ଶାରୀରିକ ଅକ୍ଷମତା ତାଙ୍କ ପଢ଼ିବାର ସ୍ୱପ୍ନକୁ ଅଟକାଇ ପାରିନାହିଁ।
ପ୍ରତିଦିନ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ପ୍ରାୟ ୪୦୦ ମିଟର ଦୂର ସ୍କୁଲକୁ ଯାଉଛନ୍ତି ରାଗିଣୀ। ବାଟରେ ଥକିଗଲେ କିଛି ସମୟ ବିଶ୍ରାମ ନିଅନ୍ତି, ପୁଣି ଉଠି ସ୍କୁଲ ଅଭିମୁଖେ ଆଗେଇ ଚାଲନ୍ତି। କାରଣ ତାଙ୍କର ଗୋଟିଏ ଜିଦ୍—ସେ ପଢ଼ିବେ।
ରାଗିଣୀଙ୍କ ମାଆ ବବିତା ଦେବୀଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ ଝିଅର ଚିକିତ୍ସା ପାଇଁ ଅନେକ ସ୍ଥାନକୁ ନିଆଯାଇଥିଲା। କିନ୍ତୁ ଅର୍ଥାଭାବରୁ ଗୋଡ଼ଟିକୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
ପଡ଼ୋଶୀ ପିଲାମାନଙ୍କୁ ସ୍କୁଲ ଯାଉଥିବା ଦେଖି ରାଗିଣୀ ମଧ୍ୟ କାନ୍ଦି କାନ୍ଦି କହୁଥିଲେ—“ମୋତେ ବି ପଢ଼ିବାକୁ ହେବ।” ଶେଷରେ ସେ ସ୍କୁଲ ଯିବା ଆରମ୍ଭ କଲେ। ହେଲେ ଘରୁ ସ୍କୁଲ ଯିବା ରାସ୍ତା ତାଙ୍କ ପାଇଁ ପ୍ରତିଦିନ ଏକ ବଡ଼ ସଂଘର୍ଷ ଥିଲା।
ରାଗିଣୀଙ୍କ ବାପା ଜଣେ ଦିନ ମଜୁରିଆ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ କୃତ୍ରିମ ଗୋଡ଼ କିମ୍ବା ଟ୍ରାଇସାଇକେଲ କିଣିବା ସମ୍ଭବ ହୋଇପାରୁନଥିଲା। ତେଣୁ ରାଗିଣୀ ନିଜେ ଜିଲ୍ଲାପାଳଙ୍କୁ କରିଥିଲେ ଏକ ସରଳ ଅନୁରୋଧ—“ଡିଏମ୍ ଅଙ୍କଲ, ମୋତେ ଗୋଟିଏ ଟ୍ରାଇସାଇକେଲ ଦିଅନ୍ତୁ, ମୁଁ ସେଥିରେ ସ୍କୁଲ ଯିବି।”
ରାଗିଣୀଙ୍କ ଏହି କାହାଣୀ ଭାଇରାଲ ହେବା ପରେ ସାହାଯ୍ୟ ପାଇଁ ଆଗକୁ ଆସିଥିଲେ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ। ପରିବାରକୁ ୨୬ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବା ସହ ରାଗିଣୀଙ୍କୁ ଏକ ଟ୍ରାଇସାଇକେଲ ମଧ୍ୟ ପ୍ରଦାନ କରାଯାଇଛି। ସଞ୍ଜୟ ସିଂହ ଭିଡିଓ କଲ୍ରେ ରାଗିଣୀ ଓ ତାଙ୍କ ପରିବାର ସହ କଥା ହୋଇ ଆଗକୁ ମଧ୍ୟ ସହଯୋଗର ଆଶ୍ୱାସନ ଦେଇଛନ୍ତି।
ଗୋଟିଏ ଗୋଡ଼ ହରାଇଥିଲେ ମଧ୍ୟ ରାଗିଣୀ ହାରି ଯାଇନାହାନ୍ତି। ତାଙ୍କର ଏହି ଛୋଟ ପାଦର ବଡ଼ ସ୍ୱପ୍ନ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି।
Every time a poor girl needs a tricycle she should have received long ago, we first have to create a social media revolution. Why is the local administration so incompetent that it is never seen doing even the least that is expected of it?
— Piyush Rai (@Benarasiyaa) September 1, 2026
📍 Ballia, UP https://t.co/UnfUdUGNgtpic.twitter.com/xGtLj94fSU
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।