Rahul Gandhi Questions E20 Petrol Policy: E20 ପେଟ୍ରୋଲ ସତରେ ଗାଡ଼ି ନଷ୍ଟ କରୁଛି କି ? ରାହୁଲଙ୍କ ଭିଡିଓରେ ପରେ ତେଜିଲା ଝଡ଼
ସତରେ କଣ ଗାଡ଼ିକୁ ଖରାପ କରି ଦେଉଛି କି ଇଥାନଲ୍ ମିଶା ପେଟ୍ରୋଲ୍ ? E20 ଦ୍ବାରା ପ୍ରଭାବିତ ହେଉଛି କି ଗାଡ଼ିର ଇଞ୍ଜିନ? ଏହାକୁ ନେଇ ଲୋକଙ୍କ ମନରେ ସଂଶୟ ଜାରି ରହିଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଏ ଭିଡିଓ E20କୁ ନେଇ ଦେଖାଦେଇଥିବା ବିବାଦରେ ଘିଅ ଢାଳିଛି। ଏଥିରେ ରାହୁଲ କେନ୍ଦ୍ର ସରକାରଙ୍କ E20 ନୀତିକୁ ନେଇ ବର୍ଷିଛନ୍ତି। ସେ କହିଛନ୍ତି, E20 ଇନ୍ଧନ ଯୋଗୁଁ ସାଧାରଣ ଜନତାଙ୍କ କାର୍, ସ୍କୁଟର, ବାଇକ୍ ନଷ୍ଟ ହେଉଛି। ଏହାଦ୍ୱାରା ଗାଡ଼ିର ମରାମତି ଖର୍ଚ୍ଚ ବଢ଼ୁଛି। ସାଧରଣ ଲୋକ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । କଂଗ୍ରେସ ଏହାକୁ ବଡ଼ ପ୍ରସଙ୍ଗ କରି ଏହା ବିରୋଧରେ କ୍ୟାମ୍ପେନ୍ ଚଳାଇବ।
ସେପଟେ ରାହୁଲଙ୍କ ଏହି ଭିଡିଓକୁ ଜୋରଦାର ଟ୍ରୋଲ କରିଛି ବିଜେପି । ଦଳ କହିଛି, ରାହୁଲ ଯେଉଁ ଭିଡିଓ ଜାରି କରିଥିଲେ, ସେଥିରେ ସେ ନିଜେ ଏକ କାରର ତେଲ ଟାଙ୍କି ଢାଙ୍କୁଣୀ ଖୋଲି ଦେଖାଉଥିଲେ। କିନ୍ତୁ ସେହି ଢାଙ୍କୁଣୀ ପାଖରେ କମ୍ପାନୀ ପକ୍ଷରୁ ସ୍ପଷ୍ଟ ଭାବେ ଲେଖାଯାଇଛି Up to E20 ବା E20 କଂପାକ୍ଟବୁଲ୍। ଅର୍ଥାତ ଗାଡ଼ିଟି E20 ଇନ୍ଧନ ଉପଯୋଗୀ। ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଭାରତରେ ଇଥାନଲ ବେଣ୍ଡିଂ କାର୍ଯ୍ୟକ୍ରମ ଠିକ୍ ଢଙ୍ଗରେ ଚାଲିଛି । କିଛି ବ୍ୟକ୍ତି ସମ୍ପୂର୍ଣ୍ଣ ତଥ୍ୟ ନ ଜାଣି ଅଯଥା ଏହାକୁ ବିବାଦୀୟ କରୁଛନ୍ତି।
E20 ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ହୋଇଥାଏ। ସରକାରଙ୍କ ପକ୍ଷରୁ କୁହାଯାଇଛି, 20 ପ୍ରତିଶତ ଇଥାନଲ୍ ସହିତ E20 ଇନ୍ଧନର ବ୍ୟାପକ ବୈଜ୍ଞାନିକ ପରୀକ୍ଷଣ କରାଯାଇଛି। ଏହା ଯାନବାହନ ପାଇଁ ନିରାପଦ। ପୁରୁଣା ଗାଡ଼ିଗୁଡ଼ିକ ପାଇଁ ଏ ଇନ୍ଧନ ସୁରକ୍ଷିତ ବୋଲି କୁହାଯାଇଛି। ସେହିଭଳି E20 କାର୍ଯ୍ୟକ୍ରମ ହଠାତ୍ ଆରମ୍ଭ କରାଯାଇନାହିଁ; 2018 ଠାରୁ ପର୍ଯ୍ୟାୟକ୍ରମେ ବୈଜ୍ଞାନିକ ପରୀକ୍ଷା ଓ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା ପରେ ଲାଗୁ କରାଯାଇଛି। ସରକାର ଓ ଅଟୋ ଇଣ୍ଡଷ୍ଟ୍ରି ମଧ୍ୟ କହିଛନ୍ତି ଯେ, E20 ଯୋଗୁଁ ବ୍ୟାପକ ଇଞ୍ଜିନ୍ କ୍ଷତିର ପ୍ରମାଣ ନାହିଁ।
ବିଦେଶରୁ ତୈଳ ଆମଦାନୀ ଉପରୁ ଚାପ କମାଇବା ଏବଂ ବିକଳ୍ପ ଇନ୍ଧନ ପାଇଁ କେନ୍ଦ୍ର ସରକାର ଇଥାନଲ୍ ମିଶ୍ରିତ ଇନ୍ଧନ ଉପରେ ଅଧିକ ଜୋର୍ ଦେଉଛନ୍ତି। ତେବେ E20 ନୀତିକୁ କଂଗ୍ରେସ ସହିତ ଆପ୍ ଭଳି କିଛି ରାଜନୈତିକ ଦଳ ବିରୋଧ କରି ଆସୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।