Dharmendra Targets Naveen: ପଶ୍ଚିମ ଓଡ଼ିଶା ରାଜନୀତିରେ ଅତି ରୋଚକ ଦୃଶ୍ୟ, ନବୀନଙ୍କୁ ନିଶାନା କଲେ ଧର୍ମେନ୍ଦ୍ର ପ୍ରଧାନ

Aug 08, 2026 - 20:01
Dharmendra Targets Naveen: ପଶ୍ଚିମ ଓଡ଼ିଶା ରାଜନୀତିରେ ଅତି ରୋଚକ ଦୃଶ୍ୟ, ନବୀନଙ୍କୁ ନିଶାନା କଲେ ଧର୍ମେନ୍ଦ୍ର ପ୍ରଧାନ

ବିରୋଧୀ ଦଳ ଉପନେତାଙ୍କୁ ପାଖରେ ବସାଇଲେ। ଜନ୍ମ ଦିନ ଶୁଭେଚ୍ଛା ଜଣାଇ କେକ୍ ବି କାଟିଲେ। କିନ୍ତୁ ବିରୋଧୀ ଦଳ ନେତାଙ୍କୁ କଲେ ଟାର୍ଗେଟ୍। ଉପନେତା ଚୁପ୍, କାଉଣ୍ଟର ପାଇଁ ଶଙ୍ଖ ଭବନରେ ହେଲା ସାମ୍ବାଦିକ ସମ୍ମିଳନୀ। ନିଜ ସଂସଦୀୟ କ୍ଷେତ୍ରରେ ଆଜି ଏଭଳି ଅନ୍ଦାଜରେ ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର। ଖୋଲା ମଞ୍ଚରୁ ଦେଇଛନ୍ତି ଜବାବ। କିଛି ଦିନ ତଳେ ନବୀନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଥିଲେ। ଆଜି ସେହି ପ୍ରସଙ୍ଗରେ ଧର୍ମେନ୍ଦ୍ର ବୟାନ ରଖି ନବୀନଙ୍କୁ କରିଛନ୍ତି କଟାକ୍ଷ। 

ରେଢାଖୋଲ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମ ସଭାମଞ୍ଚରେ ଉପସ୍ଥିତ ଥିଲେ ସ୍ଥାନୀୟ ବିଜେଡି ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଆଉ ସଭା ମଞ୍ଚରେ ଧର୍ମେନ୍ଦ୍ର କିଛି ଏଭଳି ଢଙ୍ଗରେ ବୟାନ ରଖିଥିଲେ। ''୧୨ବର୍ଷ ହେବ ମହାପ୍ରଭୁଙ୍କ ଆଶୀର୍ବାଦରୁ କେନ୍ଦ୍ରରେ ମନ୍ତ୍ରୀ ରହିଲି। ଓଡ଼ିଆ ଲୋକଙ୍କ ମୁଣ୍ଡ କେବେ ତଳକୁ କରିଛି କି ? ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାନେତ୍ରୀ ଇପସିତା ସାହୁଙ୍କୁ ଇଙ୍ଗିତ କରି କହିଛନ୍ତି, ଦୁଇ ଛୋଟ ଭାଇ ଭଉଣୀଙ୍କୁ ନବୀନ ବାବୁ 'ଗୋ ବ୍ୟାକ୍' ନାରା ଦେବା କାମରେ ଲଗାଇଛନ୍ତି। ମୁଁ ଚଷା ଲୋକ, ଗୋ ବ୍ୟାକ୍ କହିଲେ ବି ଆସିବି। ଖାଲି ଏତିକି ନୁହେଁ, ରାଜନୈତିକ ପେଞ୍ଚ ମାରି କହିଛନ୍ତି, ନେତା ନବୀନ ସିନା ବିରୋଧ କରୁଛନ୍ତି, କିନ୍ତୁ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ଧର୍ମେନ୍ଦ୍ର ତମେ ଆସ ଆମେ ସ୍ୱାଗତ କରିବୁ, ମୁଁ ତାଙ୍କ ଅନୁମତି ନେଇ ଏଠିକି ଆସିଛି।'' ସେପଟେ ବିଜେଡି କାଉଣ୍ଟର କରି କହିଛି, ଧର୍ମେନ୍ଦ୍ର ପ୍ରଧାନ ନିଜକୁ ନିଜେ ବଦନାମ କରିଛନ୍ତି। 

ନିଟ୍ ପରୀକ୍ଷା ବାତିଲ ନେଇ ଜେନ୍ ଜିଙ୍କ ଆନ୍ଦୋଳନ ତେଜିବା ପରେ ନବୀନ ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ରାଜନୈତିକ ପାଣିପାଗ ମାପିବା ସହ ଧର୍ମେନ୍ଦ୍ରଙ୍କ ଉପରେ ଚାପ ବଢୁଥିବା ଦେଖି ତାଙ୍କ ଇସ୍ତଫା ଦାବି କରିଥିଲେ ନବୀନ। ଖାଲି ସେତିକି ନୁହେଁ ତହିଁ ପର ଦିନ ଭୁବନେଶ୍ବର ଫେରି ମଧ୍ୟ ସମାନ ଦାବି ଦୋହରାଇଥିଲେ। ତା ପରବର୍ତ୍ତୀ ପର୍ଯ୍ୟାୟରେ ଧର୍ମେନ୍ଦ୍ର ପଦ ଛାଡିଥିଲେ। ମାତ୍ର ଏବେ ଧର୍ମେନ୍ଦ୍ରଙ୍କୁ ଓଡ଼ିଶାରେ କ୍ରମାଗତ ଭାବେ ବିଜେଡି ବିରୋଧ ପ୍ରଦର୍ଶନ କରୁଛି। ତେବେ ତାକୁ କାଉଣ୍ଟର କରିବାକୁ ଧର୍ମେନ୍ଦ୍ର, ବିରୋଧୀ ଦଳ ଉପନେତାଙ୍କୁ ପାଖରେ ବସାଇ ନେତାଙ୍କୁ ଟାର୍ଗେଟ କଲେ କି? ନା ଏହା ପଛରେ ଆଉ କିଛି କାରଣ ରହିଛି ?

ଦୀର୍ଘ ଦିନର ନିରବତା ପରେ ଧର୍ମେନ୍ଦ୍ର, ନବୀନଙ୍କୁ କାଉଣ୍ଟର କରିଛନ୍ତି। ଚର୍ଚ୍ଚା ହେଉଛି ଆଗକୁ ପଶ୍ଚିମ ଓଡ଼ିଶାରେ ବିଜେପି-ବିଜେଡି ପଲିଟିକ୍ସ ରୋଚକ ମୋଡ଼ ନେଇପାରେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।