Raids Expose Food Horror: ମିଠାରେ ମିଶୁଥିଲା ହୋଲି ରଙ୍ଗ, କେକରେ ପଚା ଅଣ୍ଡା; ରେଡ୍ ବେଳେ ଚାଞ୍ଚଲ୍ୟକର ଖୁଲାସା

Sep 03, 2026 - 14:09
Raids Expose Food Horror: ମିଠାରେ ମିଶୁଥିଲା ହୋଲି ରଙ୍ଗ, କେକରେ ପଚା ଅଣ୍ଡା; ରେଡ୍ ବେଳେ ଚାଞ୍ଚଲ୍ୟକର ଖୁଲାସା

ମହାରାଷ୍ଟ୍ରରେ ତୁକାରାମ ମୁଣ୍ଡେ ଫୁଡ ଡିପାର୍ଟମେଣ୍ଟର କମିଶନର ଭାବେ ନିଯୁକ୍ତ ହେବା ପରେ ରେଷ୍ଟୁରାଣ୍ଟ, ହୋଟେଲ ଓ ଗୋଦାମରେ ଚଢାଉ ହେଉଥିବା ଖବର ଗଣମାଧ୍ୟମରେ ପ୍ରତିଦିନ ଦେଖିବାକୁ ମିଳିଛି। ଏହା ପରେ ଅନ୍ୟ ରାଜ୍ୟରେ ମଧ୍ୟ ଚଢାଉ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ‘ଖାଦ୍ୟ ସୁରକ୍ଷା ସପ୍ତାହ’ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ, ପୌରପାଳିକା ଏବଂ ପୁଲିସ ପକ୍ଷରୁ ମିଳିତ ଚଢାଉ ହୋଇଛି। ଏହି ଚଢାଉ ବେଳେ ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଜଳଖିଆ ଦୋକାନ, ମଲ୍ ଏବଂ ରେଷ୍ଟୁରାଣ୍ଟରୁ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି।

କୋଲକାତା ସମେତ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଏବଂ ମଲ୍‌ଗୁଡ଼ିକର ରୋଷେଇ ଘର ଓ ଫ୍ରିଜରୁ କିଲୋ କିଲୋ ପଚା, ଦୁର୍ଗନ୍ଧଯୁକ୍ତ ଏବଂ ଫିମ୍ପି ମାରିଥିବା ମଟନ, ଚିକେନ୍ ଓ ମାଛ ଜବତ କରାଯାଇଛି। ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମ ଏବଂ ବାଦୁଡ଼ିଆ ଅଞ୍ଚଳରେ ଥିବା ପ୍ରମୁଖ ରେଷ୍ଟୁରାଣ୍ଟରୁ ଏଭଳି ଅଖାଦ୍ୟ ସାମଗ୍ରୀ ମିଳିଛି। 
ଆରାମବାଗ ଏବଂ ହୁଗୁଳୀ ଅଞ୍ଚଳର କେତେକ ମିଠା ଦୋକାନରେ ଚଢ଼ଉ କରାଯିବା ପରେ ମିଠାରେ କ୍ଷତିକାରକ ରଙ୍ଗ ମିଶାଯାଉଥିବା ଜଣାପଡ଼ିଛି। ଦୋକାନୀମାନେ ମିଠାରେ ହୋଲି ରଙ୍ଗ ବ୍ୟବହାର କରୁଥିବା ଅଧିକାରୀମାନେ ପ୍ରମାଣ ସହ ଜବତ କରିଛନ୍ତି।

କେତେକ ବେକରୀ ଏବଂ ହୋଟେଲରେ ଅଟା ବସ୍ତା ଉପରେ ଅସରପା ଚାଲୁଥିବା ଏବଂ କେକ୍ ତିଆରିରେ ପଚା ଅଣ୍ଡା ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏହାଛଡ଼ା ଏକ୍ସପାୟାର୍ଡ ପନିର, ଆଇସକ୍ରିମ ଏବଂ କୋଲ୍ଡ ଡ୍ରିଙ୍କ୍ସ ମଧ୍ୟ ଜବତ କରି ନଷ୍ଟ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟରେ କୌଣସି ପ୍ରକାରର କଳାବଜାରୀ କିମ୍ବା ଅମାନିଆ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରାଯାଇଛି। ନିୟମ ଉଲ୍ଲଘଂନ କରିଥିବା ଅନେକ ପ୍ରତିଷ୍ଠାନର ଲାଇସେନ୍ସ ତକ୍କ୍ଷାଣାତ୍ ରଦ୍ଦ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।