Ram Lalla Donation Theft Case: ଚଳୁ କରିଦେଲେ ରାମଲଲାଙ୍କ ଟଙ୍କା, ଚୋରି ମାମଲାରେ ବନ୍ଧା ହେଲେ ୮ ଅଭିଯୁକ୍ତ

Jun 26, 2026 - 20:58
Ram Lalla Donation Theft Case: ଚଳୁ କରିଦେଲେ ରାମଲଲାଙ୍କ ଟଙ୍କା, ଚୋରି ମାମଲାରେ ବନ୍ଧା ହେଲେ ୮ ଅଭିଯୁକ୍ତ

କିଏ ନେଇଗଲା ରାମ ମନ୍ଦିରର ଦାନ ଟଙ୍କା?
ରାମଲାଲାଙ୍କ ଟଙ୍କାକୁ ଚଳୁ କରିଦେଲେ 
ଯିଏ ଜଗୁଆଳି ଥିଲା ସେ ହିଁ ବାହରିଲା ଚୋର 

କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ, ଶହ ଶହ ବର୍ଷର ସ୍ବପ୍ନର ମନ୍ଦିର...ଅଯୋଧ୍ୟାର ଶ୍ରୀରାମ ମନ୍ଦିରରୁ ହୋଇଛି ଚୋରି।...ଚୋରି କହିବା କମ୍ ପଡ଼ିଯିବ, ୟେ ଲୁଟ୍ ବି ନୁହେଁ ମହାପାପ। ସାରା ଦେଶକୁ ସ୍ତବ୍ଧ କରିଦେଇଛି ଏଇ ଘଟଣା। ଅଯୋଧ୍ୟାର ବିଶ୍ବପ୍ରସିଦ୍ଧ ଭବ୍ୟ ରାମ ମନ୍ଦିରର ଦାନ ଟଙ୍କା ଓ ସୁନା ରୁପା ଅଳଙ୍କାର ଚୋରି। ମାମଲାକୁ ନେଇ ଯାଞ୍ଚ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ର ରିପୋର୍ଟ ପରେ ବନ୍ଧା ହୋଇଛନ୍ତି ୮ ଅଭିଯୁକ୍ତ। ଆଉ ଏଇ ସମସ୍ତେ ଶ୍ରୀରାମ ମନ୍ଦିର ସହ ଜଡ଼ିତ। ଅନୁକଳ୍ପ ଓ ଲବକୁଶ ମିଶ୍ର। ଯିଏ ଦାନ ପାତ୍ରକୁ ଆସୁଥିବା କ୍ୟାସ୍ ଗଣତି ଦାୟିତ୍ବରେ ଥିଲେ। 

ସୁବାସ ଶ୍ରୀବାସ୍ତବ ଯିଏ  କ୍ୟାସ୍ କାଉଣ୍ଟିଂର ସୁପରଭାଇଜର୍। ଏମାନଙ୍କ ବ୍ୟତୀତ ରମାଶଙ୍କର ଓରଫ୍ ଟିନୁ ଯାଦବ, ରମାଶଙ୍କର ମିଶ୍ରା, କରୁଣେଶ ପାଣ୍ଡେ ପ୍ରମୁଖ। ଟିନୁ ହେଉଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ଅତି ଘନିଷ୍ଠ। ଏମାନଙ୍କ ଘରୁ ଯାଞ୍ଚ ବେଳେ ୨ କୋଟି ଟଙ୍କା କ୍ୟାସ୍ ବି ମିଳିଥିବା କୁହାଯାଉଛି। 

ବିବାଦ ଏତିକିରେ ଥମିନି, ରାଜନୀତି ଏତିକିରେ କମିନି। ସନ୍ଦେହ, ନିଶାନା ଏବେ ଜଣକ ଉପରେ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ। ବିବାଦ ବଢ଼ିବା ପରେ ଚମ୍ପତ ଓ ଟ୍ରଷ୍ଟି ଅନିଲ ମିଶ୍ରା ପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ତାଙ୍କ ଇସାରାରେ ଏସବୁ ହୋଇଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। ଆଜି ପ୍ରେସମିଟ୍ କରି ଦଳ ମୁଖିଆ ଅରବିନ୍ଦ କେଜରୀୱାଲ୍, ସଞ୍ଜୟ ସିଂ ଲଗାତାର ଭାବେ ଏଇ ଅଭିଯୋଗ କରିଛନ୍ତି। ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ତ ଗୁରୁତର ଅଭିଯୋଗ ଆଣିଛନ୍ତି। SIT ତଦନ୍ତରେ ସବୁ ପ୍ରମାଣକୁ ନଷ୍ଟ କରି ବଡ଼ ମୁଣ୍ଡକୁ ଖସାଇବାକୁ ଛୋଟ ମାଛକୁ ଗିରଫ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଆଉ ଏସବୁର ଗୋଟି ଗୋଟି ଜବାବ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୂର୍ବରୁ ଭଗବାନ ଶ୍ରୀରାମଙ୍କ ଅସ୍ତିତ୍ୱକୁ ପ୍ରଶ୍ନ କରୁଥିଲେ, ରାମ ଜନ୍ମଭୂମି ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ, ସେମାନେ ବର୍ତ୍ତମାନ ଲୋକଙ୍କ ଧାର୍ମିକ ଭାବନା ସହ ଖେଳିବାକୁ ଚେଷ୍ଟା କରୁଛନ୍ତି। ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଏବଂ ସତ ସାମ୍ନାକୁ ଆସିବ। 

ଗଲା ଦୁଇ ସପ୍ତାହ ଧରି ଶ୍ରୀରାମ ଜନ୍ମଭୂମିରେ ବଡ଼ ଧରଣର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଦାନର କୋଟି କୋଟି ଟଙ୍କା ହେରଫେର ସହ ଅନେକ ସୁନା ରୁପା ଅଳଙ୍କାର ଗାଏବ ହେବା ନେଇ ପ୍ରଧାନମନ୍ତ୍ରୀ ଅଫିସ୍ କୁ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଖୋଦ୍ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ କୁ ୧୫ ଦିନିଆ ଡେଡଲାଇନ୍ ଦେଇଥିଲେ। ୧୩ ଜୁନ୍ ରେ ତଦନ୍ତ ଆରମ୍ଭ କରି ୨୩ ଜୁନ୍ ରେ ରିପୋର୍ଟ ଦେଇଥିଲା SIT।...ହେଲେ ଏଠି ପ୍ରଶ୍ନ ଉଠୁଛି, ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଦିନ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରନ୍ତି। 

୨୦୨୪-୨୫ ବର୍ଷରେ ୧୫୩ କୋଟି ଟଙ୍କା ଦାନରେ ମିଳିଥିଲା। ଦୁଇଟି ସିଫ୍ଟରେ ଟଙ୍କା ଓ ଦାନ ସାମଗ୍ରୀ ଗଣନା କଡ଼ା ସୁରକ୍ଷାରେ ହୁଏ। ତଥାପି କେମିତି ଏତେ ବଡ଼ ଚୋରି ହୋଇପାରିଲା? 
ଶ୍ରୀରାମ ମନ୍ଦିର କେବଳ ମନ୍ଦିର ନୁହେଁ ଏହା କୋଟି କୋଟି ଭାରତୀୟଙ୍କ ହୃଦସ୍ପନ୍ଦନ। ବର୍ଷ ବର୍ଷର ଆସ୍ଥା ଓ ସଂଘର୍ଷର ପ୍ରତିଫଳନ। ଏଭଳି ଘଟଣା ଅନେକଙ୍କ ମନରେ ଦେଇଛି କଠୋର ଆଘାତ।.....

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।