Ramayana Big Update: ‘ରାମାୟଣ’ର ରିଲିଜ୍ ପ୍ଲାନ୍‌ରେ ବଡ଼ ପରିବର୍ତ୍ତନ! ନୂଆ ପ୍ଲାନ୍‌କୁ ନେଇ ଚର୍ଚ୍ଚା, ବଦଳିପାରେ ରିଲିଜ୍ ତାରିଖ

Sep 28, 2026 - 15:07
Ramayana Big Update: ‘ରାମାୟଣ’ର ରିଲିଜ୍ ପ୍ଲାନ୍‌ରେ ବଡ଼ ପରିବର୍ତ୍ତନ! ନୂଆ ପ୍ଲାନ୍‌କୁ ନେଇ ଚର୍ଚ୍ଚା, ବଦଳିପାରେ ରିଲିଜ୍ ତାରିଖ

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ ଏବେ ବଲିଉଡର ସବୁଠାରୁ ଚର୍ଚ୍ଚିତ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ। ଦୀପାବଳି ସମୟରେ ଫିଲ୍ମଟି ବଡ଼ ପରଦାକୁ ଆସିବାକୁ ଯାଉଥିବାବେଳେ ଏହାର ରିଲିଜ୍ ପ୍ଲାନ୍‌କୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ବିଶ୍ୱବ୍ୟାପୀ ଏକାସାଙ୍ଗେ ରିଲିଜ୍‌ର ଯୋଜନା

ମିଡିଆ ରିପୋର୍ଟ ଅନୁସାରେ, ‘ରାମାୟଣ’କୁ ଭାରତ ଓ ଓଭରସିଜ୍ ବଜାରରେ ଅଲଗା ତାରିଖରେ ରିଲିଜ୍ କରିବା ପରିବର୍ତ୍ତେ ଏକାସାଙ୍ଗେ ବିଶ୍ୱବ୍ୟାପୀ ରିଲିଜ୍ କରିବା ନେଇ ବିଚାର ଚାଲିଛି। ଟିମ୍‌ର ଯୋଜନା ଅନୁସାରେ ନଭେମ୍ବର ପ୍ରଥମ ସପ୍ତାହରେ ଫିଲ୍ମକୁ ଏକାସାଙ୍ଗେ ଥିଏଟରକୁ ଆଣିବାକୁ ପ୍ରସ୍ତୁତି ହେଉଥିବା କୁହାଯାଉଛି।

ତେବେ ନୂଆ ରିଲିଜ୍ ତାରିଖ ସମ୍ପର୍କରେ ନିର୍ମାତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନୂଆ ଅଫିସିଆଲ୍ ଘୋଷଣା ହୋଇନାହିଁ। ଏହାରି ଭିତରେ କିନ୍ତୁ ବିଶେଷ ସୂତ୍ରରୁ ଜଣାପଡିଛି ଯେ ନଭେମ୍ବର ୫, ଗୁରୁବାର ରିଲିଜ୍ ହୋଇପାରେ।

ଦୀପାବଳି ପୂର୍ବରୁ ରିଲିଜ୍ ହେଲେ ମିଳିପାରେ ବଡ଼ ଫାଇଦା

ଫିଲ୍ମକୁ ଦୀପାବଳି ପୂର୍ବରୁ ରିଲିଜ୍ କରାଗଲେ ଲମ୍ବା ଛୁଟି, ୱିକେଣ୍ଡ ଏବଂ ପର୍ବପର୍ବାଣୀର ଫାଇଦା ମିଳିପାରେ। ସାଧାରଣତଃ ଦୀପାବଳି ଦିନ ପୂଜାପାଠ ଓ ପରିବାରିକ କାର୍ଯ୍ୟକ୍ରମ ଯୋଗୁଁ ସିନେମା ହଲ୍‌ରେ ଦର୍ଶକଙ୍କ ଉପସ୍ଥିତି ପ୍ରଭାବିତ ହୋଇଥାଏ। ତେଣୁ ତା’ ପୂର୍ବରୁ ଫିଲ୍ମ ଆସିଲେ ଓପନିଂ ୱିକେଣ୍ଡରେ ଭଲ ବ୍ୟବସାୟର ସୁଯୋଗ ସୃଷ୍ଟି ହୋଇପାରେ।

ବଡ଼ ଷ୍ଟାରକାଷ୍ଟ, ବଡ଼ ବଜେଟ୍

‘ରାମାୟଣ’ରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ। ସାଇ ପଲ୍ଲବୀ ମାତା ସୀତାଙ୍କ ଚରିତ୍ରରେ ଥିବାବେଳେ ରବି ଦୁବେ ଲକ୍ଷ୍ମଣ ଏବଂ ୟଶ ରାବଣଙ୍କ ଭୂମିକାରେ ନଜର ଆସିବେ। ସନ୍ନି ଦେଓଲ ହନୁମାନଙ୍କ ଚରିତ୍ରରେ ଦେଖାଯିବେ। ଏହାଛଡ଼ା ଅରୁଣ ଗୋଭିଲ ଓ ଲାରା ଦତ୍ତାଙ୍କ ସମେତ ଅନେକ ଜଣାଶୁଣା କଳାକାର ଫିଲ୍ମରେ ଅଭିନୟ କରୁଛନ୍ତି।

ନମିତ ମଲହୋତ୍ରାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ମେଗା ପ୍ରୋଜେକ୍ଟକୁ ଦୁଇଟି ଭାଗରେ ନିର୍ମାଣ କରାଯାଉଛି। ପ୍ରଥମ ଭାଗ ୨୦୨୬ରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳି ସମୟରେ ରିଲିଜ୍ କରିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା।

ଏବେ ସମସ୍ତଙ୍କ ନଜର ନିର୍ମାତାଙ୍କ ଅଫିସିଆଲ୍ ଘୋଷଣା ଉପରେ। ‘ରାମାୟଣ’ର ଫାଇନାଲ୍ ରିଲିଜ୍ ଡେଟ୍‌କୁ ନେଇ ମେକର୍ସ କେବେ ସସ୍ପେନ୍ସ ଦୂର କରୁଛନ୍ତି, ତାହାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସୁକତା ଆହୁରି ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।