Rash Driving Becomes a Growing Concern: ସପ୍ତାହକ ଭିତରେ ୪ଟି ଭୟଙ୍କର ଦୁର୍ଘଟଣା, ବେପରୁଆ ଡ୍ରାଇଭିଂକୁ ନେଇ ବଢିଲାଣି ଚିନ୍ତା

Oct 14, 2026 - 20:31
Rash Driving Becomes a Growing Concern: ସପ୍ତାହକ ଭିତରେ ୪ଟି ଭୟଙ୍କର ଦୁର୍ଘଟଣା, ବେପରୁଆ ଡ୍ରାଇଭିଂକୁ ନେଇ ବଢିଲାଣି ଚିନ୍ତା

ରାଜଧାନୀରେ ରାତି ହେଲେ ଛାତି ଥରୁଛି । ରାସ୍ତାରେ ଯିବାକୁ ଡ଼ର ଲାଗୁଛି ! ବଢୁଛି ହିଟ୍ ଆଣ୍ଡ ରନ୍ କେସ୍ । ଗଡୁଛି ମୁଣ୍ଡ, ରାସ୍ତାରେ ଶସ୍ତା ଜୀବନ।

ଗତ ସପ୍ତାହକ ଭିତରେ ଏମିତି ଏକାଧିକ ଘଟଣା ଖୋଲିଦେଇଛି ବେପରୁଆ ଡ୍ରାଇଭିଂର ଭୟଙ୍କର ଚିତ୍ର। ସୋମବାର ସକାଳ। ବଡ଼ଗଡ଼ ଥାନା କେଶୁରା ନିକଟରେ ଏକ କାର୍ ଖେଳାଇଥିଲା ଆତଙ୍କ। ଡ୍ରାଇଭର୍ ସିଟରେ ବସିଥିବା ସୌମ୍ୟରଞ୍ଜନ ରଥ ଏକାଧିକ ଲୋକଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ। ମଙ୍ଗଳବାର ରାତିରେ ଘଟିଛି ଦୁଇଟି ଘଟଣା । ଗୋଟିଏ ମୈତ୍ରୀବିହାର ଥାନା ସାଲିଆସାହି ୨୦୦ ଫୁଟିଆ ରାସ୍ତାର। ଅନ୍ୟଟି ଭରତପୁର ଥାନା ଅଞ୍ଚଳର ସମ୍ ହସ୍ପିଟାଲ୍ ରୋଡ୍।

ସାଲିଆସାହି ପାଖ ରାସ୍ତା ପାର୍ ହେଉଥିବା ଜଣେ ଲୋକଙ୍କୁ ପ୍ରଥମେ ଦ୍ରୁତଗାମୀ ବାଇକ୍...ତା'ପରେ ପଛରୁ ପିଟିଲା କାର୍। ସ୍ଥାନୀୟ ଅଞ୍ଚଳରେ ନିଆଁ ଜଳିଲା, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ। ସମ୍ ହସ୍ପିଟାଲ ପାଖରେ ଦୃଶ୍ୟ ଥିଲା ଆହୁରି ଭୟଙ୍କର। ଏକ କଳା ରଙ୍ଗର କାର୍ ଘଟାଇଥିଲା ସିରିଜ୍ ଦୁର୍ଘଟଣା। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଥିଲେ ଆଉ ଚାରି ଜଣ। ବେପରୁଆ ଗାଡ଼ି ଚଳାଉଥିବା ଡ୍ରାଇଭରକୁ ଧରି ସ୍ଥାନୀୟ ଲୋକ ଉତ୍ତମ ମଧ୍ୟମ ଦେଇଥିଲେ। ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ରାଜଧାନୀରେ ପ୍ରତ୍ୟେକ ଦିନ ଏମିତି ଘଟଣା ଦେଖି ଲୋକେ ଭୟଭୀତ। 

ଲଗାତାର ଦୁର୍ଘଟଣା, ବଢୁଥିବା ଜନଅସନ୍ତୋଷ...ଆଉ ସାଧାରଣ ଲୋକଙ୍କ ମନରେ ବଢୁଥିବା ଭୟ। ଏସବୁ ଭିତରେ ଫୁଲ୍ ଆକ୍ସନ୍ ମୋଡକୁ ଆସିଛି କମିଶନରେଟ୍ ପୋଲିସ। ବେପରୁଆ ଚାଳକଙ୍କ ଉପରେ ପଡ଼ିବ ପ୍ରହାର। ଭୁବନେଶ୍ୱର ଡିସିପି ଚେତେଇ ଦେଇଛନ୍ତି, ମଦ ପିଇ ଗାଡ଼ି ଚଳାଇଲେ ବନ୍ଧା ହେବେ। ଡ୍ରଙ୍କ ଏଣ୍ଡ ଡ୍ରାଇଭରେ ଧରାପଡ଼ିଲେ ମିଳିବନି ଚରିତ୍ର ପ୍ରମାଣପତ୍ର। ମଦ୍ୟପ ଚାଳକଙ୍କ ଉପରେ କଡ଼ା ନଜର ରହିଛି। ରାସ୍ତାରେ ଜୋରଦାର ହେଉଛି ଚେକିଂ। ସମସ୍ତ ଘଟଣାରେ ଚାଳକଙ୍କୁ ଗିରଫ କରି କଡ଼ା ଦଫା ଲଗାଇ କୋର୍ଟ ଚାଲାଣ କରାଯାଇଛି। 

ରାଜଧାନୀରେ କାହିଁକି ରାତିରେ ବଢୁଛି ଦୁର୍ଘଟଣା। ଏହାର ପ୍ରମୁଖ କାରଣ ମଦ୍ୟପାନ କରି ବେପରୁଆ ଡ୍ରାଇଭିଂ। ରାତିରେ ବାର୍, ପବ୍ ଓ ରେଷ୍ଟରାଣ୍ଟରୁ ମଦ ପିଇ ଫେରିବା ବେଳେ ଗାଡ଼ି ନିୟନ୍ତ୍ରଣ କରି ପାରୁନାହାନ୍ତି। ସେହିପରି ଖାଲି ରାସ୍ତା ଦେଖି ସ୍ପିଡ୍ ଡ୍ରାଇଭ ଆଉ ଏକ କାରଣ। ରାତି ୧୦ଟା ପରେ ରାଜଧାନୀର ମୁଖ୍ୟ ରାସ୍ତାଗୁଡ଼ିକ ଫାଙ୍କା ହୋଇଯାଏ। ଗାଡ଼ି ଚାଳକ ରାସ୍ତାକୁ ରେସିଂ ଟ୍ରାକ୍ ଭାବି ନିର୍ଦ୍ଧାରିତଠାରୁ ଅଧିକ ସ୍ପିଡରେ ଗାଡ଼ି ଚଲାନ୍ତି। ସେହିପରି ବିଭିନ୍ନ ସମୟରେ ରଙ୍ଗ ସାଇଡ୍ ଡ୍ରାଇଭିଂ, ଲୋ ଭିଜିବିଲିଟି ପାଇଁ ବି ଏକାଧିକ ଦୁର୍ଘଟଣା ଘଟୁଛି। ତେବେ ସମସ୍ତେ ମନେ ରଖିବା ଦରକାର, ମଦର ନିଶା କିଛି ଘଣ୍ଟାର। କିନ୍ତୁ ତା’ର ପରିଣାମ କାହା ପାଇଁ ସାରା ଜୀବନର ଯନ୍ତ୍ରଣା, ତ ଆଉ କାହା ପାଇଁ ଚିରଦିନର ଅନ୍ଧକାର। ... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।