Utkal University in Turmoil: ଭୋଟ୍ ଆଗରୁ କ୍ୟାମ୍ପସରେ ଭୟଙ୍କର ହିଂସା, ହୁଲସ୍ତୁଲ୍ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାଂପସ୍
ନେତୃତ୍ବ ନା ଗୁଣ୍ଡାଗର୍ଦ୍ଦି ? ଶିକ୍ଷାନୁଷ୍ଠାନ ନା ରଣକ୍ଷେତ୍ର ? ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ଆଉ ତାହାରି ଭିତରେ ପ୍ରତିଶୋଧର ପଲିଟିକ୍ସ। ଯିଏ ଯେମିତି ପାରିଲା ଭାଙ୍ଗିଲା, ଫିଙ୍ଗିଲା। ହାତରେ ଯିଏ ଯାହା ପାଇଲା ଛିନଛତ୍ର କଲା। ଛାତ୍ର ସଂସଦ ନିର୍ବାଚନରେ ଭୋଟର ଲଢ଼େଇ ଭିତରେ ହିଂସାର ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ଛାତି ଉପରେ ଥିବା ସମ୍ଭ୍ରାନ୍ତ ବିଶ୍ବବିଦ୍ୟାଳୟରେ । ଉତ୍କଳ ୟୁନିଭର୍ସିଟିର ଅରାଜକତାର ଦୃଶ୍ୟ। ହ୍ବାଇ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ ପୂର୍ବରୁ ଉଡ଼ିଲା ଚୌକି, କାହାର ଓଠ ଖଣ୍ଡିଆ ହେଲା ତ ଆଉ କାହାର ଗୋଡ଼ ହାତ। ବିଶ୍ବବିଦ୍ୟାଳୟ କନଭୋକେସନ୍ ହଲରେ ମୁହାଁମୁହିଁ ହୋଇଥିଲେ ABVP ଓ BCJD କର୍ମୀ।
ସାମାନ୍ୟ ବଚସାରୁ ୨ ଗୋଷ୍ଠୀଙ୍କ ସଂଘର୍ଷରେ ରଣକ୍ଷେତ୍ର ପାଲଟିଯାଇଥିଲା ପୁରା ଅଡ଼ିଟୋରିୟମ୍। ଶେଷରେ ପୋଲିସ ଫୋର୍ସ ଧରି ପହଞ୍ଚିଥିଲେ ଡିସିପି ସର୍ବଣା ବିବେକ ଏମ୍। ଆଉ ଷ୍ଟେଜ୍ ଉପରକୁ ଚଢ଼ି ଅଣଛାତ୍ରଙ୍କୁ ହଲ୍ ଭିତରୁ ୧୦ ମିନିଟ୍ ଭିତରେ ବାହାରି ଯିବାକୁ ମାଇକରେ ଚେତାବନୀ ଶୁଣାଇଥିଲେୃ, କିଛି ସମୟ ଭିତରେ ନିଜେ ପୋଲିସ କମିସନର ବି ପହଞ୍ଚି ପିଲାଙ୍କୁ ଆଶ୍ବାସନା ଦେଇଥିଲେ। ଶେଷରେ ୩ ଘଣ୍ଟାର କସରତ ପରେ ଶାନ୍ତ ପଡ଼ିଥିଲା କ୍ୟାମ୍ପସ। ପ୍ରାୟ ସାଢ଼େ ଗୋଟାଏରେ ଆରମ୍ଭ ହୋଇଥିଲା ହ୍ବାଇ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ।
ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପରଠୁ ହିଁ କୁହୁଳୁଥିଲା ଛାତ୍ର ଅସନ୍ତୋଷର ନିଆଁ। ରାଜନୈତିକ ଦଳ ଗୁଡ଼ିକର ହସ୍ତକ୍ଷେପ ଯୋଗୁ ବିଭିନ୍ନ କ୍ୟାଂପସରେ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଥିଲେ ଛାତ୍ର ଗୋଷ୍ଠୀ। ରମାଦେବୀ ବିଶ୍ବବିଦ୍ୟାଳୟରେ ବି ଦେଖା ଦେଇଥିଲା ଉତ୍ତେଜନା । ଗତକାଲି ମୁହାଁମୁହିଁ ହୋଇଥିଲେ ABVP ଓ BCJD ସମର୍ଥିତ ଛାତ୍ରୀ ଗୋଷ୍ଠୀ। ବାଲଟ୍ ପେପର୍ ନମ୍ବର ବଦଳ ନେଇ BCJDର ଅଭିଯୋଗକୁ ନେଇ ଦେଖାଦେଇଥିଲା ଉତ୍ତେଜନା। ଆଜି କିନ୍ତୁ ସୁରୁଖୁରୁରେ ସରିଥିଲା ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ।
ଅପରପକ୍ଷେ ବାରିପଦାରେ ଉପୁଜିଥିଲା ଅଭାବନୀୟ ସ୍ଥିତି। ବାରିପଦା ଉପକଣ୍ଠ ବାଇଗଣ ବାଡ଼ିଆ ସ୍ଥିତ ବାବା ବଳିଆ କଲେଜ ସମ୍ମୁଖରେ ବାଡ଼ିଆପିଟା, ପାଟିତୁଣ୍ଡ, ହୋହଲ୍ଲା। ଯାହାକୁ ଦେଖି ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂକୁ ଯିବା ପୂର୍ବରୁ ମୁର୍ଚ୍ଛା ହୋଇଗଲେ ଜଣେ ସଭାପତି ପ୍ରାର୍ଥିନୀ। ଶେଷରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ସଂପୃକ୍ତ ପ୍ରାର୍ଥିନୀ କହିଛନ୍ତି, ନିର୍ବାଚନରୁ ନଓହରିଲେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି।
ଭୁବନେଶ୍ବର କି ବାରିପଦା ନୁହଁ, ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ସମୟରେ ରାଜ୍ୟବ୍ୟାପି ଦେଖାଦେଇଥିଲା ଛାତ୍ର ଉତ୍ତେଜନା। ବଲାଙ୍ଗିର ସର୍କିଟ ହାଉସରେ ABVP ଓ ବିଜେଡି ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳ ଥାନା ଯାଏଁ ପହଞ୍ଚିଥିଲା। ବଲାଙ୍ଗିର ପୋଲିସ ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ହୋତା ଓ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ ନନ୍ଦଙ୍କୁ ଅଟକ ରଖିଥିଲା। ସେପଟେ ଢେଙ୍କାନାଳ ଓଡ଼ାପଡ଼ା କଲେଜରେ ସଭାପତି ପ୍ରାର୍ଥୀ ଟୁନା ରାଉତଙ୍କ ନିଖୋଜ ଅଭିଯୋଗ ପରେ ଦେଖାଦେଇଥିଲା ଉତ୍ତେଜନା। ଶେଷରେ କଲେଜକୁ ସାଇନ-ଏ-ଡାଏ ଘୋଷଣା କରିଥିଲେ ପ୍ରିନସିପାଲ୍।
ସେହିପରି ଉଦଳା କଲେଜ, ନୂଆପଡ଼ା ନ୍ୟାସନାଲ୍ କଲେଜ, କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟ ପରିସରରେ ବି ଟେନସନ୍ ଦେଖାଦେଇଥିଲା। ଏଭଳି ଛାତ୍ର ଅଶାନ୍ତି ଭିତରେ ଏବେ ଅପେକ୍ଷା ଆସନ୍ତାକାଲିର ମତଦାନକୁ। ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।