03 SEPTEMBER 2026

Welcome!

Unlock your personalized experience.
Sign Up

Ravenshaw university: ଧାରଣାରେ ବସିଲେ ରେଭେନ୍ସା ଅଧ୍ୟାପକ: ଆଲୋଚନା ନ ହେବା ଯାଏଁ ଜାରି ରହିବ ଆନ୍ଦୋଳନ

Aug 29, 2026 - 05:50
Ravenshaw university: ଧାରଣାରେ ବସିଲେ ରେଭେନ୍ସା ଅଧ୍ୟାପକ: ଆଲୋଚନା ନ ହେବା ଯାଏଁ ଜାରି ରହିବ ଆନ୍ଦୋଳନ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା)ର ୮୦ରୁ ଅଧିକ ସଦସ୍ୟ ଆଜି ସମୂହ ଛୁଟିରେ ଯିବା ସହ କଳାବ୍ୟାଜ୍‌ ପିନ୍ଧି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ରେଭେନ୍ସା କୁଳପତି ଯେ ପର୍ଯ୍ୟନ୍ତ ରୁଟାର ଦାବି ଓ ଆବେଦନ ଉପରେ ଆଲୋଚନା କରିବାକୁ ନ ଆସିଛନ୍ତି ସେପର୍ଯ୍ୟନ୍ତ ସଂଘର ସଦସ୍ୟ କଳାବ୍ୟାଜ୍‌ ପିନ୍ଧି ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରଖିବେ ବୋଲି ରୁଟା ପକ୍ଷରୁ କୁହାଯାଇଛି। ରେଭେନ୍ସାର ଆଭ୍ୟନ୍ତରୀଣ ମାମଲାରେ ବାହ୍ୟ ହସ୍ତକ୍ଷେପକୁ ରୋକିବା, ହଷ୍ଟେଲ ପରିଚାଳନା ପାଇଁ ଗଠନ ହୋଇଥିବା ନୂଆ କମିଟି ବଦଳରେ ପୁରୁଣା କମିଟିକୁ ଦାୟିତ୍ବ ଦେବା ପାଇଁ ରୁଟାର ଦାବିକୁ କର୍ତ୍ତୃପକ୍ଷ ଅଗ୍ରାହ୍ୟ କରିଛନ୍ତି। ଏ ନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ଗତ ୧୨ ଦିନ ଧରି କୁଳପତିଙ୍କୁ ଚିଠି କରି ରୁଟା ସମୟ ମାଗିଥିଲା। ହେଲେ ସମୟ ନ ମିଳିବା ଘଟଣାକୁ ବିରୋଧ କରି ଆଜି ସକାଳ ୧୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରେଭେନ୍ସାର ୮୦ରୁ ଅଧିକ ଅଧ୍ୟାପକ, ଅଧ୍ୟାପିକା ଧାରଣା ଦେଇଥିବାବେଳେ ସେମାନଙ୍କୁ ସାକ୍ଷାତ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆସିନଥିଲେ। ‌ଫଳରେ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

Poetry session: ସମ୍ବାଦ ସାହିତ୍ୟଘର ପକ୍ଷରୁ ମନୋଜ୍ଞ ମଞ୍ଜୁଳ କବିତା ଆସର

ରୁଟା ପକ୍ଷରୁ କୁହାଯାଇଛି ଯେ ରେଭେନ୍ସା କର୍ତ୍ତୃପକ୍ଷ ବାହ୍ୟ ଶକ୍ତିର ଚାପରେ ବିଶ୍ବବିଦ୍ୟାଳୟ ହଷ୍ଟେଲ ପରିଚାଳନା ପାଇଁ ଏକ ନୂଆ କମିଟି ଗଠନ କଲେ। ମାତ୍ର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମ୍ମାନର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ କି ମୁହଁ ଖୋଲିଲେ ନାହିଁ। ବିଶ୍ବବିଦ୍ୟାଳୟର ଚିଫ୍‌ ୱାର୍ଡେନଙ୍କୁ ସଦର ବିଧାୟକ ଅପମାନିତ କଲେ। ଏହାକୁ ରେଭେନ୍ସା କର୍ତ୍ତୃପକ୍ଷ ବିରୋଧ କରିବା ବଦଳରେ ଚିଫ୍‌ ୱାର୍ଡେନଙ୍କୁ ବଦଳାଇ ହଷ୍ଟେଲ ପରିଚାଳନା ପାଇଁ ନୂଆ କମିଟି ଗଠନ କରିବା ନ୍ୟାୟସଙ୍ଗତ ନୁହେଁ ବୋଲି ରୁଟା ଅଭିଯୋଗ କରିଛି। ଏସବୁ ପ୍ରସଙ୍ଗରେ କୁଳପତିଙ୍କ ସହ ଆଲୋଚନା କରିବାକୁ ସମୟ ମଗାଯାଇଥିବା ବେଳେ ରୁଟାର ସଦସ୍ୟଙ୍କୁ କୁଳପତି ସମୟ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। 

Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ

ରୁଟାର ସଦସ୍ୟ ପ୍ରଫେସର ନେତାଜୀ ଅଭିନନ୍ଦନ କହିଛନ୍ତି ଯେ ସମାଜରେ ଶିକ୍ଷକଙ୍କ ମର୍ଯ୍ୟାଦା ରହିଛି। ରେଭେନ୍ସାର ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ବିଧାୟକ ଦୁର୍ବ୍ୟବହାର ଓ ଅପମାନ କରିବାକୁ ଆମେ ଗ୍ରହଣ କରିବୁ ନାହିଁ। ରେଭେନ୍ସା ପରିସରରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମ୍ମାନର ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ଯେ ପର୍ଯ୍ୟନ୍ତ ଉଦ୍ୟମ କରିବେ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି। ଅନ୍ୟପଟେ ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା)ର ଏହି ଆନ୍ଦୋଳନରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ପରିଷଦର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଏହାର ସଦସ୍ୟ ପ୍ରଫେସର ବିକ୍ରମ କେଶରୀ ମିଶ୍ର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।