RBI Tightens Loan Recovery Rules: ଲୋନ୍ ଆଦାୟରେ ଚାଲିବନି ବ୍ୟାଙ୍କ ମନମାନି, ଏଣିକି ଘରକୁ ଆସିପାରିବେନି ଏଜେଣ୍ଟ!
ଲୋନ୍ର ଗୋଟିଏ EMI କିଛି ଦିନ ବିଳମ୍ବ ହେଲା। ଆଉ ତା'ପରେ ଆରମ୍ଭ ହେଇଯାଉଛି ଅଜଣା ନମ୍ବରରୁ ଫୋନ୍। ପ୍ରଥମେ ଆପଣଙ୍କୁ, ପରେ ପରିବାର ଲୋକଙ୍କୁ, ଏପରିକି ଅଫିସ୍ର ସହକର୍ମୀଙ୍କୁ ମଧ୍ୟ ଫୋନ୍। କେବେ କେବେ ପରିଚୟ ନଦେଇ ଘରେ ପହଞ୍ଚି ଧମକ ଦେବାର ଅଭିଯୋଗ ମଧ୍ୟ ଆସିଛି। ଏଭଳି ଲୋନ୍ ରିକଭରିରେ ହଇରାଣ ହେଉଥିବା ଋଣଗ୍ରାହକଙ୍କ ପାଇଁ ଏବେ ବଡ଼ ରିଲିଫ୍। ରିକଭରି ଏଜେଣ୍ଟଙ୍କ ମନମାନି ଉପରେ ଲଗାମ ଲଗାଇଛି RBI।
ଲୋନ୍ ଆଦାୟ କରିବା ବ୍ୟାଙ୍କର ଅଧିକାର। କିନ୍ତୁ ଋଣ ଆଦାୟ ନାଁରେ ଗ୍ରାହକଙ୍କୁ ଅପମାନ, ଧମକ କିମ୍ବା ମାନସିକ ନିର୍ଯାତନା ଦିଆଯାଇପାରିବ ନାହିଁ। ରିକଭରି ଏଜେଣ୍ଟ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ଆଚରଣକୁ ନେଇ RBI ଜାରି କରିଛି ନୂଆ ନିର୍ଦ୍ଦେଶାବଳୀ। ଏହି ନିୟମ ୨୦୨୭ ଜାନୁଆରୀ ୧ରୁ ଲାଗୁ ହେବ। ଘର କିମ୍ବା ଅଫିସ୍କୁ ଯିବା ପୂର୍ବରୁ ଅତି କମ୍ରେ ଗୋଟିଏ ଦିନ ଆଗରୁ ଜଣାଇବାକୁ ହେବ। ଏଜେଣ୍ଟଙ୍କ ପାଖରେ ପରିଚୟପତ୍ର ଓ ବ୍ୟାଙ୍କର ଅନୁମତିପତ୍ର ରହିବା ମଧ୍ୟ ବାଧ୍ୟତାମୂଳକ।
ସବୁଠାରୁ ବଡ଼ କଥା ହେଉଛି, ରିକଭରି କାମ ଏଜେନ୍ସିକୁ ଦେଇଦେଲେ ବି ବ୍ୟାଙ୍କ ନିଜ ଦାୟିତ୍ୱରୁ ମୁକ୍ତ ହେବ ନାହିଁ। ପ୍ରତ୍ୟେକ ରିକଭରି କଲ୍ର ରେକର୍ଡ ରଖିବାକୁ ହେବ ଏବଂ ଏହାକୁ ଅତି କମ୍ରେ ୬ ମାସ ସଂରକ୍ଷଣ କରିବାକୁ ପଡ଼ିବ। ନିୟମ ଭାଙ୍ଗି ଋଣଗ୍ରାହକଙ୍କ କ୍ଷତି ହେଲେ କ୍ଷତିପୂରଣ ପାଇଁ ମଧ୍ୟ ବ୍ୟାଙ୍କକୁ ବ୍ୟବସ୍ଥା ରଖିବାକୁ ହେବ।
ବ୍ୟାଙ୍କର ରିକଭରି ଟାର୍ଗେଟ୍ କିମ୍ବା ଇନ୍ସେଣ୍ଟିଭ୍ ବ୍ୟବସ୍ଥା ଏପରି ହୋଇପାରିବ ନାହିଁ, ଯାହା ଏଜେଣ୍ଟଙ୍କୁ ଧମକ କିମ୍ବା ହଇରାଣ କରି ଟଙ୍କା ଆଦାୟ କରିବାକୁ ଉତ୍ସାହିତ କରେ। ରିକଭରି ଏଜେଣ୍ଟଙ୍କୁ ଆବଶ୍ୟକତାଠାରୁ ଅଧିକ ବ୍ୟକ୍ତିଗତ ତଥ୍ୟ ଦିଆଯାଇପାରିବ ନାହିଁ। ତଥ୍ୟର ଅପବ୍ୟବହାର ରୋକିବାକୁ ବ୍ୟାଙ୍କକୁ ନିର୍ଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥା କରିବାକୁ ହେବ। ରିକଭରି ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ଯୋଗୁଁ ଋଣଗ୍ରାହକ କିମ୍ବା ଗ୍ୟାରେଣ୍ଟରଙ୍କ କ୍ଷତି ହେଲେ, ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ବ୍ୟାଙ୍କର ନୀତି ରହିବା ଆବଶ୍ୟକ। ଯଦିଓ RBI ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଟଙ୍କା ରାଶି ଧାର୍ଯ୍ୟ କରିନାହିଁ।
ପ୍ରତ୍ୟେକ ବ୍ୟାଙ୍କକୁ ରିକଭରି ସମ୍ପର୍କିତ ଅଭିଯୋଗ ପାଇଁ ସ୍ୱତନ୍ତ୍ର ଗ୍ରିଭାନ୍ସ ରେଡ୍ରେସାଲ୍ ବ୍ୟବସ୍ଥା କରିବାକୁ ହେବ। ଲୋନ୍ ଏଗ୍ରିମେଣ୍ଟ ଏବଂ ରିକଭରି ସମ୍ପର୍କିତ ଯୋଗାଯୋଗରେ ଅଭିଯୋଗ ଅଧିକାରୀଙ୍କ ନାମ, ଇ-ମେଲ୍, ଫୋନ୍ ନମ୍ବର ଏବଂ ଅଫିସ୍ ଠିକଣା ଦେବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।