Reel-Making Dispute in Delhi: ରିଲ୍ସ ତିଆରି ହେଲା କାଳ: ୧୭ ବର୍ଷୀୟ ନାବାଳକଙ୍କୁ ଛୁରୀ ଭୁସି ହତ୍ୟା
ରିଲ୍ସ ତିଆରିକୁ ନେଇ ଆରମ୍ଭ ହୋଇଥିବା ସାମାନ୍ୟ ବିବାଦ ନେଇଗଲା ଜଣେ ୧୭ ବର୍ଷୀୟ କିଶୋରଙ୍କ ଜୀବନ। ଦିଲ୍ଲୀର ନାଙ୍ଗଲୋଇ-ମଙ୍ଗୋଲପୁରୀ ରେଳ ଷ୍ଟେସନ ମଧ୍ୟରେ ରେଳ ଧାରଣା ନିକଟରେ ରିଲ୍ସ ତିଆରି କରୁଥିବା ବେଳେ ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଗୁରୁତର ଆହତ କିଶୋରଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ଘଟଣାର ମାତ୍ର ୮ ଘଣ୍ଟା ମଧ୍ୟରେ ୩ ଜଣ ନାବାଳକଙ୍କୁ ଧରିଛି ପୋଲିସ।
ରିଲ୍ସରୁ ବିବାଦ, ତା’ପରେ ଛୁରୀମାଡ଼
ଅଗଷ୍ଟ ୨୦ ତାରିଖ ସନ୍ଧ୍ୟାରେ କିଶୋର ଜଣକ ନିଜ ସାଙ୍ଗମାନଙ୍କ ସହ ରେଳ ଧାରଣା ନିକଟରେ ରିଲ୍ସ ତିଆରି କରୁଥିଲେ। ଏହି ସମୟରେ ୩ ଜଣଙ୍କ ସହ ରିଲ୍ସ ତିଆରିକୁ ନେଇ ତାଙ୍କର ବଚସା ହୋଇଥିଲା।
କଥା କଟାକଟି ବଢ଼ିବା ପରେ ଅଭିଯୁକ୍ତମାନେ କିଶୋରଙ୍କ ପେଟରେ ଛୁରୀରେ ଆକ୍ରମଣ କରିଥିବା ପୋଲିସ କହିଛି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ତୁରନ୍ତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସା ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚିପାରିନଥିଲା।
୮ ଘଣ୍ଟାରେ ପୋଲିସର ଆକ୍ସନ
ହତ୍ୟା ଘଟଣା ପରେ ରେଳୱେ ୟୁନିଟ୍ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। CCTV ଫୁଟେଜ୍, ଟେକ୍ନିକାଲ ସର୍ଭେଲାନ୍ସ ଓ ସ୍ଥାନୀୟ ସୂଚନା ଆଧାରରେ ଅଭିଯୁକ୍ତମାନଙ୍କ ପରିଚୟ ଠାବ କରାଯାଇଥିଲା।
ଘଟଣା ପରେ ତିନିଜଣ ନାଙ୍ଗଲୋଇ ରେଳ ଷ୍ଟେସନ ଦିଗକୁ ପଳାଇଥିଲେ। ପରେ ପୋଲିସ ମାମଲାରେ ୧୪, ୧୬ ଓ ୧୭ ବର୍ଷ ବୟସର ୩ ଜଣ ନାବାଳକଙ୍କୁ ଧରିଛି। ତିନିଜଣ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳର ବୋଲି ଜଣାପଡ଼ିଛି।
ଜବତ ହେଲା ଅନଲାଇନ୍ ଛୁରୀ
ତଦନ୍ତ ବେଳେ ଅଭିଯୁକ୍ତଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଛୁରୀ ଜବତ ହୋଇଛି। ପୋଲିସ ଅନୁସାରେ, ଛୁରୀଟି ଅନଲାଇନ୍ରେ କିଣାଯାଇଥିଲା। ଏହା ସହ ଘଟଣା ସମୟରେ ଅଭିଯୁକ୍ତମାନେ ପିନ୍ଧିଥିବା ପୋଷାକ ମଧ୍ୟ ଜବତ କରାଯାଇଛି।
ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଛି। ହତ୍ୟା ପଛର ପ୍ରକୃତ କାରଣ ଏବଂ ଘଟଣାରେ ପ୍ରତ୍ୟେକ ନାବାଳକଙ୍କ ଭୂମିକା ନେଇ ପୋଲିସ ଅଧିକ ତଦନ୍ତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।