Registration will be paperless: କାଗଜବିହୀନ ହେବ ଦଲିଲ୍ ପଞ୍ଜୀକରଣ: ଚାରି ପୃଷ୍ଠାରେ ସୀମିତ ରହିବ
ଭୁବନେଶ୍ୱର: ଜନସାଧାରଣଙ୍କୁ ଅଧିକ ସରଳ, ସ୍ୱଚ୍ଛ, ଦ୍ରୁତ ଓ ସୁବିଧାଜନକ ସେବା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର ପଞ୍ଜୀକରଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି। ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ବା କାଗଜବିହୀନ ଦଲିଲ୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ ପାଇଁ ପଞ୍ଜୀକରଣ ଆଇନ, ୧୯୮୦ରେ ଆବଶ୍ୟକ ସଂଶୋଧନ ଅଣାଯିବ। ଏଥିରେ ଇ-ରେଜିଷ୍ଟ୍ରେସନ୍ ତଥା ପେପରଲେସ୍ ପଞ୍ଜୀକରଣ ବ୍ୟବସ୍ଥାରେ ସେଲ୍ ଡିଡ୍, ବିକ୍ରି ପାଇଁ ଚୁକ୍ତି, ସାଧାରଣ ପାୱାର ଅଫ୍ ଆଟର୍ଣ୍ଣି, ସ୍ଥାବର ସମ୍ପତ୍ତିର ବନ୍ଧକ ଭଳି ଦଲିଲ୍ ପାଇଁ ପ୍ରସ୍ତାବିତ ଡିଡ୍ ଟେମ୍ପଲେଟ୍ ରହିବ। ଏହି ସମସ୍ତ ପଞ୍ଜୀକରଣ ଦଲିଲ୍ ସର୍ବାଧିକ ୪ ପୃଷ୍ଠାର ହେବ। ଏ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରସ୍ତୁତି ସମୀକ୍ଷା କରିଛନ୍ତି।
Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ଏ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ, ସରଳ, ଦ୍ରୁତ ଓ ନାଗରିକକୈନ୍ଦ୍ରିକ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। କାଗଜବିହୀନ ଦଲିଲ୍ ପଞ୍ଜୀକରଣ ବ୍ୟବସ୍ଥା ମାଧ୍ୟମରେ ନାଗରିକମାନେ ଅଧିକ ସୁବିଧାରେ ପଞ୍ଜୀକରଣ ସେବା ପାଇପାରିବେ। ଭୂ-ରେକର୍ଡ ଓ ପଞ୍ଜୀକରଣ ରେକର୍ଡର ଡିଜିଟାଲ୍ ସମନ୍ୱୟ ଦ୍ୱାରା ସେବା ପ୍ରଦାନରେ ଦକ୍ଷତା ଓ ସ୍ୱଚ୍ଛତା ଆହୁରି ବୃଦ୍ଧି ପାଇବ। ନୂଆ ବ୍ୟବସ୍ଥା ଅନୁଯାୟୀ, ପଞ୍ଜୀକରଣ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଡିଜିଟାଇଜେସନ୍ କରାଯିବ। ଏଥିପାଇଁ ଏବେ ଆଇନରେ ଥିବା ୮ଟି ଧାରାରେ ସଂଶୋଧନ ସହିତ ୯ଟି ନୂତନ ଧାରା ଯୋଡ଼ିବାର ପ୍ରସ୍ତାବ ରହିଛି। ଏହା ଅଧୀନରେ ଇଲେକ୍ଟ୍ରୋନିକ୍ ବୁକ୍, ଇଲେକ୍ଟ୍ରୋନିକ୍ ଦସ୍ତଖତ, ଇଲେକ୍ଟ୍ରୋନିକ୍ ସିଲ୍କୁ ଆଇନଗତ ସ୍ୱୀକୃତି ଦିଆଯିବ। ପଞ୍ଜୀକୃତ ଦଲିଲ୍ର ଇଲେକ୍ଟ୍ରୋନିକ୍ ସଂରକ୍ଷଣ ଏବଂ ଇଲେକ୍ଟ୍ରୋନିକ୍ ପ୍ରତିଲିପି ତଥା ରେକର୍ଡକୁ ଆଇନଗତ ମାନ୍ୟତା ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ପଞ୍ଜୀକରଣ ପାଇଁ ଦଲିଲ୍ର ଇଲେକ୍ଟ୍ରୋନିକ୍ ଉପସ୍ଥାପନା, ନିର୍ଦ୍ଦିଷ୍ଟ ମାମଲାରେ ଇଲେକ୍ଟ୍ରୋନିକ୍ ଉପସ୍ଥିତି ଓ ତଦନ୍ତର ମଧ୍ୟ ବ୍ୟବସ୍ଥା କରାଯିବ। ପଞ୍ଜୀକରଣକୁ ସ୍ବତନ୍ତ୍ର ସମ୍ପତ୍ତି ଚିହ୍ନଟ ନମ୍ବର (ୟୁପିଆଇଏନ୍) କିମ୍ବା ସରକାରୀ ଭୂ-ରେକର୍ଡ ସହିତ ସଂଯୁକ୍ତ ପରିଚୟ ସଂଖ୍ୟା ସହ ସଂଯୋଗ କରିବାର ବ୍ୟବସ୍ଥା ରହିବ।
Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...
ନୂତନ ବ୍ୟବସ୍ଥାରେ ନାଗରିକଙ୍କ ସମ୍ମତିକ୍ରମେ ଆଧାର ଅଥେଣ୍ଟିକେସନ୍ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ପରିଚୟ ଯାଞ୍ଚର ସୁବିଧା ରହିବ। ତେବେ ଆଧାରକୁ ବାଧ୍ୟତାମୂଳକ କରାଯିବ ନାହିଁ। ଅଫ୍ଲାଇନ୍ ଭେରିଫିକେସନ୍, ଓଭିଡି/ଇ-ଡକୁମେଣ୍ଟସ ଓ ଅନ୍ୟ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ମଧ୍ୟ ପରିଚୟ ଯାଞ୍ଚ କରାଯାଇପାରିବ। େସହିପରି ପଞ୍ଜୀକରଣ ଯୋଗ୍ୟ ଦଲିଲ୍ ପାଇଁ ଷ୍ଟାଣ୍ଡାର୍ଡ ଟେମ୍ପଲେଟ୍ସ ପ୍ରସ୍ତୁତ କରାଯିବା ସହ ନିର୍ଦ୍ଦିଷ୍ଟ ବର୍ଗର ଦଲିଲ୍ ପାଇଁ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ କରାଯିବ। ଇଲେକ୍ଟ୍ରୋନିକ୍ ଭାବେ ଜାରି ହେଉଥିବା ପଞ୍ଜୀକରଣ ସାର୍ଟିଫିକେଟକୁ ଇଲେକ୍ଟ୍ରୋନିକ୍ ଦସ୍ତଖତ ଓ ଇଲେକ୍ଟ୍ରୋନିକ୍ ସିଲ୍ ସହ ପ୍ରଦାନ କରାଯିବ ଏବଂ ଏହାର ଆଇନଗତ ବୈଧତା ଭୌତିକ ପ୍ରମାଣପତ୍ର ସହ ସମାନ ରହିବ। ଏହି ବ୍ୟବସ୍ଥାରେ ପଞ୍ଜୀକରଣ ରେକର୍ଡକୁ ଜମି ରେକର୍ଡ, କାଡାଷ୍ଟ୍ରାଲ ମ୍ୟାପ୍, ରାଜସ୍ବ ରେକର୍ଡ, ପୌରସଂସ୍ଥା, ପ୍ଲାନିଂ କର୍ତ୍ତୃପକ୍ଷ, ଆର୍ଥିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥା ସହ ଡିଜିଟାଲ୍ ଭାବେ ସଂଯୁକ୍ତ କରାଯିବ। ପଞ୍ଜୀକରଣ ରେକର୍ଡ, ଲ୍ୟାଣ୍ଡ ରେକର୍ଡ ଓ ମ୍ୟୁଟେସନ୍ ରେଜିଷ୍ଟର ମଧ୍ୟରେ ସମନ୍ୱୟ ରକ୍ଷା କରି ମ୍ୟୁଟେସନ୍ ପ୍ରକ୍ରିୟାକୁ ମଧ୍ୟ ଇଲେକ୍ଟ୍ରୋନିକ୍ ଭାବେ ଆରମ୍ଭ ଓ ସମାପ୍ତ କରିବାର ବ୍ୟବସ୍ଥା ରହିବ। ଏଥିସହିତ ଇଲେକ୍ଟ୍ରୋନିକ୍ ରେକର୍ଡର ସଂରକ୍ଷଣ, ଆର୍କାଇଭିଂ, ସାଇବର ସୁରକ୍ଷା ଓ ବିପର୍ଯ୍ୟୟ ପୁନରୁଦ୍ଧାର ପାଇଁ ମଧ୍ୟ ଆଇନଗତ ବ୍ୟବସ୍ଥା କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।