Saras Rasa: ସରସ ରସ: ମ୍ୟାନେଜମେଣ୍ଟ ଗୁରୁ ଶ୍ରୀକୃଷ୍ଣ

Sep 04, 2026 - 02:44
Saras Rasa: ସରସ ରସ: ମ୍ୟାନେଜମେଣ୍ଟ ଗୁରୁ ଶ୍ରୀକୃଷ୍ଣ

"ସୁଭାଷ ପଟ୍ଟନାୟକ ଶ୍ରୀକୃଷ୍ଣ।

ସମୟ, ଶୂନ୍ୟତା ଓ ଅନନ୍ତ କାଳର ପ୍ରତୀକ।

ମାନବ ସମାଜକୁ ସେ ଦେଇ ଯାଇଛନ୍ତି ସେଇ ସବୁ ଗୂଢ଼ ଜ୍ଞାନ ଯାହା ବିଶ୍ବର ରହସ୍ୟକୁ ଭେଦ କରି ପ୍ରକୃତି ସହିତ ମନୁଷ୍ୟର ସଂପର୍କକୁ ଉଦ୍‌ଘାଟିତ କରାଇବାରେ ସକ୍ଷମ।

ତାଙ୍କର ମୁଖ ନିଃସୃତ ଶ୍ରୀମଦ୍ ଭଗବତ୍ ଗୀତା ସମସ୍ତ ଉପନିଷଦର ସାରବତ୍ତା ସହିତ ସାଂଖ୍ୟ ଦର୍ଶନର ମିଶ୍ରଣ।

ଶ୍ରୀକୃଷ୍ଣଙ୍କର ସନ୍ଦେଶ ହେଉଛି କର୍ମଯୋଗ।

ସେ ମନୁଷ୍ୟର ବ୍ୟକ୍ତିଗତ ଓ ବୃତ୍ତିଗତ ପାରଙ୍ଗମତା ବିଷୟରେ ଅନେକ ଶିକ୍ଷା ଦେଇ ଯାଇଛନ୍ତି।

ବିଶ୍ବ ବ୍ରହ୍ମାଣ୍ଡର ସର୍ବପ୍ରଥମ ମ୍ୟାନେଜମେଣ୍ଟ ଗୁରୁ ହେଉଛନ୍ତି ସେ।ମହାଭାରତ ଯୁଦ୍ଧ କ୍ଷେତ୍ରରେ ମାନସିକ ଅବସାଦ ଭୋଗୁଥିବା ଅର୍ଜୁନଙ୍କୁ ଗୀତାର ଉପଦେଶ ମାଧ୍ୟମରେ ନିଜର କର୍ତ୍ତବ୍ୟ ସାଧନ କରିବା ନିମନ୍ତେ ସେ ଯେଉଁସବୁ ପରାମର୍ଶ ଦେଇଛନ୍ତି, ସେସବୁ ଆଜି ମଧ୍ୟ ମ୍ୟାନେଜମେଣ୍ଟ କୌଶଳ ଭାବରେ ଲୋକାଦୃତ।

ଏ ଉପଦେଶ ସବୁର ତିନିଟି ମୁଖ୍ୟ ମାର୍ଗ ହେଉଛି, କାର୍ଯ୍ୟ କ୍ଷେତ୍ର ସଂପର୍କରେ ବୌଦ୍ଧିକ ଜ୍ଞାନ ଥିଲେ କର୍ମରେ ଅଗ୍ରଗତି କରିବା ସହଜ (ଜ୍ଞାନଯୋଗ), ପ୍ରତ୍ୟେକ ଲକ୍ଷ୍ୟ ହାସଲ ପଛରେ ଉଚ୍ଛ୍ବାସପୂର୍ଣ୍ଣ ନିଷ୍ଠା ରହିବା ଜରୁରି (ଭକ୍ତିଯୋଗ), ଏବଂ ସତ୍ କର୍ମ କରିବାକୁ ହେଲେ ଅନୁଭବ, ଜ୍ଞାନ ଓ ତଜ୍ଜନିତ ଅଭିଜ୍ଞତା ରହିଥିବା ଆବଶ୍ୟକ (କର୍ମଯୋଗ)।

ବୃତ୍ତି ପରିଚାଳନାରେ ନିପୁଣତା ମନୁଷ୍ୟ ଜୀବନର ପ୍ରାଥମିକ ଆବଶ୍ୟକତା।

ବୃତ୍ତି ପରିଚାଳନା ବା ବିଜନେସ ମ୍ୟାନେଜମେଣ୍ଟ ହେଉଛି ପ୍ରତ୍ୟେକ କାର୍ଯ୍ୟର ସୁ-ସନ୍ତୁଳିତ ଓ ସୁ-ଶୃଙ୍ଖଳିତ ନିର୍ବାହନର କଳା।

ଭଗବତ୍ ଗୀତାରେ ଶ୍ରୀକୃଷ୍ଣଙ୍କର ବୃତ୍ତି ପରିଚାଳନା ଓ ଟିମ୍ ମୋଟିଭେସନରେ ଥିବା ଅଗାଧ ଜ୍ଞାନ ବାରି ହୋଇପଡ଼େ।

ଜୀବନର ଅନେକ କାର୍ଯ୍ୟ କିପରି ସମୟର ସୁଚାରୁ ବଣ୍ଟନ ବା ଟାଇମ୍ ମ୍ୟାନେଜମେଣ୍ଟ ଉପରେ ନିର୍ଭର କରେ ଶ୍ରୀକୃଷ୍ଣ ତା"ର ବ୍ୟାପକ ଶିକ୍ଷା ଦେଇଛନ୍ତି ଏବଂ ଏହାକୁ ଯୁଦ୍ଧ କ୍ଷେତ୍ରରେ ନିଜେ ପ୍ରୟୋଗ କରି ଆତ୍ମବିଶ୍ବାସ ହରାଇଥିବା ଅର୍ଜୁନଙ୍କୁ ଯୁଦ୍ଧରେ ପ୍ରବୃତ୍ତ କରି ବିଜୟୀ କରାଇଛନ୍ତି।

ସେ ଦର୍ଶାଇଛନ୍ତି ଯେ, ଜଣେ କାର୍ଯ୍ୟ ନିର୍ବାହୀର କର୍ତ୍ତବ୍ୟ ହେଉଛି, ଲକ୍ଷ୍ୟ ସ୍ଥଳର ନିରୂପଣ ଏବଂ ସେଠାରେ ପହଞ୍ଚିବାର ଠୋସ୍ ରଣନୀତିକ ପ୍ରସ୍ତୁତି, ନିଜ ଭିତରେ ନେତୃତ୍ବ ନେବା ଶକ୍ତିର ଉନ୍ମୀଳନ, ଲକ୍ଷ୍ୟ ହାସଲ କରିବାକୁ ପ୍ରାୟୋଗିକ ଚତୁରତା, ମାନବ ସମ୍ବଳର ବିକାଶ ଓ ସୁପରିଚାଳନା, ଦଳଗତ ଉତ୍କର୍ଷ ପ୍ରଦର୍ଶନ, ଲକ୍ଷ୍ୟ ହାସଲ ପାଇଁ ଅଭିପ୍ରେତ ସୁଚିନ୍ତିତ ପ୍ରରୋଚନା ଓ ତତ୍ ସଂପର୍କୀୟ ନିରନ୍ତର ଭାବ ବିନିମୟ ଏବଂ ଶେଷରେ ସଂପାଦନାତ୍ମକ କୁଶଳତାର ସମୀକ୍ଷା ଓ ସ୍ଥଳ ବିଶେଷରେ ସଂଶୋଧନ।

ତାଙ୍କର ଉପଦେଶାବଳୀ ପୂର୍ଣ୍ଣତଃ ମାପଦଣ୍ଡ ସଂଚାଳିତ ପ୍ରଣାଳୀଠାରୁ ସାମଗ୍ରିକ ମୂଲ୍ୟବୋଧଭିତ୍ତିକ ନେତୃତ୍ବ ଆଡ଼କୁ ଧ୍ୟାନ ବିକେନ୍ଦ୍ରିତ କରିଥାଏ।

ସଫଳତା ପାଇଁ ଶ୍ରୀକୃଷ୍ଣଙ୍କ ପ୍ରଦତ୍ତ ଶିକ୍ଷା କେତୋଟି ହେଲା, ଚାପଠାରୁ ଉଦ୍ଦେଶ୍ୟ ଆଡ଼କୁ ମନର ଦିଗ ପରିବର୍ତ୍ତନ, ଦଳଗତ ଦକ୍ଷତା ପ୍ରଦର୍ଶନ ପାଇଁ ଆତ୍ମ-ନିପୁଣତା, କ୍ରୋଧ ଓ ଇଚ୍ଛାର ପ୍ରବନ୍ଧନ ଇତ୍ୟାଦି ଯାହା ଆଜି ମଧ୍ୟ ମ୍ୟାନେଜମେଣ୍ଟ ସୂତ୍ରର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇ ରହିଛି।

ଗୀତାର ଉପଦେଶାବଳୀ, ଯଥା: ନିଷ୍କାମ କର୍ମ, ସ୍ଥିତପ୍ରଜ୍ଞତା, ସ୍ବଧର୍ମ ପାଳନ ଏବଂ ସଦାଚାର ଓ ସାଧୁତାକୁ ଆଜି ଆମେ ମ୍ୟାନେଜମେଣ୍ଟ ମନ୍ତ୍ର ଭାବରେ, ଯଥାକ୍ରମେ ପ୍ରେରଣା ଓ କାର୍ଯ୍ୟ ନୀତି, ଆବେଗିକ ବୁଦ୍ଧିମତ୍ତା, ଦାୟିତ୍ବର ସମନ୍ବୟ ଓ କର୍ପୋରେଟ ପ୍ରଶାସନରେ ନୈତିକ ନିଷ୍ପତ୍ତି ଗ୍ରହଣକୁ ପ୍ରାଥମିକତା ଦେବା ଭାବରେ ପ୍ରୟୋଗ କରି ସଫଳ ହେଉଛୁ।

ବଡ଼ କଥା ହେଉଛି, ଦଳଗତ ସଫଳତା ପାଇଁ ଆବଶ୍ୟକ ସ୍ଥଳେ ମ୍ୟାନେଜରକୁ ମଧ୍ୟ ଡ୍ରାଇଭର ସିଟରେ ବସିବାକୁ ହେବ, ସେକଥା ଶ୍ରୀକୃଷ୍ଣ ନିଜେ କରି ଦେଖାଇ ଦେଇଛନ୍ତି।ଶ୍ରୀମଦ୍ ଭଗବତ୍ ଗୀତାରେ ପ୍ରଦତ୍ତ ପରିଚାଳନାଗତ ପାରଦର୍ଶିତାମାନ ହେଉଛି: ସମ୍ବଳର ସଦ୍ ବିନିଯୋଗ (ଗୋଟିଏ ପଟେ ବିଶାଳ କୌରବ ସେନା ବିପକ୍ଷରେ ପାଣ୍ଡବଙ୍କର ସୀମିତ ସମର ସମ୍ବଳ, ଯାହାର ସଦ୍ ବିନିଯୋଗ କରି ସେ ପାଣ୍ଡବଙ୍କୁ ସଫଳତା ଦିଆଇଥିଲେ), କାର୍ଯ୍ୟ ପ୍ରତି ଅଙ୍ଗୀକାରବଦ୍ଧତା (କର୍ମଣ୍ୟେ ବାଧିକାରସ୍ତେ...) ଓ କର୍ତ୍ତବ୍ୟ କର୍ମର ପ୍ରକାରଭେଦରେ ଅର୍ଜିତ ଫଳ।

ବ୍ୟବସାୟ ପରିଚାଳନାରେ ଏସବୁ ସିଦ୍ଧାନ୍ତ ମଧ୍ୟ ଲାଗୁ ହୋଇଥାଏ।

ଗୀତା ପ୍ରେରଣା ଦିଏ ଯେ, ବର୍ତ୍ତମାନର ଆମର କର୍ତ୍ତବ୍ୟକୁ ଏକ ଅନିଶ୍ଚିତ ଭବିଷ୍ୟତ ପାଇଁ ବନ୍ଧକ ରଖିବା ଅନୁଚିତ।

ଷୋଡ଼ଶ ଅଧ୍ୟାୟରେ ଶ୍ରୀକୃଷ୍ଣ କାର୍ଯ୍ୟର ଦୁଇଟି ମାର୍ଗ ବିଷୟରେ ସୂଚାଇଛନ୍ତି।

ଈଶ୍ବର ନିର୍ଦ୍ଦେଶିତ ଓ ମନ ନିର୍ଦ୍ଦେଶିତ।

ଐଶ୍ବରୀୟ କାର୍ଯ୍ୟର ମାର୍ଗ ହେଉଛି ନିର୍ଭୀକତା, ଶୁଦ୍ଧତା, ଆତ୍ମ-ସଂଯମ ଓ ତ୍ୟାଗ ଇତ୍ୟାଦି।

ମନର ନିର୍ଦ୍ଦେଶିତ କାର୍ଯ୍ୟମାନ ହେଉଛି ଅହଂକାର, ପ୍ରତାରଣା, ଭ୍ରାନ୍ତି ଓ ଆତ୍ମ-କୈନ୍ଦ୍ରିକତା।

ପ୍ରଥମଟିର ପ୍ରାପ୍ତି ପାଇଁ ଦ୍ବିତୀୟଟି ଅବଶ୍ୟ ତ୍ୟାଗ କରିବାକୁ ହେବ।

ଶ୍ରୀକୃଷ୍ଣ ଗୀତାର ଅ:୮/୧୩-୧୫ ଶ୍ଳୋକରେ କାର୍ଯ୍ୟର ପରିଣତିଠାରୁ ମୋହଶୂନ୍ୟ ହେବାକୁ ଚେତାଇ ଦେଇଛନ୍ତି।

ଯଦି ନୈଷ୍ଠିକ କର୍ମର ଫଳ କୃତକାର୍ଯ୍ୟତା ହୁଏ, ଏହାର ଉପଭୋକ୍ତା କେବଳ ମାତ୍ର କର୍ତ୍ତା ନୁହନ୍ତି।

ସେହିପରି ନିଷ୍ଠାପୂର୍ବକ କର୍ମ କରି ମଧ୍ୟ ଯଦି ଫଳ ନମିଳେ, ତା"ର ମଧ୍ୟ ଭାଗୀଦାର କେବଳ କର୍ତ୍ତା ହେବା ଅନୁଚିତ।

ସଫଳତା ଅଥବା ବିଫଳତା ଦଳଗତ ଉପଲବ୍ଧି।

ଏକ ଟିମ୍ ଵାର୍କ।

କାର୍ଯ୍ୟ ନିର୍ବାହୀର ମାନସିକ ସୁସ୍ଥତା ସଂପର୍କରେ ସେ କହିଛନ୍ତି, ଜୀବନ ପାଇଁ ଏକ ନିର୍ଦ୍ଦିଷ୍ଟ ଜୀବନ-ଦର୍ଶନର ପ୍ରସ୍ତୁତି, ନିଜ ଭିତରେ ସ୍ବୟଂସଂପୂର୍ଣ୍ଣତାର ଚିହ୍ନଟ, ବିପରୀତମୁଖୀ ଚିନ୍ତାଧାରାଠାରୁ ଦୂରତା ରକ୍ଷା ଓ ସେଥିପାଇଁ ନିଜ ଭିତରେ ସ୍ବ-ନିର୍ଦ୍ଧାରିତ ପ୍ରତିରୋଧାତ୍ମକ ସୀମାରେଖାର ସୃଷ୍ଟି ଏବଂ ନୀତିଗତ ସାଧୁତାର ଅବବୋଧନ ଓ ଅନୁଧାବନ ମାନସିକ ସ୍ତରରେ କର୍ତ୍ତାକୁ ସୁସ୍ଥ ରଖି ପାରିବ।

ଆଜି, ପାଞ୍ଚ ହଜାର ବର୍ଷ ପରେ ମଧ୍ୟ ଶ୍ରୀକୃଷ୍ଣଙ୍କର ଏ ସମସ୍ତ ଉପଦେଶ କର୍ମକ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନୁସୃତ ଓ ଅନୁଭବ୍ୟ ହେଉନାହିଁ କି?

ଆଜି ପବିତ୍ର ଜନ୍ମାଷ୍ଟମୀରେ ସେ ବିଶ୍ବଗୁରୁଙ୍କୁ ଶତ ପ୍ରଣାମ। “କୁଟିଳାଳକ ସଂଯୁକ୍ତଂ, ପୂର୍ଣ୍ଣଚନ୍ଦ୍ର ନିଭାନନଂ / ବିଳସତଃ କୁଣ୍ଡଳଧରଂ, କୃଷ୍ଣଂ ବନ୍ଦେ ଜଗତ୍‌ଗୁରୁମ୍”।(ମତାମତ ଲେଖକଙ୍କ ନିଜସ୍ବ)ମୋ:୯୩୩୭୬୪୮୬୩୮Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।