Repeated Floods Worsen Northern Odisha: ବାରମ୍ବାର ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା, ଫୁଲୁଛି ବୈତରଣୀ ସୁବର୍ଣ୍ଣରେଖା ସାଳନ୍ଦୀ

Sep 27, 2026 - 20:51
Repeated Floods Worsen Northern Odisha: ବାରମ୍ବାର ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା, ଫୁଲୁଛି ବୈତରଣୀ ସୁବର୍ଣ୍ଣରେଖା ସାଳନ୍ଦୀ

କେଉଁ ନଦୀରେ ଚତୁର୍ଥଥର ତ କେଉଁଠି ସପ୍ତମ, ତିନି ମାସ ଭିତରେ ବାରମ୍ବାର ଆସିଲାଣି ବନ୍ୟା। ସୁବର୍ଣ୍ଣରେଖା, ସାଳନ୍ଦୀ ଓ ବୈତରଣୀ ସହ ଶାଖା ନଦୀର ବଢି ପାଣି ଧୋଇନେଲାଣି ଘରଦ୍ବାର, ବୁଡିଗଲାଣି ବେଉଷା। ଭଦ୍ରକ, ବାଲେଶ୍ବର, ଯାଜପୁରରେ ସ୍ଥିତି ସଙ୍ଗୀନ। ତେବେ ବର୍ଷା ଥମିଥିବାରୁ ଦିନେ ଦୁଇ ଦିନ ଭିତରେ ପାଣି କମିବା ସମ୍ଭାବନା ରହିଛି। ବୁଡିଛି ବେଡରୁମ.. ଆଣ୍ଠୁଏ ପାଣିରେ ଠାକୁର.. ରୋଷେଇ ଘରେ ବି ଲହଡି ଭାଙ୍ଗୁଛି। ସାଳନ୍ଦୀର ବଢିପାଣିରେ ଉବୁଟୁବୁ ଭଦ୍ରକ। ଜିଲ୍ଲାର ଲାଇଫ ଲାଇନ୍ ଏବେ ଦେଖାଉଛି କୋପ। ଗାଁ ହେଉ କି ସହର, ସବୁଠି ଜଳବନ୍ଦୀ ସ୍ଥିତି। ବନ୍ୟାଜଳରେ ବୁଡିଛି ଭଦ୍ରକ ପୌରପାଳିକାର ୭ଟି ୱାର୍ଡ। ଚାରିପଟୁ ଘେରି ରହିଛି ପାଣି। ଆଉ ତାଭିତରେ ଘରଦ୍ବାର। ଘରେ ରହିହେଉନି କି ବାହାରି ବି ହେଉନି। ଜିନିଷ ପତ୍ର ଉପରକୁ ଉଠାଇ ଚାହିଁ ବସିଛନ୍ତି ପାଣି କମିବା ବାଟକୁ। 

ବୈତରଣୀରେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ଅନେକ ପଞ୍ଚାୟତ। ଦୁଇ ଦିନ ହେଲା ଲୋକେ ଜଳବନ୍ଦୀ। ଗତ ୩ ମାସ ଭିତରେ ସାତ ସାତ ଥର ଛୋଟ-ବଡ ବନ୍ୟା ଆସିଲାଣି ବୈତରଣୀରେ। ଲୋକେ ଛଟପଟ। ତା' ଭିତରେ ସାମନାକୁ ଆସିଛି ଦୁଇଟି ହୃଦୟ ବିଦାରକ ଘଟଣା। ବଢିପାଣିର ସୁଅରେ ଭାସି ଯାଇଛନ୍ତି ଧାମନଗର ଦଳାଙ୍ଗ ପଞ୍ଚାୟତ ପଧାନୀ ଭୋଇସାହି ଗାଁର ଜ୍ୟୋସ୍ନାରାଣୀ ଜେନା। ଗେଙ୍ଗୁଟି ନଦୀର ସୁଅରେ ଭାସିଯିବା ପରେ ଲୋକେ ଜନତା ଖାଇ ମହାରା ନିକଟରୁ ଉଦ୍ଧାର କରିଥିଲେ ତାଙ୍କ ମୃତଦେହ। ସେପଟେ ଚାନ୍ଦବାଲି ବ୍ଲକ ମୁଆଁ ଗାଁର ଜଣେ ବୃଦ୍ଧ ବନ୍ୟାପାଣିରେ ପଶି ରାସ୍ତା ପାର ହେଉଥିବା ବେଳେ ଭାସି ଯାଇଥିଲେ। ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। 

ଏଇ ୧୫ ଦିନ ହେବ ପାଣି ଛାଡିଥିଲା। ଏବେ ପୁଣି କଲବଲ କଲାଣି। କାଂଶବାଂଶ ଓ ଗମେଇ ନଦୀର ବନ୍ୟାଜଳରେ ବୁଡିଛି ବାସୁଦେବପୁରର ଏକାଧିକ ପଂଚାୟତ। ସୁଦର୍ଶନପୁର ଓ ବରନ୍ତୁଆରେ ସ୍ଥୀତି ସଙ୍ଗୀନ। ଚାଳ, ଚୁଲି ସବୁ ବୁଡିଛି। ଉଜୁଡିଯାଇଛି ଜୀବିକା। ଚାଷ ଜମିରେ ତ ଅଣ୍ଟାଏ ପାଣି। ସେପଟେ ସୁବର୍ଣ୍ଣରେଖାର ବନ୍ୟାଜଳରେ ବାଲେଶ୍ବରରେ ସଙ୍ଗୀନ ହେଲାଣି ବନ୍ୟା ସ୍ଥିତି। ଗତ ତିନି ମାସ ଭିତରେ ଏହା ଚତୁର୍ଥ ବନ୍ୟା। ଜିଲ୍ଲାର ଭୋଗରାଇ ଓ ବାଲିଆପାଳ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ। ପ୍ରାୟ ୨୬ଟି ପଂଚାୟତରେ ପଶିଛି ବନ୍ୟାଜଳ। ରାସ୍ତା ଉପରେ ୫ ଫୁଟର ପାଣି ଚାଲିଛି। ବୁଡିଛି ଘରଦ୍ବାର। ମଣିଷ ସହ ଗୃହପାଳିତ ପଶୁ ବି ଛଟପଟ ହେଲେଣି। କେବେ କମିବ ପାଣି, କେବେ ଫେରିବ ସ୍ୱାଭାବିକ ଜୀବନ, ସେହି ଚିନ୍ତା ଘାରିଛି। ?

ଯେତେବେଳେ ବର୍ଷା ହେଉଛି, ବନ୍ୟା ଆଣୁଛି। ଯାଜପୁରରେ ବି ନାହିଁ ନଥିବା ଯନ୍ତ୍ରଣା। ସବୁଠୁ ଅଧିକ ଦୁଃଖ ଦେଉଛି ବୈତରଣୀର ପାଟଣାରେ କାଣୀ ନଦୀର ଘାଇ। ଥମିବାର ନାଁ ନେଉନି ଦଶରଥପୁରର ଦୁର୍ଦ୍ଦଶା । ମରାମତି ବେଳକୁ ପୁଣି ବର୍ଷା ଏବଂ ବନ୍ୟା ଆସି ଧୋଇଯାଇଛି ଘାଇ। ଗାଁ ଗାଁରେ ଧସେଇ ପଶିଛି ପାଣି। ଲୋକେ ଆଠ ଆଠ ଥର ବନ୍ୟା ଦେଖିଲେଣି। ସେପଟେ ବିଂଝାରପୁରରେ ଧଶିଛି ଖରସ୍ରୋତା ନଦୀର ଶାଖା ନୂଆ ମାହାରାରେ ଘାଇ। ୪ ପଂଚାୟତର ୮ଟି ଗାଁ ପାଣି ଘେରରେ। 

ଲଗାଣ ବର୍ଷାରେ ଫୁଲିଲା କାଳ, ସୋନ ଓ କଣ୍ଠାଳ ନଦୀ। କିଛି ବୁଝିବା ଆଗରୁ ଗାଁକୁ ଘେରିଗଲା ପାଣି। ଆଉ ନଦୀ ଶାନ୍ତ ହେବା ପରେ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ। ଜଳବନ୍ଦୀ ମୟୂରଭଞ୍ଜ ଉଦଳା ବ୍ଲକ ଜାଲଦା ଗାଁର ୪୦ରୁ ଅଧିକ ପରିବାର। ବର୍ଷା ଥମିଯାଇଥିବାରୁ ଦିନେ ଦୁଇ ଦିନ ଭିତରେ ବନ୍ୟାଂଚଳରୁ ପାଣି ଛାଡିବା ସମ୍ଭାବନା ରହିଛି।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।