Severe Floods Hit South Odisha: ଦକ୍ଷିଣ ଓଡ଼ିଶାରେ ଗମ୍ଭୀର ବନ୍ୟା, କୋଟପାଡ଼ରେ ଜଳବନ୍ଦୀ ଶହ ଶହ ପରିବାର
ଗାଁରେ ନଦୀର ଭ୍ରମ। ବେକେ ପାଣିରେ ଚାଲିଛି ଡଙ୍ଗା। ଯୁଆଡ଼େ ଦେଖିବ, ଖାଲି ପାଣି ଆଉ ପାଣି। ଆକାତକାତ ପାଣି ଭିତରେ ଚାଲିଛି ରେସ୍କ୍ୟୁ ଅପରେସନ୍। ଏ ଦୃଶ୍ୟ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଚାନ୍ଦିଲି ଅଞ୍ଚଳର। ଲଗାଣ ବର୍ଷା ଆଉ ଇନ୍ଦ୍ରାବତୀ ନଦୀର ଉଭା ପାଣି ମାଡ଼ି ଆସିବା ପରେ ଗତକାଲିଠୁ ବନ୍ୟା ସ୍ଥିତି ଏମିତି ଯେ ଲୋକେ, ଆଉ ଘରୁ ବାହାରକୁ ବାହାରିବାକୁ ଉପାୟ ନାହିଁ। କଚାଘର ସଂପୂର୍ଣ୍ଣ ବୁଡ଼ିଯାଇଥିବା ବେଳେ, ସେପଟେ କୁଆଡ଼େ ଯାଇନପାରି ଛାତଘରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଶହ ଶହ ଲୋକେ। ଏପଟେ ଗୋଟିଏ ପରେ ଗୋଟିଏ ଘରକୁ ଯାଇ ଅତି କଠିନ ସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଓଡ୍ରାଫ୍ ବାହିନୀ। ପିଲାଠୁ ବୁଢା, ମଣିଷଙ୍କଠୁ ଜୀବଜନ୍ତୁ, ଯେମିତି ଏମାନଙ୍କ ପାଇଁ ଏହି ଓଡ୍ରାଫ୍ ବାହିନି ହିଁ ଦେବଦୂତ ସାଜିଛନ୍ତି। ଚାନ୍ଦିଲି ଅଞ୍ଚଳର ପ୍ରାୟ ୭୦ରୁ ଅଧିକ ପରିବାର ବନ୍ୟା ଘେରରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୬୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟ ସ୍ଥଳିରେ ରଖାଯାଇଛି। କୋଟପାଡ଼ ବ୍ଲକର ୭ଟି ପଂଚାୟତର ପ୍ରାୟ ୪୦ ଗାଁ ଏବେ ବି ପାଣି ଭିତରେ ବୁଡ଼ି ରହିଛି।
ଏପଟେ ଆଜି କୋରାପୁଟ, ନବରଙ୍ଗପୁର ଓ ଗଂଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ଗଞ୍ଜାମ ଓ ନବରଙ୍ଗପୁରର ବୁଲିବା ପରେ କୋରାପୁଟର କୋଟପାଡ଼ ବ୍ଲକର ଗ୍ରାଉଣ୍ଡକୁ ଯାଇଥିଲେ। ରାଜସ୍ବ ମନ୍ତ୍ରୀଙ୍କ ସହ ଡଙ୍ଗାରେ ଯାଇ କୋଟାପାଡ଼ ବ୍ଲକର ତୁରୁଞ୍ଜି ଗାଁକୁ ଯାଇ, ସେଠାରେ ବନ୍ୟା ପ୍ରଭାବିତଙ୍କ ସ୍ଥିତି ଦେଖିବା ସହ ଗୁହାରୀ ବି ଶୁଣିଥିଲେ। ରିଲିଫ ସେଣ୍ଟରରେ ବନ୍ୟା ପ୍ରଭାବିତ କଣ ଖାଉଛନ୍ତି, ଆଉ କେମିତି ଅଛନ୍ତି, ତା ବି ପରଖିଥିଲେ। ଏହା ପୂର୍ବରୁ ସିଏମ୍ ଜୟପୁରରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ବନ୍ୟା ସ୍ଥିତି ମୁକାବିଲା ନେଇ କି ପଦକ୍ଷେପ ନିଆଯାଇଛି, ତାର ସମୀକ୍ଷା କରିଥିଲେ। ଆସନ୍ତା ସପ୍ତାହକ ମଧ୍ୟରେ ବନ୍ୟା କ୍ଷୟକ୍ଷତିର ସବିଶେଷ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ଲଗାଣ ବର୍ଷା ଓ ବିଭିନ୍ନ ନଦୀରେ ବନ୍ୟା ଆସି ଦକ୍ଷିଣ ଓଡ଼ିଶା କୋରାପୁଟ, ନବରଙ୍ଗପୁର ଓ ଗଞ୍ଜାମ ଜିଲ୍ଲାର ବ୍ୟାପକ ଅଞ୍ଚଳ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ଏପଟେ ଆଜି ୬ ଦିନ ଧରି ଦକ୍ଷିଣ ଓଡ଼ିଶାର ଅନ୍ୟତମ ଲାଇଫ ଲାଇନ କଳିଙ୍ଗା ଘାଟି ବନ୍ଦ ରହିଥିବାରୁ, ତା ଉପରେ ମଧ୍ୟ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ସିଏମ ଏରିଏଲ ସର୍ଭେ କରିବା ପରେ ପୂର୍ତ୍ତ ସଚିବ ସଂଜୟ ସିଂ କଳିଙ୍ଗା ଘାଟିକୁ ଯାଇ ସେଠାକର ସ୍ଥିତି ଦେଖିଛନ୍ତି। ଏହି ରାସ୍ତା କେତେଶୀଘ୍ର ମରାମତି ହୋଇ, ପୁଣି ସ୍ବାଭାବିକ କରାଯିବ, ସେ ନେଇ ସମୀକ୍ଷା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।