Retail Inflation Climbs To 4.82% In August: ଅଗଷ୍ଟରେ ପୁଣି ବଢ଼ିଲା ଦରଦାମ୍, ୪.୮୨%ରେ ପହଞ୍ଚିଲା ଖୁଚୁରା ମୁଦ୍ରାସ୍ଫୀତି

Sep 14, 2026 - 18:11
Retail Inflation Climbs To 4.82% In August: ଅଗଷ୍ଟରେ ପୁଣି ବଢ଼ିଲା ଦରଦାମ୍, ୪.୮୨%ରେ ପହଞ୍ଚିଲା ଖୁଚୁରା ମୁଦ୍ରାସ୍ଫୀତି

ଦେଶରେ ପୁଣି ବଢ଼ିଛି ଖୁଚୁରା ମୁଦ୍ରାସ୍ଫୀତି। ଜୁଲାଇରେ ୪.୪୫ ପ୍ରତିଶତ ଥିବା ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବଢ଼ି ୪.୮୨ ପ୍ରତିଶତରେ ପହଞ୍ଚିଛି। ସୋମବାର କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟରୁ ଏହା ଜଣାପଡ଼ିଛି।

ସବୁଠାରୁ ବଡ଼ କାରଣ ହେଉଛି ଖାଦ୍ୟଦର ବୃଦ୍ଧି। ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୯୫ ପ୍ରତିଶତକୁ ବଢ଼ିଛି, ଯାହା ଜୁଲାଇରେ ୫.୫୨ ପ୍ରତିଶତ ଥିଲା। ଅର୍ଥାତ୍, ଘରର ରୋଷେଇଘର ଖର୍ଚ୍ଚ ଉପରେ ଚାପ ଆହୁରି ବଢ଼ିଛି।

ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୪.୮୪ରୁ ବଢ଼ି ୫.୨୩ ପ୍ରତିଶତ ହୋଇଥିବାବେଳେ ସହରାଞ୍ଚଳରେ ଏହା ୩.୯୬ରୁ ବଢ଼ି ୪.୩୧ ପ୍ରତିଶତରେ ପହଞ୍ଚିଛି।

ଖାଦ୍ୟ ସାମଗ୍ରୀରେ ବଡ଼ ଝଟକା। ପିଆଜ ଦରରେ ବାର୍ଷିକ ବୃଦ୍ଧି ୪୮.୨୭ ପ୍ରତିଶତ ରେକର୍ଡ ହୋଇଛି। ରସୁଣରେ ୪୩.୬୦ ପ୍ରତିଶତ ଏବଂ ଅଦାରେ ୭୩.୮୨ ପ୍ରତିଶତ ମୁଦ୍ରାସ୍ଫୀତି ରହିଛି।ତେବେ ସବୁ ପନିପରିବାର ଦର ବଢ଼ିନାହିଁ। ଟମାଟୋର ମୂଲ୍ୟ ବର୍ଷକୁ ବର୍ଷ ୩୧.୦୯ ପ୍ରତିଶତ କମିଥିବାବେଳେ ଆଳୁ ଦର ୧୩.୧୪ ପ୍ରତିଶତ ହ୍ରାସ ପାଇଛି।

ଅନ୍ୟପକ୍ଷରେ, ବ୍ୟକ୍ତିଗତ ଯତ୍ନ, ସାମାଜିକ ସୁରକ୍ଷା ଓ ବିଭିନ୍ନ ସାମଗ୍ରୀ-ସେବା ବର୍ଗରେ ମୁଦ୍ରାସ୍ଫୀତି ୧୫.୧୭ ପ୍ରତିଶତ ରହିଛି। ରେଷ୍ଟୁରାଣ୍ଟ ଓ ଆବାସ ସେବାରେ ୮.୩୮ ପ୍ରତିଶତ ଏବଂ ପରିବହନରେ ୪.୬୦ ପ୍ରତିଶତ ମୁଦ୍ରାସ୍ଫୀତି ରେକର୍ଡ ହୋଇଛି।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ତେଲେଙ୍ଗାନାରେ ସର୍ବାଧିକ ୬.୨୭ ପ୍ରତିଶତ ମୁଦ୍ରାସ୍ଫୀତି ରହିଛି। ଦାଦ୍ରା ଓ ନଗର ହାଭେଲି ଏବଂ ଦମନ-ଦିଉରେ ଏହା ୬.୨୨ ପ୍ରତିଶତ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମେ’ ମାସରୁ ଲଗାତାର ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିଛି। ମେ’ରେ ୩.୯୩, ଜୁନ୍‌ରେ ୪.୩୮, ଜୁଲାଇରେ ୪.୪୫ ଏବଂ ଅଗଷ୍ଟରେ ୪.୮୨ ପ୍ରତିଶତ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।