Rising Rice and Dal Prices: ହାଟ ବଜାରରେ ଦରବୃଦ୍ଧିର ନିଆଁ; ବଢ଼ିପାରେ ହୋଟେଲ ମିଲ୍ସ ରେଟ୍, ତେଜିଲା ରାଜନୀତି

Oct 13, 2026 - 19:36
Rising Rice and Dal Prices: ହାଟ ବଜାରରେ ଦରବୃଦ୍ଧିର ନିଆଁ; ବଢ଼ିପାରେ ହୋଟେଲ ମିଲ୍ସ ରେଟ୍, ତେଜିଲା ରାଜନୀତି

ବଢୁଛି ମୁଦ୍ରାସ୍ଫୀତି, ଉତ୍କଟ ହେଉଛି ଖାଦ୍ୟ ମୁଦ୍ରାସ୍ଫୀତି। ଅଗଷ୍ଟ ଅପେକ୍ଷା ସେପଟେମ୍ବରରେ ୦.୭୧ ପ୍ରତିଶତ ବଢିଲାଣି ଇନଫ୍ଲେସନ୍। ଗ୍ରାମାଂଚଳ ପରିବାର ଉପରେ ବଢିଚାଲିଛି ଆର୍ଥିକ ଚାପ। ସବୁ ଦରଦାମ ଆକାଶଛୁଆଁ। ମହଙ୍ଗା ମାଡ଼ ଭିତରେ ଚିନ୍ତା ବଢାଇଛି ଡାଲି ଓ ଚାଉଳର ମୂଲ୍ୟ। ମାସକ ଭିତରେ ଡାଲି ୨୦ରୁ ୨୫ ଟଙ୍କା ଏବଂ ଚାଉଳ ୧୦ରୁ ଅଧିକ ଟଙ୍କା ବଢିଛି। ଅର୍ଥାତ ଆଗକୁ ଭାତ ଡାଲି ଗଣ୍ଡିଏ ଖାଇବା ବି ମୁସ୍କିଲ ହେବ। ସେପଟେ ହୁ ହୁ ହୋଇ ବଢିଚାଲିଥିବା ଦରଦାମକୁ ନେଇ ରାଜନୀତି ବି ତେଜିଛି।

ଦୁଇ ମାସ ତଳେ ସରୁ ଲଚକରି ଅରୁଆ ଚାଉଳ କେଜି ପିଛା ୬୦ଟଙ୍କା ଥିଲା, ଏବେ କେଉଁଠି ୮୦ ତ କେଉଁଠି ୮୫। ୬୫ରୁ କମ୍ ରେ ମିଳୁନି ଜିରା ରାଇସ୍। ଆଉ ୩୫ ଟଙ୍କିଆ ସାଧାରଣ ଚାଉଳ ଏବେ ୪୦ ହୋଇଗଲାଣି। ବେପାରୀ କହୁଛନ୍ତି, ଆଗକୁ ଦର ଆହୁରି ବଢିପାରେ। ଡାଲି ବି ମାସକ ଭିତରେ ମହଙ୍ଗା ହେଲାଣି ୨୦ରୁ ୨୫ ଟଙ୍କା। ହରଡ ୧୨୦ ଟଙ୍କା ଥିଲା ଏବେ ୧୪୦, ମୁଗ ଡାଲି ୧୦୦ରୁ ୧୧୨ ଟଙ୍କା। ବୁଟ ଡାଲି ବି ବଢିଛି। 

ମହଙ୍ଗା ଡାଲି-ଚାଉଳ ପାଇଁ ଛୋଟ ହୋଟେଲ ବ୍ୟବସାୟୀଙ୍କ ମୁଣ୍ଡରେ ଚଡକ ପଡିଛି। ଦର ବଢାଇଲେ ଗ୍ରାହକ ଖାଇବେନି, ନବଢାଇଲେ ଘାଟା। ପୂର୍ବରୁ ମହଙ୍ଗା ପନିପରିବା ଓ ରାସନ ସାମଗ୍ରୀ ପାଇଁ ମିଲ୍ସ ରେଟ୍ ବଢାଇଥିଲେ, ଏବେ ପୁଣି କେମିତି ବଢାଇବେ ସେହି ଚିନ୍ତା ଘାରିଛି। 

ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଲଗାତାର ବଢିଚାଲିଛି। ଅଗଷ୍ଟରେ ଏହା ୪.୮୩ ଥିଲା, ସେପ୍ଟେମ୍ବରରେ ୫.୫୪%ରେ ପହଞ୍ଚିଛି। ଯାହା ଗତ ୨୨ ମାସ ମଧ୍ୟରେ ସର୍ବାଧିକ। ଖାଦ୍ୟ ସାମଗ୍ରୀର ଦାମ ବୃଦ୍ଧି ଏବଂ ବିଶ୍ୱସ୍ତରରେ ତେଲ ଦର ବଢିବା କାରଣରୁ ମୁଦ୍ରାସ୍ଫୀତି, ଆରବିଆଇର ନିର୍ଦ୍ଧାରିତ ୬% ସୀମା ପାଖାପାଖି ପହଞ୍ଚିଯାଇଛି। 

ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ଅଗଷ୍ଟର ୫.୯୭ରୁ ସେପଟେମ୍ବରରେ ୭.୭୪%କୁ ବୃଦ୍ଧି ପାଇଛି। ପିଆଜ ଦର ୧୦୮% ବୃଦ୍ଧି ପାଇଥିବା ବେଳେ ଅଦା ଓ ରସୁଣ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ ହୁ ହୁ ହୋଇ ବଢୁଛି। ସହରାଞ୍ଚଳରେ ମୁଦ୍ରାସ୍ଫୀତି ୪.୮୮% ଥିବା ବେଳେ ଗ୍ରାମାଞ୍ଚଳରେ ୬.୦୮% ରହିଛି। ଫଳରେ ଗ୍ରାମୀଣ ପରିବାର ଉପରେ ଅଧିକ ଆର୍ଥିକ ଚାପ ପଡୁଛି।

ଓଡ଼ିଶାରେ ବି ମୁଦ୍ରାସ୍ଫୀତି ହାର ଉତ୍କଟ ହେଲାଣି। ୫୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୫ ରାଜ୍ୟ ମଧ୍ୟରେ ଦ୍ବିତୀୟରେ ରହିଛି ଓଡ଼ିଶା। ସେପଟେମ୍ବରରେ ମୁଦ୍ରାସ୍ଫୀତି ହାର ୬.୭୦। ସେହିପରି ଖାଦ୍ୟ ମୁଦ୍ରାସ୍ଫୀତିରେ ୯.୫୮ ସହ ରାଜ୍ୟର ସ୍ଥାନ ତୃତୀୟ। ରକେଟ୍ ବେଗରେ ବଢୁଥିବା ଦରଦାମକୁ ନେଇ ତେଜିଛି ରାଜନୀତି। 

ଏହାରି ଭିତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ RBI ନିକଟରେ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବଢାଇ ୫.୫%କୁ ବୃଦ୍ଧି କରିଛି। ୨୦୨୩ ଫେବ୍ରୁଆରୀ ପରେ ଏହା ରେପୋ ରେଟ୍ ରେ ପ୍ରଥମ ବୃଦ୍ଧି। ଫଳରେ ହୋମ୍ ଲୋନ୍, କାର୍ ଲୋନ୍ ଏବଂ ପର୍ସନାଲ ଲୋନ୍ ର EMI ବଢିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।