Rourkela Airport Struggles: ରାଉରକେଲା ବିମାନ ବନ୍ଦରରେ ଅଚଳାବସ୍ଥା; ବର୍ଷକୁ ମାତ୍ର କିଛି ମାସ ପାଇଁ ଉଡୁଛି ବିମାନ, କେବେ ସୁଧୁରିବ?
ରାଉରକେଲା ବିମାନ ବନ୍ଦରରେ ଅଚଳାବସ୍ଥା । ବର୍ଷକୁ ଖୁବ କମ ଦିନ ଉଡୁଛି ବିମାନ । ଅଧିକ ସମୟ ପାଗ ଖରାପ ଦର୍ଶାଇ ବିମାନ ସେବା ବନ୍ଦ ରହୁଛି । ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ସମସ୍ୟାର ସମାଧାନ ପାଇଁ ଘୋଷଣା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ରାଉରକେଲାରୁ ଦେଖିବା ଆମର ଏହି ସ୍ବତନ୍ତ୍ର ରିପୋର୍ଟ । କଣ ହେବ ରାଉରକେଲା ବିମାନ ବନ୍ଦରର ଭାଗ୍ୟ?
ଏଭଳି ଅନେକ ପ୍ରଶ୍ନ ରାଉରକେଲାବାସୀଙ୍କ ମନ ଭିତରେ ଉଙ୍କି ମାରୁଥିବା ବେଳେ ଥରେ ନଜର ପକାନ୍ତୁ ରାଉରକେଲା ବିମାନ ବନ୍ଦରକୁ । ଯେଉଁଠି ଦିନେ ଯାତ୍ରୀଙ୍କ ଭିଡ଼ ଜମୁଥିଲା ସେଠାରେ ଆଜି ଶୂନଶାନ ପରିବେଶ । ହାତଗଣତି କେତୋଟି ବିମାନ ବନ୍ଦର କର୍ମଚାରୀଙ୍କୁ ଛାଡ଼ିଦେଲେ, ଯାତ୍ରୀଙ୍କ ଦେଖା ଦର୍ଶନ ନାହିଁ । ରାଉରକେଲା ବିମାନ ବନ୍ଦରକୁ ବିମାନ ଯାତାୟାତ ଦୀର୍ଘ ସମୟ ଧରି ବାତିଲ ହେବା ପରେ ଏହା ହେଉଛି ତା’ ପରର ଦୃଶ୍ୟ ।
ରାଉରକେଲାରେ NIT, BPUT ସହ ଅନେକ ଛାଟ ବଡ ଶିକ୍ଷାନୁଷ୍ଠାନ ରହିଛି । ଏହାସହ ଷ୍ଟିଲପ୍ଲଣ୍ଟ ଓ ହକି ଷ୍ଟାଡିୟମ ଭଳି ବୃହତ ପ୍ରକଳ୍ପ ମଧ୍ୟ ଗଢିଉଠିଛି ।ଏହାବାଦ୍ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇଁ ରାଉରକେଲାକୁ ବିମାନ ସେବା ହିଁ ଏକମାତ୍ର ଭରସା । ହେଲେ, ଅଭିଯୋଗ ହେଉଛି ବର୍ଷକୁ କିଛି ମାସ ବିମାନ ଚାଲୁଥିବା ବେଳେ ଅଧିକାଂଶ ସମୟ ଖରାପ ପାଗ ପାଇଁ ବାତିଲ ହେଉଛି ବିମାନ୍ ସେବା I ଆଲୋକର ସୁବିଧା ନଥିବାରୁ ବିମାନ ଚଳାଚଳ ସ୍ବାଭାବିକ ହୋଇପାରୁନି । ଯାହାଫଳରେ ଅନେକ ଛାତ୍ରୀଛାତ୍ରୀ ଓ ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।
ରାଉରକେଲା ବିମାନ ବନ୍ଦର ଅଚଳାବସ୍ଥାକୁ ନେଇ ରାଜନୈତିକ ବୟାନବାଜୀ ଦେଖିବାକୁ ମିଳିଛି । ବିଜେଡି କହିଛି, ରାଉରକେଲା ସ୍ମାର୍ଟ ସିଟିର ମେରୁଦଣ୍ଡ ହେଉଛି ବିମାନ ସେବା । ହେଲେ ଏହି ସେବା ନିୟମିତ ମିଳୁନି । ଯାହା ଫଳରେ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉଭୟ ସରକାର ଚାହିଁଲେ ମିନି ଇଣ୍ଡିଆର ଲୋକେ ତାର ସୁବିଧା ପାଇପାରନ୍ତେ । ସେପଟେ ବିଜେପି କହିଛି, ଆସନ୍ତା ମାସ ରୁ ୭୨ ସିଟର ବିମାନ ଉଡ଼ିବ । ଆଗକୁ ବିମାନ ବନ୍ଦର ବୃଦ୍ଧି ହେଲେ ଆହୁରି ବଡ ବଡ ବିମାନ ଆସିବ । ଏନେଇ ସରକାର ସବୁ କାମ କରୁଛନ୍ତି ।
ଯେଉଁଠି ଦିନେ ଦେଶର କୋଣ ଅନୁକୋଣକୁ ଯାତ୍ରା କରିବା ପାଇଁ ଯାତ୍ରୀଙ୍କ ଭିଡ଼ ଜମୁଥିଲା ସେଠାରେ ଏବେ ଶୂନଶାନ ପରିବେଶ । ତେବେ ଦେଖାଯାଉ ସରକାର କେବେ ଏଥିପ୍ରତି ଦୃଷ୍ଟି ଦେଉଛନ୍ତି । ଆଉ କେବେ ବିମାନ ଚଳାଚଳ ସ୍ବାଭାବିକ ହେଉଛି ।
- ରାଉରକେଲା ବିମାନ ବନ୍ଦରରେ ଅଚଳାବସ୍ଥା
- ବର୍ଷକୁ ମାତ୍ର କିଛି ମାସ ପାଇଁ ଉଡୁଛି ବିମାନ
- ଖରାପ ପାଗ ପାଇଁ ବାତିଲ ହେଉଛି ବିମାନ ସେବା
- ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ ଓ ରୋଗୀ
- କେବେ ସୁଧୁରିବ ରାଉରକେଲା ବିମାନ ବନ୍ଦରର ଭାଗ୍ୟ ?
- ନିୟମିତ ମିଳୁନି ବିମାନ ସେବା
- ଆସନ୍ତା ମାସରୁ ଉଡ଼ିବ ୭୨ ସିଟର ବିମାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।