Row Erupts Over Rahul Gandhi-Journalist Incident: ଗର୍ଭବତୀ ସାମ୍ବାଦିକାଙ୍କୁ ଠେଲିଦେଲେ ରାହୁଲ ଗାନ୍ଧି! ଅଭିଯୋଗକୁ କଂଗ୍ରେସର ଖଣ୍ଡନ

Oct 13, 2026 - 13:55
Row Erupts Over Rahul Gandhi-Journalist Incident: ଗର୍ଭବତୀ ସାମ୍ବାଦିକାଙ୍କୁ ଠେଲିଦେଲେ ରାହୁଲ ଗାନ୍ଧି! ଅଭିଯୋଗକୁ କଂଗ୍ରେସର ଖଣ୍ଡନ

ସୁପ୍ରିମକୋର୍ଟ ପରିସରରେ ବିରୋଧୀ ଦଳଙ୍କ ପ୍ରତିବାଦ ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଜଣେ ତିନି ମାସର ଗର୍ଭବତୀ ସାମ୍ବାଦିକାଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଜାତୀୟ ଗଣମାଧ୍ୟମ ସାମ୍ବାଦିକା ରିଚା ପରାଶର ଏହି ଅଭିଯୋଗ ଆଣିବା ସହ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରି ଏହାକୁ ବିଜେପିର ମିଥ୍ୟା ପ୍ରଚାର ବୋଲି କହିଛି। ଘଟଣାକୁ ନେଇ ଦୁଇ ଦଳ ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ତୀବ୍ର ହୋଇଛି।

ରିଚାଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ଆୟୋଗଙ୍କ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ପ୍ରତିବାଦ ଚାଲିଥିବା ବେଳେ ସେ ସୁପ୍ରିମକୋର୍ଟ ପରିସରରେ ରାହୁଲ ଗାନ୍ଧିଙ୍କ ବାଇଟ୍‌ ନେବାକୁ ଅପେକ୍ଷା କରିଥିଲେ। ସେ ରାହୁଲଙ୍କ ଆଡ଼କୁ ମାଇକ୍‌ ବଢ଼ାଇଥିଲେ। ରାହୁଲ ମାଇକ୍‌ ହଟାଇବାକୁ ଇଙ୍ଗିତ କରିବାରୁ ସେ ମାଇକ୍‌ ପଛକୁ ନେଇଥିଲେ। କିନ୍ତୁ ଅନ୍ୟ ସାମ୍ବାଦିକମାନେ ମାଇକ୍‌ ଆଗକୁ ବଢ଼ାଇବାରୁ ସେ ପୁଣି ମାଇକ୍‌ ଆଗକୁ ନେଇଥିଲେ।

ଏହି ସମୟରେ ରାହୁଲ ଗାନ୍ଧି ତାଙ୍କ ହାତକୁ ଧରି ଜୋର୍‌ରେ ଟାଣି ଦେଇଥିଲେ। ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ଠେଲି ଦେବାରୁ ସେ ସୁପ୍ରିମକୋର୍ଟ ପ୍ରବେଶ ପଥରେ ଥିବା ପାହାଚ ଉପରେ ମୁହଁ ମାଡ଼ି ପଡ଼ିଯାଇଥିଲେ। ତାଙ୍କ ଆଣ୍ଠୁ ଓ ପେଟ ତଳେ ମାଡ଼ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହା ସହ ରାହୁଲ ତାଙ୍କ କ୍ୟାମେରାମ୍ୟାନ୍‌ଙ୍କୁ ମଧ୍ୟ ଠେଲି ଦେଇଥିବା ଏବଂ ସେ ରିଚାଙ୍କ ଉପରେ ପଡ଼ିଯିବା ପରେ ଅନ୍ୟ କେତେଜଣ ମଧ୍ୟ ତାଙ୍କ ଉପରେ ପଡ଼ିଯାଇଥିବା ଅଭିଯୋଗ କରିଛନ୍ତି।

ଏହି ଘଟଣାରେ ତାଙ୍କ ମୋବାଇଲ୍‌ ଫୋନ୍‌ ଭାଙ୍ଗିଯାଇଥିବା ଏବଂ ମାଇକ୍‌ର ରିସିଭର୍‌ ଖସିଯାଇଥିବା ରିଚା କହିଛନ୍ତି। ଏ ନେଇ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା କୌଣସି ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ। ସେ ଜଣେ ସାଧାରଣ ନାଗରିକ ଓ କାର୍ଯ୍ୟରତ ସାମ୍ବାଦିକା। ଘଟଣା ପରେ ତାଙ୍କୁ ନେଇ ସୋସିଆଲ୍‌ ମିଡିଆରେ ବିଭିନ୍ନ ମନ୍ତବ୍ୟ ଦିଆଯାଉଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ରିଚା ଘଟଣା ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି। କିନ୍ତୁ କଂଗ୍ରେସ ନେତା ଓ ସମର୍ଥକମାନେ ଏହି ଭିଡିଓରେ ରାହୁଲ ଗାନ୍ଧି ତାଙ୍କୁ ଟାଣିବା କିମ୍ବା ଠେଲିବା ସ୍ପଷ୍ଟ ଦେଖାଯାଉନାହିଁ ବୋଲି ଦାବି କରିଛନ୍ତି। ଭିଡିଓକୁ ନେଇ ଦୁଇ ପକ୍ଷ ଭିନ୍ନ ଭିନ୍ନ ମତ ରଖିଛନ୍ତି। 

କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ରିଚାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଘଟଣାର ସମୟ ଓ ହସ୍ପିଟାଲ୍‌ରେ ପହଞ୍ଚିବା ସମୟ ମଧ୍ୟରେ ମେଳ ଖାଉନି। ବିଜେପି ଏହି ଘଟଣାକୁ ରାଜନୈତିକ ପ୍ରଚାରର ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। ତେବେ ଗର୍ଭାବସ୍ଥାରେ ଏକ୍ସ-ରେ କରାଯିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ବିଜେପି ମଧ୍ୟ ଏହି ଘଟଣାକୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କରିଛି। ଦଳର ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଅଭିଯୋଗ କରିଛନ୍ତି ଯେ, ଘଟଣା ପରେ କୌଣସି କଂଗ୍ରେସ କର୍ମୀ ସାମ୍ବାଦିକାଙ୍କ ସହାୟତା ପାଇଁ ଆଗେଇ ଆସିନଥିଲେ। ବରଂ ତାଙ୍କ ଅଭିଯୋଗ ଉପରେ ପ୍ରଶ୍ନ ଉଠାଯାଇଥିଲା। ରାହୁଲ ଗାନ୍ଧି ମହିଳାଙ୍କ ସମ୍ମାନ ବିଷୟରେ କଥା କହୁଥିବା ବେଳେ ତାଙ୍କ ଆଚରଣ କିନ୍ତୁ ଭିନ୍ନ।

ଉଲ୍ଲେଖଯୋଗ୍ୟ, ଗତକାଲି ନିର୍ବାଚନ ଆୟୋଗଙ୍କ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କୁ ନେଇ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବ୍ଲକ ପକ୍ଷରୁ ଦିଲ୍ଲୀରେ ପ୍ରତିବାଦ କରାଯାଇଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆୟୋଜିତ ଏହି ପ୍ରତିବାଦରେ ବହୁ ବିରୋଧୀ ନେତା ଓ କର୍ମୀ ସାମିଲ ହୋଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।