Rs 10 Lakh Bulletproof Jackets For 52 UP Leaders: ଯୋଗୀ, ଅଖିଳେଶ ପିନ୍ଧିବେ ୧୦ ଲକ୍ଷର ଜାକେଟ୍; ୫୨ ନେତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରମୁଖ ରାଜନେତାଙ୍କ ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ନିଆଯାଇଛି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ସମେତ ୫୨ ଜଣ ପ୍ରମୁଖ ନେତାଙ୍କୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଅଧୀନରେ ବୁଲେଟପ୍ରୁଫ୍ ଜାକେଟ୍ ଦିଆଯିବ ବୋଲି ଘୋଷଣା କରାଯାଛି। ପ୍ରତ୍ୟେକ ଜାକେଟ୍ର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି।
ଏହି ସୁରକ୍ଷା ବ୍ୟବସ୍ଥାରେ ଶାସକ ଦଳ ସହିତ ବିରୋଧୀ ଦଳର ମଧ୍ୟ ଅନେକ ନେତାଙ୍କୁ ସାମିଲ କରାଯାଇଛି। ଅଖିଳେଶ ଯାଦବ ଓ ମାୟାବତୀଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ନେତା, ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ଏହି ତାଲିକାରେ ଥିବା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟର ୧୧ ଜଣ ମନ୍ତ୍ରୀଙ୍କୁ ମଧ୍ୟ ଏହି ଅତିରିକ୍ତ ସୁରକ୍ଷା କବଚ ଦିଆଯାଉଛି।
୨୦୨୭ ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ରାଜନୈତିକ ଗତିବିଧି ଧୀରେ ଧୀରେ ବଢ଼ିବ। ବଡ଼ ବଡ଼ ଜନସଭା, ରାଲି, ରୋଡ୍ ଶୋ’ ଓ ନିର୍ବାଚନୀ ଯାତ୍ରାରେ ପ୍ରମୁଖ ନେତାମାନେ ଯୋଗଦେବେ। ଏହି ସମୟରେ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ଏକ ବଡ଼ ପ୍ରଶାସନିକ ଚ୍ୟାଲେଞ୍ଜ ହୋଇପାରେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆଗୁଆ ଭାବେ ମଜବୁତ କରାଯାଇଛି।
ରିପୋର୍ଟ ଅନୁସାରେ, ନେତାମାନଙ୍କୁ ପୂର୍ବରୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ସହିତ ଏହି ନୂଆ ସୁରକ୍ଷା କବଚକୁ ଅତିରିକ୍ତ ବ୍ୟବସ୍ଥା ଭାବେ ଦେଖାଯାଉଛି। ସୁରକ୍ଷା ଏଜେନ୍ସିଗୁଡ଼ିକର ଆକଳନ ଏବଂ ଗୁଇନ୍ଦା ତଥ୍ୟକୁ ଆଧାର କରି ନେତାମାନଙ୍କୁ ଚୟନ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟରେ କୁହାଯାଇଛି ଯେ Y ଶ୍ରେଣୀଠାରୁ Z+ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।