Saif Ali Khan Haiwaan: ବାପା-ଝିଅର ସ୍ନେହରେ ଭିଜିଲା ‘ହୈୱାନ୍’, ରିଲିଜ୍ ହେଲା ନୂଆ ଗୀତ

Aug 20, 2026 - 10:33
Saif Ali Khan Haiwaan: ବାପା-ଝିଅର ସ୍ନେହରେ ଭିଜିଲା ‘ହୈୱାନ୍’, ରିଲିଜ୍ ହେଲା ନୂଆ ଗୀତ

ଅକ୍ଷୟ କୁମାର ଓ ସୈଫ୍ ଅଲୀ ଖାନ୍‌ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ସାଇକୋଲୋଜିକାଲ୍ ଥ୍ରିଲର୍ ‘ହୈୱାନ୍’ କୁ ନେଇ ଦର୍ଶକଙ୍କ ଉତ୍ସାହ ଏବେ ଆହୁରି ବଢ଼ିଛି। ଫିଲ୍ମର ରହସ୍ୟମୟ ଟିଜର୍ ପରେ ଏବେ ନିର୍ମାତାମାନେ ଏହାର ପ୍ରଥମ ଗୀତ ‘ମେରେ ହିରୋ ହୈଁ ୱୋ’ ରିଲିଜ୍ କରିଛନ୍ତି। ଗୀତରେ ସୈଫ୍ ଅଲୀ ଖାନ୍‌ଙ୍କୁ ଜଣେ ଦୃଷ୍ଟିବାଧିତ ବାପାଙ୍କ ଭୂମିକାରେ ଦେଖିବାକୁ ମିଳିଛି। ତାଙ୍କର ଓ ଜଣେ ଛୋଟ ଝିଅ ମଧ୍ୟରେ ଥିବା ନିରୀହ ଏବଂ ଭାବପ୍ରବଣ ସମ୍ପର୍କ ଗୀତର ମୁଖ୍ୟ ଆକର୍ଷଣ ପାଲଟିଛି।

ସସ୍ପେନ୍ସ ମଧ୍ୟରେ ଭାବନାର ଝଲକ

ଟିଜର୍‌ରେ ସୈଫ୍‌ଙ୍କୁ ଆଖିରେ ପଟି ଓ ହାତରେ ବାଡ଼ି ଧରି ଚାଲୁଥିବା ଦେଖାଯାଇଛି। ସେ ଜଣେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଅନ୍ୟପଟେ ଅକ୍ଷୟ କୁମାରଙ୍କ ଚରିତ୍ର ତାଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖୁଥିବା ନଜର ଆସିଛି। ଉଭୟଙ୍କ ମଧ୍ୟରେ କ’ଣ ସମ୍ପର୍କ ଏବଂ କାହାଣୀ କେଉଁ ଦିଗକୁ ଯିବ, ତାହା ଏବେ ବି ରହସ୍ୟ ହୋଇ ରହିଛି।

‘ମେରେ ହିରୋ ହୈଁ ୱୋ’ରେ ବାପା-ଝିଅର ସ୍ନେହ

ଟିଜର୍‌ର ଭୟ ଓ ସସ୍ପେନ୍ସଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଭାବନାକୁ ସାମ୍ନାକୁ ଆଣିଛି ‘ମେରେ ହିରୋ ହୈଁ ୱୋ’। ଏହି ଗୀତ ସୈଫ୍‌ଙ୍କ ଚରିତ୍ର ଓ ଶିଶୁ କଳାକାର ପହଲ ଚୌଧୁରୀଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ନେଇ ଗଢ଼ାଯାଇଛି।

ଦୃଷ୍ଟିବାଧିତ ବାପା ଓ ତାଙ୍କ ଝିଅ ମଧ୍ୟରେ ଥିବା ଭଲପାଇବା, ଭରସା ଓ ଆତ୍ମୀୟତା ଗୀତରେ ଖୁବ ସୁନ୍ଦର ଭାବେ ଦେଖାଯାଇଛି। ଏହି ଦୃଶ୍ୟଗୁଡ଼ିକ ସସ୍ପେନ୍ସଭରା କାହାଣୀ ମଧ୍ୟରେ ଏକ ଭାବପ୍ରବଣ ମୋଡ଼ ଆଣିଛି। ଗୀତଟି ଦେଖିବା ପରେ ଦର୍ଶକଙ୍କ ମନରେ ସୈଫ୍‌ଙ୍କ ଚରିତ୍ରକୁ ନେଇ ଆହୁରି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।

ପ୍ରୀତମ୍‌ଙ୍କ ସଙ୍ଗୀତ, ଜାଭେଦ୍ ଅଖତରଙ୍କ ଶବ୍ଦ

ଗୀତଟିକୁ ଆହୁରି ଖାସ୍ କରିଛି ଏହାର ସଙ୍ଗୀତ ଓ କଣ୍ଠ। ପ୍ରସିଦ୍ଧ ସଙ୍ଗୀତକାର ପ୍ରୀତମ୍ ଏହାର ସଙ୍ଗୀତ ସଜାଇଥିବା ବେଳେ ଦିଗ୍ଗଜ ଗୀତିକାର ଜାଭେଦ୍ ଅଖତର ଗୀତର ଶବ୍ଦ ଲେଖିଛନ୍ତି। ଗାୟକ ଶାନ୍ ଏବଂ ଗାୟିକା ୱାନିକା ନାୟକଙ୍କ ସ୍ୱର ଗୀତର ଭାବନାକୁ ଆହୁରି ଗଭୀର କରିଛି।

ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ଦମଦାର ଷ୍ଟାରକାଷ୍ଟ

‘ହୈୱାନ୍’ର ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ଫିଲ୍ମମେକର୍ ପ୍ରିୟଦର୍ଶନ। ଫିଲ୍ମରେ ଅକ୍ଷୟ କୁମାର ଓ ସୈଫ୍ ଅଲୀ ଖାନ୍‌ଙ୍କ ବ୍ୟତୀତ ବୋମନ୍ ଇରାନୀ, ସୈୟାମୀ ଖେର୍ ଏବଂ ଶ୍ରିୟା ପିଲଗାଁଓକର୍‌ଙ୍କ ଭଳି ଦକ୍ଷ କଳାକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ।

୧୧ ସେପ୍ଟେମ୍ବରରେ ପରଦାକୁ ଆସିବ ‘ହୈୱାନ୍’

ରହସ୍ୟ, ସସ୍ପେନ୍ସ ଓ ଭାବନାର ଏକ ନିଆରା ମିଶ୍ରଣ ନେଇ ଆସୁଛି ‘ହୈୱାନ୍’। ଟିଜର୍‌ରେ ଦେଖିବାକୁ ମିଳିଥିବା ଅକ୍ଷୟ-ସୈଫ୍‌ଙ୍କ ରହସ୍ୟମୟ ଟକ୍କର ଏବଂ ଏବେ ରିଲିଜ୍ ହୋଇଥିବା ବାପା-ଝିଅର ଭାବପ୍ରବଣ କାହାଣୀ ଫିଲ୍ମକୁ ନେଇ ଦର୍ଶକଙ୍କ ଆଗ୍ରହକୁ ଆହୁରି ବଢ଼ାଇଛି।

ଏହି ସସ୍ପେନ୍ସଭରା ସାଇକୋଲୋଜିକାଲ୍ ଥ୍ରିଲର୍ ୧୧ ସେପ୍ଟେମ୍ବର ୨୦୨୬ରେ ସାରା ଦେଶର ସିନେମା ହଲ୍‌ରେ ରିଲିଜ୍ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।