SCB: ଏସ୍ସିବିରେ ଦେଢ଼ କୋଟି ହେରଫେର ଘଟଣା: ରିମାଣ୍ଡରେ ଆସି ଦୀନେଶର ହାଇଡ୍ରାମା
"କଟକ: ଏସ୍ସିବି ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର୍ ଦୀନେଶ ରାଉତକୁ ପୁଲିସ ଦୁଇଦିନିଆ ରିମାଣ୍ଡରେ ଆଣି ନାକେଦମ ହୋଇଛି।
ଦୁଇଦିନିଆ ରିମାଣ୍ଡରେ ଆସି ସେ ଖଣ୍ଡେ ବିସ୍କୁଟ୍ ଛଡ଼ା ଆଉ କିଛି ଖାଇ ନଥିଲା।
ଅସୁସ୍ଥ ଥିବା କହିଥିଲା।
ତେଣୁ ବାଧ୍ୟ ହୋଇ ପୁଲିସ ତାକୁ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ଜେଲ୍ ପଠାଇ ଦେଇଛି।
ଫଳରେ ତା" ନିକଟରୁ ପୁଲିସ ଅଧିକ ତଥ୍ୟ କାଢ଼ିବାରେ ସମସ୍ୟା ହୋଇଥିଲା।
Advertisment ମଙ୍ଗଳାବାଗ ଥାନା ପୁଲିସ ଦୀନେଶକୁ ୨୬ ତାରିଖ ଦିନ ଦୁଇଟାରେ ଜେଏମ୍ଏଫ୍ସି ସିଟି କୋର୍ଟ ମାଧ୍ୟମରେ ରିମାଣ୍ଡରେ ଆଣିଥିଲା।
କୋର୍ଟର ନିର୍ଦ୍ଦେଶ ମୁତାବକ ୨୮ ତାରିଖ ଦିନ ଦୁଇଟା ବେଳେ ସେ କୋର୍ଟରେ ହାଜର ହୋଇଥାନ୍ତା।
କିନ୍ତୁ ମଙ୍ଗଳାବାଗ ଥାନା ପୁଲିସ ୨୭ ତାରିଖ ଦିନ ଦୁଇଟା ବେଳେ ତାକୁ କୋର୍ଟରେ ହାଜର କରି ଚୌଦ୍ବାର ଜେଲ୍କୁ ସ୍ଥାନାନ୍ତର କରିଛି।
ସେ ରିମାଣ୍ଡରେ ଆସିଥିବା ବେଳେ ଥାନାରେ କିଛି ଖାଦ୍ୟ ନ ଖାଇ ମୁଣ୍ଡ ବୁଲାଉଥିବା, ପେଟରେ ଯନ୍ତ୍ରଣା, ଛାତିରେ ଯନ୍ତ୍ରଣା ଇତ୍ୟାଦି ବାହାନା ଦେଖାଇଥିଲା।
ତେଣୁ ବାଧ୍ୟ ହୋଇ ପୁଲିସ ତାକୁ ରବିବାର ଜେଲ୍ ପଠାଇ ଦେଇଥିଲା।
ସେ ରିମାଣ୍ଡ ଅବଧି ସମୟରେ ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍ରେ ନିଜ ଆକାଉଣ୍ଟ ନମ୍ବର ଦେବା ନେଇ କରିଥିବା କାରସାଦି ସମ୍ପର୍କରେ ପୁଲିସକୁ କହିଥିଲା।
ଏହା ସହିତ ନିଜ ଦରମା ଆକାଉଣ୍ଟରେ ଏହି ହେରଫେର ଟଙ୍କା ଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଚେକ୍ ମାଧ୍ୟମରେ ଉଠାଇ ଅନ୍ୟ ଆକାଉଣ୍ଟକୁ ପଠାଉଥିଲା।
ଯେଉଁ ଆକାଉଣ୍ଟକୁ ଏହି ଟଙ୍କା ସ୍ଥାନାନ୍ତର ହୋଇଛି, ସେହି ଆକାଉଣ୍ଟକୁ ମଧ୍ୟ ପୁଲିସ ଜବତ କରିବାକୁ ଯୋଜନା କରୁଛି।
ଓପାସ ରହି ପୁଲିସକୁ ଡରାଇଲା ଧରାପଡ଼ିଲା ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ କାରସାଦି ସୂଚନା ଅନୁଯାୟୀ, ଅଗଷ୍ଟ ୨୮ରେ ମଙ୍ଗଳାବାଗ ଥାନା ପୁଲିସ ଦୀନେଶକୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ସେ ୨୦୧୬ରୁ ଏସ୍ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୧୭ ଶହ କର୍ମଚାରୀଙ୍କ ମଧ୍ୟରୁ ଭିନ୍ନ ଭିନ୍ନ ସମୟରେ କର୍ମଚାରୀଙ୍କ ଟିଏ, ଡିଏ, ବର୍ଦ୍ଧିତ ଦରମା ବାବଦ ଏରିୟର, ଷ୍ଟଡି ଟୁର୍, ମାଟର୍ନିଟି ଲିଭ୍, ବେଆଇନ ଭାବେ ଛୁଟି ନେବା ବାବଦ ଟଙ୍କା ନିଜ ଆକାଉଣ୍ଟ୍କୁ ଆଣି ହଡ଼ପ କରୁଥିବା ଅଭିଯୋଗ ହୋଇଥିଲା।
ଦୀନେଶର ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ମଙ୍ଗଳାବାଗ ଥାନା ପୁଲିସ ହାତରେ ଲାଗିଛି।
ପୁଲିସ ଦୀନେଶର ୮୯ ହଜାର ଟଙ୍କା ଫ୍ରିଜ୍ କରିଦେଇଛି।
ଦୀନେଶ ଏହି ଟଙ୍କା ନିଜ ଆକାଉଣ୍ଟ୍କୁ ଆଣିବା ପରେ ଯେଉଁ କର୍ମଚାରୀମାନେ ମାଗୁଥିଲେ ସେମାନଙ୍କୁ ସେ କିଛି ଟଙ୍କା କମିସନ ଆକାରରେ ରଖି ଅବଶିଷ୍ଟ ଟଙ୍କା ଦେଉଥିଲା।
ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ଯେତେବେଳେ କର୍ମଚାରୀଙ୍କ ତଥ୍ୟ ଦୀନେଶ ଦେଉଥିଲା, ସେହି ସମୟରେ ନିଜ ଆକାଉଣ୍ଟ ଦେଇ ଏଭଳି କାରସାଦି କରୁଥିବା ଭଳି ସଙ୍ଗିନ ତଥ୍ୟ ପୁଲିସ ହାତରେ ଲାଗିଛି।
ମାସିକ ବିଲ୍ ଭରିବାର ଶେଷ ସମୟରେ ଦୀନେଶ ଏସ୍ସିବି କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବଦଳରେ ନିଜର ଆକାଉଣ୍ଟ ନମ୍ବର ଦେଇଦେଉଥିଲା।
ଯାହାଫଳରେ ସମ୍ପୃକ୍ତ କର୍ମଚାରୀଙ୍କ ଟଙ୍କା ଦୀନେଶଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଯାଉଥିଲା।
ଏଭଳି ଭାବେ ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍ରେ ୨୦୭ଟି ବିଲ୍ ହେରଫେର୍ ହୋଇଥିବା ତଥ୍ୟ ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି।
ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ କିଭଳି ଜଣେ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବଦଳାଇ ନିଜର ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଦେଉଥିଲା, ଏ ନେଇ ତଥ୍ୟ ରଖିବାକୁ ଏସ୍ସିବି କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏସ୍ସିବି ପକ୍ଷରୁ ପୁଲିସକୁ ଏଯାଏଁ ମିଳିପାରିନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।