School mid-day meal problem: ମଧ୍ୟାହ୍ନ ଭୋଜନ ପାଇଁ ଏ କି ବ୍ୟବସ୍ଥା? ହାତରେ ଥାଳି, ରାସ୍ତାରେ ଛାତ୍ରଛାତ୍ରୀଙ୍କ ଧାଡ଼ି

Aug 15, 2026 - 14:17
School mid-day meal problem: ମଧ୍ୟାହ୍ନ ଭୋଜନ ପାଇଁ ଏ କି ବ୍ୟବସ୍ଥା? ହାତରେ ଥାଳି, ରାସ୍ତାରେ ଛାତ୍ରଛାତ୍ରୀଙ୍କ ଧାଡ଼ି

ରାସ୍ତା ଉପରେ ଧାଡ଼ି ଲଗାଇ ମାଡ଼ି ଯାଇଛନ୍ତି ପିଲା। ସ୍କୁଲ ଡ୍ରେସ ପିନ୍ଧିଛନ୍ତି, ହାତରେ ଥାଳି ଧରିଛନ୍ତି। ଥାଳି ଗୋଟିଏ ଗୋଟିଏ ଧରି ପିଲାମାନେ କୁଆଡ଼େ ଯାଉଛନ୍ତି ମନରେ ପ୍ରଶ୍ନ ଆସୁଥିବ। ହେଲେ ପ୍ରକୃତ କାରଣ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। କାରଣ ଏଠି ପିଲାଏ ଆଉକୁଆଡ଼େ ନୁହେଁ ବରଂ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଏପରି ରାସ୍ତା ଉପରେ ଚାଲିଛନ୍ତି। ଏମାନେ ହେଉଛନ୍ତି ଗଜପତି କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ।

ମଧ୍ୟାହ୍ମ ଭୋଜନ ଖାଇବା ପାଇଁ ପ୍ରତିଦିନ ଏହିପରି ୧ କିମି ରାସ୍ତା ଚାଲି ଚାଲି ଯାଇଥାନ୍ତି। ୮ମ, ୯ମ ଓ ୧୦ମ ଶ୍ରେଣୀର ପିଲାମାନେ ନୂତନ କୋଠାରେ ଶିକ୍ଷା ଗ୍ରହଣ କରୁଥିବା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ଉଚ୍ଚ ପ୍ରାଥମିକ ଶ୍ରେଣୀର ପିଲାଙ୍କ ପୁରୁଣା କୋଠାକୁ ମୁଖ୍ୟ ରାସ୍ତା ଦେଇ ଯିବାକୁ ପଡୁଛି। ଆନ୍ଧ୍ର ସୀମାନ୍ତ ଏହି ବ୍ୟସ୍ତବହୁଳ ରାସ୍ତାରେ ଛାତ୍ରଛାତ୍ରୀ ଏଭଳି ଯାତାୟତକୁ ନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି। ପାଠ ପଢିବା ପାଇଁ ନୂଆ କୋଠା ମିଳିଲା, କିନ୍ତୁ ଖାଇବା ପାଇଁ ପୁଣି ପୁରୁଣା କୋଠାକୁ ଯିବାକୁ ପଡୁଛି। ଏଭଳି ବ୍ୟବସ୍ଥା କେତେଦୂର ଯୁକ୍ତିଯୁକ୍ତ, ତାକୁ ନେଇ ପ୍ରଶ୍ନ ଉଠିଛି।

ଏହି ସମସ୍ୟା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ ପୂର୍ବରୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ପୁରାତନ ବିଦ୍ୟାଳୟରେ ରନ୍ଧା ହେଉଥିବା ମଧ୍ୟାହ୍ନ ଭୋଜନ ନୂତନ କୋଠାକୁ ନିୟମିତ ଭାବେ ନେବା-ଆଣିବାରେ ଅସୁବିଧା ହେଉଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ଅନୁଯାୟୀ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ପୁରାତନ ବିଦ୍ୟାଳୟକୁ ଆଣାଯାଉଥିବା ସେ କହିଛନ୍ତି। ସେପଟେ ଏହି ଅସୁବିଧାର ଖୁବଶୀଘ୍ର ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

ଖାଦ୍ୟ ପରିବହନର ବିକଳ୍ପ ବ୍ୟବସ୍ଥା କରିବା ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ରାସ୍ତା ଦେଇ ଯାତାୟାତ କରାଇବା କେତେ ସୁରକ୍ଷିତ ତାହା ଯୁକ୍ତି ସଂଗତ। ପ୍ରଶାସନ ଏହାର ତୁରନ୍ତ ସମାଧାନ କରିବା ଆବଶ୍ୟକ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।