Security Guard Receives Rs 3 Crore GST Notice: ମାସକୁ ୧୦ ହଜାର ଟଙ୍କା ଦରମା, ଆସିଲା ୩ କୋଟିର GST ନୋଟିସ୍!
କାନପୁରରେ ଜଣେ ସୁରକ୍ଷାକର୍ମୀଙ୍କ ଜୀବନ ଏବେ ଏକ ଅଜଣା ଟିକସ ନୋଟିସ୍କୁ ନେଇ ଦୋହଲିଯାଇଛି। ମାସକୁ ମାତ୍ର ୧୦ ହଜାର ଟଙ୍କା ରୋଜଗାର କରୁଥିବା ଓମ୍ ଶୁକ୍ଳାଙ୍କ ନାଁରେ ଆସିଛି ପ୍ରାୟ ୩ କୋଟି ଟଙ୍କାର GST ରିକଭରି ନୋଟିସ୍। ଏହି ମାମଲାରେ ତାଙ୍କ ରାସନ କାର୍ଡ ବାତିଲ୍ ହେବା ସହ ସରକାରୀ ସୁବିଧା ମଧ୍ୟ ବନ୍ଦ ହୋଇଯାଇଛି।
ଓମ୍ ଶୁକ୍ଳା ଏକ ଘରୋଇ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। ତାଙ୍କ ମାସିକ ଦରମା ଥିଲା ପ୍ରାୟ ୧୦ ହଜାର ଟଙ୍କା। କିନ୍ତୁ ୨୦୨୫ ମସିହା ସେପ୍ଟେମ୍ବର ୨୧ ତାରିଖର ଏକ GST ନୋଟିସ୍ ତାଙ୍କୁ ଚିନ୍ତାରେ ପକାଇ ଦେଇଛି।
ନୋଟିସ୍ରେ ଦାବି କରାଯାଇଛି ଯେ, ‘ଓମ୍ ଏଣ୍ଟରପ୍ରାଇଜେସ୍’ ନାମକ ଏକ ସଂସ୍ଥା ତାଙ୍କ ନାଁରେ ୧୭ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛି। ଏହାକୁ ନେଇ ପ୍ରାୟ ୩ କୋଟି ଟଙ୍କାର GST ଦାବି କରାଯାଇଛି।
ନିଜ ନାଁରେ ଏଭଳି ବ୍ୟବସାୟ ହୋଇଥିବା ଜାଣିବା ପରେ ଶୁକ୍ଳା ପ୍ରଥମେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପରେ ବ୍ୟବସାୟୀ ସଂଗଠନର ଜଣେ ପ୍ରତିନିଧିଙ୍କ ସହାୟତାରେ GST କାର୍ଯ୍ୟାଳୟକୁ ଯାଇଥିଲେ। ତାଙ୍କୁ ପ୍ରଥମେ ନୋଟିସ୍ର ଜବାବ ଦାଖଲ କରିବାକୁ କୁହାଯାଇଥିବା ସେ ଦାବି କରିଛନ୍ତି।
ଦିଲ୍ଲୀସ୍ଥିତ GST ମୁଖ୍ୟାଳୟକୁ ମଧ୍ୟ ଚିଠି ଲେଖିଥିଲେ ଶୁକ୍ଳା। ଏପରିକି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ କରିଥିଲେ। କିନ୍ତୁ ତୁରନ୍ତ କୌଣସି ସମାଧାନ ମିଳିନଥିବା ତାଙ୍କ ଅଭିଯୋଗ।
ମାମଲାଟି ଏତେ ଜଟିଳ ହୋଇଗଲା ଯେ, ଅଭିଯୋଗ ନେଇ ଅଫିସ୍ରୁ ଅଫିସ୍ ଦୌଡ଼ିବାକୁ ପଡ଼ିବାରୁ ଶୁକ୍ଳାଙ୍କ ଚାକିରି ମଧ୍ୟ ଚାଲିଗଲା। ବାରମ୍ବାର ଅନୁପସ୍ଥିତ ରହିବାରୁ ଘରୋଇ କମ୍ପାନୀ ତାଙ୍କୁ ଚାକିରିରୁ ବାହାର କରିଦେଇଥିବା କୁହାଯାଇଛି। ଅନ୍ୟପଟେ, ତାଙ୍କ ନାଁରେ ଥିବା ଟିକସ ଦାୟିତ୍ୱ ଯୋଗୁଁ ଋଣ ନେବାରେ ମଧ୍ୟ ସମସ୍ୟା ହେଉଛି।
ତେବେ ଏବେ ମାମଲାରେ ଆଶାର କିରଣ ଦେଖାଦେଇଛି। ଅଗଷ୍ଟ ୧୮ ତାରିଖରେ ଶୁକ୍ଳା କାନପୁର ପୁଲିସ କମିଶନର ରଘୁବୀର ଲାଲଙ୍କୁ ଭେଟି ଅଭିଯୋଗ କରିଥିଲେ। ଏହାପରେ କମିଶନର ମାମଲାର ତଦନ୍ତ ପାଇଁ କ୍ରାଇମ୍ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।
ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ, ଶୁକ୍ଳାଙ୍କ ଦସ୍ତାବିଜ ଏବଂ PAN କାର୍ଡକୁ ଅନ୍ୟ କେହି ବ୍ୟବହାର କରି ତାଙ୍କ ନାଁରେ ବ୍ୟବସାୟ କରିଥିବା ଅଭିଯୋଗ ରହିଛି। ନିଜ ବ୍ୟକ୍ତିଗତ ଦସ୍ତାବିଜରେ କାହାର ହାତ ପହଞ୍ଚିଥିଲା ଏବଂ କିଏ ତାଙ୍କ ପରିଚୟର ଦୁରୁପଯୋଗ କଲା, ଏବେ ତାହାର ତଦନ୍ତ ହେବ।
ପୁଲିସ କମିଶନର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ସ୍ଥାନୀୟ ବ୍ୟବସାୟୀ ସଂଗଠନ ମଧ୍ୟ ଶୁକ୍ଳାଙ୍କ ପକ୍ଷରୁ ଜବାବ ପ୍ରସ୍ତୁତ କରି କେନ୍ଦ୍ରୀୟ GST ବିଭାଗକୁ ପଠାଇବାକୁ ପ୍ରସ୍ତୁତି ଚଳାଇଛି।
ସଂଗଠନ ପକ୍ଷରୁ ଟିକସ ଅଧିକାରୀଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। କାରଣ GSTIN ପାଇବା ପାଇଁ ବ୍ୟବସାୟ ସ୍ଥାନ ସମେତ ଏକାଧିକ ସ୍ତରର ଯାଞ୍ଚ ହୋଇଥାଏ। ତେବେ ମାସକୁ ୧୦ ହଜାର ଟଙ୍କା ଦରମା ପାଉଥିବା ଜଣେ ବ୍ୟକ୍ତିଙ୍କ ନାଁରେ କିପରି କୋଟି କୋଟି ଟଙ୍କାର ବ୍ୟବସାୟ ଦେଖାଗଲା, ସେନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।