Family Dispute Turns Fatal: ବ୍ୟାଙ୍କ ବାହାରେ ପତ୍ନୀଙ୍କୁ ଗୁଳି, ଘରେ ଭଉଣୀଙ୍କୁ ମାରି ଜୀବନ ହାରିଲେ
ଏକ ଚାଞ୍ଚଲ୍ୟକର ଡବଲ୍ ମର୍ଡର ଓ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ଘରକୁ ଫେରି ନିଜ ଭଉଣୀଙ୍କୁ ଗୁଳି କରି ହତ୍ୟା କରିବା ସହ ନିଜେ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ମାନସ ବାଜପେୟୀ ଏବଂ ସେ ଏସ୍ବିଆଇର ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି।
ବ୍ୟାଙ୍କ ବାହାରେ ପତ୍ନୀଙ୍କୁ ଗୁଳି
ଗୁରୁବାର ଲକ୍ଷ୍ନୌର ଅପସ୍କେଲ୍ ଗୋମତୀନଗର ଅଞ୍ଚଳରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଶାଖା ବାହାରେ ମାନସ ତାଙ୍କ ପତ୍ନୀ ଦିବ୍ୟା ମିଶ୍ରଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୩୮ ବର୍ଷୀୟ ମାନସ ତାଙ୍କ ପତ୍ନୀ ଦିବ୍ୟାଙ୍କୁ ବ୍ୟାଙ୍କ ବାହାରକୁ ଡାକିଥିଲେ। ଉଭୟ କିଛି ସମୟ କଥା ହେବା ପରେ ମାନସ ତାଙ୍କୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ଦିବ୍ୟାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦିବ୍ୟା ଓ ମାନସଙ୍କ ବିବାହ ପ୍ରାୟ ୧୨ ବର୍ଷ ପୂର୍ବରୁ ହୋଇଥିଲା। ତେବେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଉଭୟ ଅଲଗା ରହୁଥିଲେ। ଦିବ୍ୟା ଗତ ବର୍ଷ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।
ହ୍ୱାଟ୍ସଆପ୍ ଷ୍ଟାଟସ୍ରେ ଦେଇଥିଲେ ସୂଚନା
ପତ୍ନୀଙ୍କୁ ହତ୍ୟା କରିବା ପରେ ମାନସ ହ୍ୱାଟ୍ସଆପ୍ ଷ୍ଟାଟସ୍ ଜରିଆରେ ଏହି ଘଟଣା ବିଷୟରେ ଲେଖିଥିଲେ। ସେ ତାଙ୍କ ପତ୍ନୀ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ କରିଥିଲେ ଏବଂ ସେଥିପାଇଁ ହତ୍ୟା କରିଥିବା ଲେଖିଥିଲେ।
ଏହା ସହ ସେ ତାଙ୍କ ଭଉଣୀଙ୍କୁ ମଧ୍ୟ ହତ୍ୟା କରିବେ ଏବଂ ପରେ ନିଜେ ଆତ୍ମହତ୍ୟା କରିବେ ବୋଲି ହ୍ୱାଟ୍ସଆପ୍ ଷ୍ଟାଟସ୍ରେ ଉଲ୍ଲେଖ କରିଥିଲେ। ଏହାପରେ ସେ ଘରକୁ ଯାଇ ନିଜ ଭଉଣୀଙ୍କୁ ଗୁଳି କରିବା ସହ ନିଜେ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଥିବା ପୋଲିସ କହିଛି।
ଘରେ ଭାଇ-ଭଉଣୀଙ୍କ ମୃତଦେହ
ଦିବ୍ୟାଙ୍କୁ ଗୁଳି କରାଯାଇଥିବା ଖବର ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି।
ମାନସଙ୍କ ହ୍ୱାଟ୍ସଆପ୍ ଷ୍ଟାଟସ୍ ଯାଞ୍ଚ କରିବା ପରେ ପୋଲିସ ଘରର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ସେଠାରେ ଭାଇ ଓ ଭଉଣୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମାନସଙ୍କ ଛାତି ଉପରେ ଏକ ପିସ୍ତଲ ମଧ୍ୟ ପଡିଥିଲା।
ପାରିବାରିକ ବିବାଦରୁ ହତ୍ୟା!
ପ୍ରାଥମିକ ତଦନ୍ତ ଅନୁସାରେ, ପାରିବାରିକ ବିବାଦ ଯୋଗୁଁ ମାନସ ଏଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ ସନ୍ଦେହ କରୁଛି। ପ୍ରଥମେ ସେ ପତ୍ନୀଙ୍କ ନିକଟକୁ ଯାଇ କଥା ହୋଇଥିଲେ। ଆଲୋଚନାରୁ ସମାଧାନ ନ ବାହାରିବା ପରେ ସେ ପତ୍ନୀଙ୍କୁ ଗୁଳି କରିଥିଲେ। ପରେ ନିଜ ଭଉଣୀଙ୍କୁ ହତ୍ୟା କରି ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।