Sehwag and Dravid Legacy Continues: ବାପାଙ୍କ ପରେ ପୁଅଙ୍କ ପାଳି, ଭାରତୀୟ ଡ୍ରେସିଂ ରୁମ୍‌ରେ ସେହୱାଗ-ଦ୍ରାବିଡଙ୍କ ପୁଅ

Aug 27, 2026 - 16:51
Sehwag and Dravid Legacy Continues: ବାପାଙ୍କ ପରେ ପୁଅଙ୍କ ପାଳି, ଭାରତୀୟ ଡ୍ରେସିଂ ରୁମ୍‌ରେ ସେହୱାଗ-ଦ୍ରାବିଡଙ୍କ ପୁଅ

ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ତାରକାଙ୍କ ପୁଅ ଏବେ ଗୋଟିଏ ଡ୍ରେସିଂ ରୁମ୍‌ରେ। ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କ ପୁଅ ଅନ୍‌ଭୟ ଦ୍ରାବିଡଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ୧୯ ବର୍ଷରୁ କମ୍ ସିରିଜ୍‌ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ଉଭୟଙ୍କ ପାଇଁ ଏହା କେବଳ ଏକ ସିରିଜ୍‌ ନୁହେଁ, ନିଜ ନାଁରେ ପରିଚୟ ତିଆରି କରିବାର ଆଉ ଏକ ବଡ଼ ସୁଯୋଗ।

ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ସିରିଜ୍‌ରେ ଭାରତ ତିନିଟି ଦିନିକିଆ ଏବଂ ଦୁଇଟି ମଲ୍ଟି-ଡେ ମ୍ୟାଚ୍‌ ଖେଳିବ। ଦିନିକିଆ ଦଳରେ ଆର୍ଯ୍ୟବୀର ସେହୱାଗଙ୍କୁ ସ୍ଥାନ ମିଳିଥିବା ବେଳେ ଅନ୍‌ଭୟ ଦ୍ରାବିଡଙ୍କୁ ୱିକେଟକିପର-ବ୍ୟାଟର ଭାବେ ୧୫ ଜଣିଆ ଦଳରେ ଚୟନ କରାଯାଇଛି।

ଦିନିକିଆ ଦଳର ଅଧିନାୟକ ହେବେ ଲକ୍ଷ୍ୟ ରାଇଚନ୍ଦାନୀ ଏବଂ ଯଶବର୍ଦ୍ଧନ ଚୌହାନ ଉପଅଧିନାୟକ ରହିବେ। ମଲ୍ଟି-ଡେ ଦଳର ନେତୃତ୍ୱ ଯଶବର୍ଦ୍ଧନ ଚୌହାନ ନେବେ, ଯେତେବେଳେ ଲକ୍ଷ୍ୟ ରାଇଚନ୍ଦାନୀ ଉପଅଧିନାୟକ ରହିବେ।

ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ବୟସ ଭିତ୍ତିକ କ୍ରିକେଟ୍‌ରେ ନିଜ ପ୍ରତିଭାର ଝଲକ ଦେଇସାରିଛନ୍ତି। ୨୦୨୪ର କୁଚ୍ ବେହାର ଟ୍ରଫିରେ ଦିଲ୍ଲୀ ୧୯ ବର୍ଷରୁ କମ୍ ପାଇଁ ଖେଳି ମେଘାଳୟ ବିପକ୍ଷରେ ସେ ୩୦୯ ବଲ୍‌ରୁ ୨୯୭ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ଟ୍ରିପଲ୍‌ ଶତକଠାରୁ ମାତ୍ର ୩ ରନ୍‌ ଦୂରରେ ରହିଥିଲେ। ୨୦୨୫ କୁଚ୍ ବେହାର ଟ୍ରଫିରେ ମଧ୍ୟ ତାଙ୍କ ବ୍ୟାଟ୍‌ରୁ ୪୯୬ ରନ୍‌ ଆସିଥିଲା।

ଅନ୍‌ଭୟ ଦ୍ରାବିଡ ମଧ୍ୟ ଜୁନିୟର ସ୍ତରରେ ନିଜ ଦକ୍ଷତା ଦେଖାଇଛନ୍ତି। ଜୁଲାଇରେ ଶ୍ରୀଲଙ୍କା 19 ବର୍ଷରୁ କମ୍ ବିପକ୍ଷରେ ମାତ୍ର ୬୭ ବଲ୍‌ରୁ ୮୭ ରନ୍‌ କରି ଭାରତକୁ ସଙ୍କଟରୁ ବାହାର କରିଥିଲେ। ୮୧ ରନ୍‌ରେ ୪ ୱିକେଟ୍‌ ହରାଇଥିବା ଭାରତ ପାଇଁ ଅର୍ଜୁନ ରାଜପୁତଙ୍କ ସହ ୧୪୫ ରନ୍‌ର ଭାଗିଦାରୀ କରିଥିଲେ।

ଏହା ପୂର୍ବରୁ ଭିନୁ ମାଙ୍କଡ ଟ୍ରଫିରେ ୬ଟି ଇନିଂସ୍‌ରୁ ଅନ୍‌ଭୟ ୨୨୦ ରନ୍‌ କରିଥିଲେ। ଏହି ପ୍ରଦର୍ଶନ ହିଁ ତାଙ୍କୁ ଭାରତ ୧୯ ବର୍ଷରୁ କମ୍ ସ୍ତରରେ ଆଉ ଏକ ବଡ଼ ସୁଯୋଗ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।