Seven Feet Floodwater Inside Hospital: ବନ୍ୟାରେ ବେହାଲ ଆସିକା ସହର, ୭ ଫୁଟ ପାଣିରେ ବୁଡ଼ିଲା ଉପଖଣ୍ଡ ମେଡିକାଲ

Oct 30, 2026 - 16:25
Seven Feet Floodwater Inside Hospital: ବନ୍ୟାରେ ବେହାଲ ଆସିକା ସହର, ୭ ଫୁଟ ପାଣିରେ ବୁଡ଼ିଲା ଉପଖଣ୍ଡ ମେଡିକାଲ

ଗଞ୍ଜାମ ଜିଲ୍ଲାର ଆସିକା ସହରରେ ବନ୍ୟା ବିଭୀଷିକା।

ଚାରିଆଡ଼େ ଖାଲି ପାଣି ଆଉ ପାଣି।

ରାସ୍ତାଘାଟଠାରୁ ଆରମ୍ଭ କରି ଘରଦ୍ୱାର ଓ ବ୍ୟାବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସବୁଠି ବନ୍ୟାଜଳ।

ସ୍ଥିତି ଏତେ ସଙ୍ଗୀନ ହୋଇପଡ଼ିଛି ଯେ, ଏବେ ବି ସହରର ଅନେକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି ଉପଖଣ୍ଡ ମେଡିକାଲରେ ପଶିଥିବା ବନ୍ୟାଜଳ।

Advertisment ସୂଚନା ଅନୁସାରେ, ଆସିକା ଉପଖଣ୍ଡ ମେଡିକାଲ ଭିତରେ ପ୍ରାୟ ୭ ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବେଶ କରିଛି।

ଫଳରେ ମେଡିକାଲର ତଳ ମହଲା ଜଳମଗ୍ନ ହୋଇପଡ଼ିଛି।

ହସ୍ପିଟାଲ ପରିସରରେ ପାଣି ଭର୍ତ୍ତି ହୋଇଯିବା ପରେ ରୋଗୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିଲା।

ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରୋଗୀମାନଙ୍କୁ ତଳ ମହଲାରୁ ଉପର ମହଲାର ଦୁଇଟି କୋଠରୀକୁ ସ୍ଥାନାନ୍ତର କରାଯାଇଛି।

ମେଡିକାଲ ଭଳି ଜରୁରୀ ସେବା ପ୍ରଦାନକାରୀ ସ୍ଥାନରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଚିନ୍ତା ବଢ଼ାଇଛି।

ରୋଗୀଙ୍କ ଚିକିତ୍ସା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଜାରି ରଖିବା ଏବେ ବଡ଼ ଆହ୍ୱାନ ପାଲଟିଛି।

Advertisment ସେପଟେ ଆସିକା ବଜାରରେ ମଧ୍ୟ ବନ୍ୟାର ଭୟଙ୍କର ପ୍ରଭାବ ପଡ଼ିଛି।

ଅନେକ ଦୋକାନ ଓ ମେଡିସିନ ଷ୍ଟୋର ଭିତରେ ପାଣି ପଶିଯାଇଛି।

ଫଳରେ ଦୋକାନରେ ଥିବା ସାମଗ୍ରୀ ସହ ଔଷଧ ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି।

ବ୍ୟବସାୟୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।

ଗୋଟିଏ ପଟେ ଜଳବନ୍ଦୀ ଲୋକଙ୍କ ଦୁର୍ଦ୍ଦଶା, ଅନ୍ୟପଟେ ମେଡିକାଲ ଓ ବଜାରରେ ବନ୍ୟାର ପ୍ରକୋପ।

ଆସିକାରେ ସ୍ଥିତି କେବେ ସ୍ୱାଭାବିକ ହେବ, ଏବେ ତାହାକୁ ଅପେକ୍ଷା କରିଛନ୍ତି ସହରବାସୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।