Shocking Discovery After Beggar’s Death: ଜୀବନସାରା ଭିକ ମାଗିଲେ, ଟଙ୍କା ବସ୍ତାରେ ରଖିଲେ; ସୁଖ ପାଇଲେନି
କର୍ଣ୍ଣାଟକର ମାଣ୍ଡ୍ୟାରୁ ଆସିଛି ଏକ ଚକିତ କରିଦେବା ଭଳି ଖବର। ଜୀବନସାରା ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ୬୮ ବର୍ଷୀୟ ମହିଳାଙ୍କ ଘରୁ ମୃତ୍ୟୁ ପରେ ମିଳିଛି ୮ ଲକ୍ଷ ୪୦ ହଜାର ଟଙ୍କା। ତେବେ ଏହି ଟଙ୍କା ତାଙ୍କ ପାଇଁ ଆଉ କୌଣସି କାମରେ ଆସିବ ନାହିଁ।
ମାଣ୍ଡ୍ୟାରେ ରହୁଥିବା ୬୮ ବର୍ଷୀୟ ହୁର୍ଙ୍କର ବୟସଜନିତ ଅସୁସ୍ଥତାରେ ମୃତ୍ୟୁ ହୋଇଥିଲା। ସେ ନିଜ ଭଉଣୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ଭଉଣୀଙ୍କର ମଧ୍ୟ ଦୁଇ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିଲା। ଦୁଇ ଭଉଣୀ ଅବିବାହିତ ଥିଲେ।
ହୁର୍ଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଘର ଯାଞ୍ଚ କରିବା ସମୟରେ ଯାହା ଦେଖିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଘର ଭିତରେ ୩୦ରୁ ଅଧିକ ବସ୍ତାରେ ଭର୍ତ୍ତି ହୋଇଥିଲା ଟଙ୍କା ଓ କଏନ୍। ବସ୍ତାଗୁଡ଼ିକରେ ୧୦, ୨୦ ଓ ୫୦ ଟଙ୍କିଆ ନୋଟ୍ ସହ ବହୁ ପରିମାଣର କଏନ୍ ମଧ୍ୟ ଥିଲା।
ପରେ ସ୍ଥାନୀୟ ଲୋକେ ସମସ୍ତ ଟଙ୍କା ଗଣିବା ପରେ ମୋଟ ୮ ଲକ୍ଷ ୪୦ ହଜାର ଟଙ୍କା ବୋଲି ଜଣାପଡ଼ିଥିଲା। ଏହି ଟଙ୍କା ହୁର୍ଙ୍କ ଭାଇମାନଙ୍କୁ ହସ୍ତାନ୍ତର କରାଯାଇଥିଲା।
ସୂଚନା ଅନୁସାରେ, ଜଣେ ଭାଇ ୬ ଲକ୍ଷ ଟଙ୍କା ନେଇଥିବା ବେଳେ ଅନ୍ୟ ଭାଇଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ମିଳିଥିଲା। ତେବେ ସେହି ଭାଇ ନିଜ ଭାଗର ଟଙ୍କା ଏକ ମସଜିଦକୁ ଦାନ କରିଦେଇଥିଲେ।
ଜୀବନର ସାରା ସମୟ ଅଳ୍ପ ଅଳ୍ପ କରି ସଞ୍ଚୟ କରିଥିବା ଏହି ଟଙ୍କା ଶେଷରେ ହୁର୍ଙ୍କ ଜୀବନରେ କୌଣସି ସୁଖ ଆଣିପାରିଲା ନାହିଁ। ତାଙ୍କ ମୃତ୍ୟୁ ପରେ ଘରୁ ବାହାରିଥିବା ଏହି ବିପୁଳ ଟଙ୍କାର ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।