Shri Sannyasi Ji: ଅମୃତର ସନ୍ଧାନେ/ଶ୍ରୀସନ୍ନ୍ୟାସୀ ଜୀ: ପୁଣ୍ୟ ସବୁ ଯାଉଛି କୁଆଡ଼େ?
"ଅନେକଙ୍କ ମନରେ ଏ ପ୍ରଶ୍ନଟି ଉଙ୍କି ମାରିଥାଏ- ମୁଁ ସବୁଦିନ ଠାକୁରଙ୍କୁ ଡାକୁଛି, ନିତି ମନ୍ଦିରକୁ ଯାଉଛି, ଯାଗଯଜ୍ଞରେ ଭାଗ ନେଉଛି, ବାର ମାସରେ ପଡୁଥିବା ବାଉନ ଓଷା ନୀତି ନିୟମରେ କରୁଛି, ହେଲେ ବିପଦ ମୋର ପିଛା ଛାଡ଼ୁନି।
ମୁଁ ଯୋଉ ଅଭାବୀକୁ ସେଇ ଅଭାବୀ।
ମୋ ପିଲାଛୁଆଙ୍କ ଉନ୍ନତି ଆଦୌ ନାହିଁ।
ମୁଁ କରୁଥିବା ବ୍ରତ, ଉପବାସର କ"ଣ ମୂଲ୍ୟ ନାହିଁ?
ଯଦି ଅଛି, ତେବେ ସେଥିରୁ ଉଦ୍ବୃତ୍ତ ପୁଣ୍ୟ ଯାଉଛି କୁଆଡ଼େ?
Advertisment Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ ମଣିଷ କାମନାର ବଶବର୍ତ୍ତୀ ହୋଇ ଦେବଦେବୀଙ୍କୁ ପୂଜା କରେ।
ମଣିଷର ଏହି ଗୁଣକୁ "ଶ୍ରୀମଦ୍ଭଗବତ ଗୀତା"ରେ ବେଶ୍ ସୁନ୍ଦର ଭାବେ ଲେଖାଯାଇଛି- କାମୈସ୍ତୈସ୍ତୈର୍ହୃତଜ୍ଞାନାଃ ପ୍ରପଦ୍ୟନ୍ତେଽନ୍ୟଦେବତାଃ।/ ତଂ ତଂ ନିୟମମାସ୍ଥାୟ ପ୍ରକୃତ୍ୟା ନିୟତାଃ ସ୍ୱୟା (୭/୨୦)।
ତେବେ ଠାକୁରଙ୍କୁ ପ୍ରାର୍ଥନା କଲେ ମଣିଷର କାମନାଗୁଡ଼ିକ କେତେ ପୂର୍ଣ୍ଣ ହୁଏ କି ନ ହୁଏ, ତାହା ଭିନ୍ନ କଥା, କିନ୍ତୁ ଏହା ନିଶ୍ଚିତ ଯେ ଈଶ୍ୱରଙ୍କ ଆରାଧନା କଲେ ଫଳ ନିଶ୍ଚୟ ମିଳେ।
ଓଷା, ବ୍ରତ, ଉପବାସଠାରୁ ଆରମ୍ଭ କରି ଚକ୍ର ସାଧନା, ପ୍ରାଣାୟାମ, ଧ୍ୟାନ, ସୁଦର୍ଶନ କ୍ରିୟା ଆଦି ଅପେକ୍ଷାକୃତ ବଡ଼ ବଡ଼ ଆଧ୍ୟାତ୍ମିକ ସାଧନା ପର୍ଯ୍ୟନ୍ତ ସବୁର ଫଳ ମିଳେ।
ହେଲେ ମଣିଷ ଯେଉଁ ଅଭିଯୋଗ କରେ ଯେ ସେ ଫଳ ସବୁ କୁଆଡ଼େ ଯାଉଛି ବୋଲି, ସେହି ଅଭିଯୋଗ ନିରାଧାର ନୁହେଁ।
ସାଧନାରୁ ଉଦ୍ବୃତ୍ତ ଫଳକୁ ମଣିଷ ନିଜେ ହିଁ ନିଜ ଅଜାଣତରେ ନଷ୍ଟ କରିଦେଇଥାଏ।
ମଣିଷ କେମିତି ନିଜ ସାଧନାର ଫଳକୁ ନିଜେ ନଷ୍ଟ କରେ, ଆସନ୍ତୁ ତା ଉପରେ କିଛି ଆଲୋଚନା କରିବା।
ଚାକିରି କରିଛ ବୋଲି ଗଣେଶ ବା ସରସ୍ବତୀ ପୂଜାରେ ନିଜ ପୁଅ ପାଇଁ ଦାମୀ ପ୍ୟାଣ୍ଟ-ସାର୍ଟ, କିନ୍ତୁ ରାସ୍ତାକଡ଼ରେ ପରିବା ବିକୁଥିବା ସାନଭାଇର ପୁଅ ପାଇଁ କମ୍ ଦାମ୍ର କପଡ଼ା?
ଘର କରିଛ, କିନ୍ତୁ ଘରର ଆବର୍ଜନା ପାଣିକୁ ସର୍ବସାଧାରଣ ରାସ୍ତା ଉପରକୁ ଛାଡ଼ିଦେଲ?
ଗାଁ ଲୋକଙ୍କ ସହ ତୁମ ପିଲାଛୁଆ ବି ସେଇ ଅପରିଷ୍କାର ପାଣିକୁ ମାଡ଼ିଲେ।
ଘରର ଅଶୌଚ ପାଣିକୁ ଅନ୍ୟମାନେ ମାଡ଼ିଲେ ଯେ ନିଜର କ୍ଷତି ହୁଏ, ଏ କଥା ତୁମ ମଗଜରେ ପଶୁନି କେମିତି କେଜାଣି?
ହିଡ଼କୁ କାଟି ଅନ୍ୟର ଚାଷଜମିରୁ ଚାଖଣ୍ଡେ ନିଜ ଜମିରେ ମିଶାଇ ଦେଲଣି କିମ୍ବା ପଡ଼ିଶା ଘର ଜମିରୁ ଚାରି କଡ଼ି ଜାଗାକୁ ବଳପୂର୍ବକ ଆଖି ଦେଖାଇ ଅକ୍ତିଆରରେ ରଖିଛ।
ଅଫିସ୍ରେ ଅନ୍ୟ ସହକର୍ମୀଙ୍କ ବିରୋଧରେ ଚୁଗୁଲି କରୁଛ।
ଘରେ ଚାକର ପୂଜାରୀ ରଖିଛ।
ହେଲେ ତାଙ୍କ ଆତ୍ମା ଚିହ୍ନୁନ।
ନିଜ ପିତାମାତାଙ୍କ ମନକଥା ମଧ୍ୟ ବୁଝି ପାରୁନ।
ଭଲରେ ଗଣ୍ଡେ ଖାଇବାକୁ ନ ଦେଇ ନିଜ ବାପାମା"ଙ୍କୁ କ୍ୟାଲେଣ୍ଡର୍ ଅନୁସାରେ ଭାଇମାନଙ୍କ ଭିତରେ ବାଣ୍ଟ କରିଦେଉଛ- ଏମିତିଆ ହୀନକାର୍ଯ୍ୟ କରି ହଜାରେ ବ୍ରତ ଉପବାସ କଲେ ବି ଫଳ କେମିତି ମିଳିବ କୁହ?
ଆଧ୍ୟାତ୍ମିକ ସାଧନାରୁ ମିଳିବାକୁ ଥିବା ଫଳ କେମିତି କାମ କରିବ ଯେ?
Dadhichi: ଦଧିଚିର ୨୨ତମ ପ୍ରତିଷ୍ଠା ଦିବସ ଈଶ୍ୱର ହେଉଛନ୍ତି ବିରାଟ ପୁରୁଷ।
ବିରାଟ ପୁରୁଷଙ୍କୁ ଧରିବାକୁ ହେଲେ ମନକୁ ବିରାଟ କରିବାକୁ ପଡ଼ିବ।
ମନ ଯଦି ଦୁର୍ଗନ୍ଧ ବା ଅପରିଷ୍କାର ରହିଲା, ତେବେ ଈଶ୍ୱର କୃପାରୂପୀ ଫଳ ସେଥିରେ ରହିବ କେମିତି?
ଅପରିଷ୍କାର ପାତ୍ରରେ କ୍ଷୀର ରଖିଲେ ତାହା ଯେମିତି ପାନଯୋଗ୍ୟ ନୁହେଁ, ଦୂଷିତ ମନ ନେଇ କରାଯାଉଥିବା ସାଧନା ଏବଂ ଏହାର ଫଳ ମଧ୍ୟ ଫଳଦାୟକ ନୁହେଁ।
ସୁତରାଂ ମନରୁ କ୍ଷୁଦ୍ର ଭାବନା ପରିହାର କର, ସଂସାରକୁ ଈଶ୍ୱର ସ୍ୱରୂପ ମାନ।
ତେବେ ସତ୍କର୍ମର ପୁଣ୍ୟଫଳ କାମ କରିବା ଆରମ୍ଭ କରିଦେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।