SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

Sep 20, 2026 - 20:51
SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଏହି ତାଲିକାରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ତାଙ୍କ ପତ୍ନୀ କ୍ୟୋକୋ ଏସ୍‌. ଜୟଶଙ୍କରଙ୍କ ନାଁ ରହିଛି । ସେହିପରି CBI ନିର୍ଦ୍ଦେଶକ ପ୍ରବୀଣ ସୁଦ, ତାଙ୍କ ପତ୍ନୀ ଭନିତା ସୁଦ ଓ ମା’ କମଲେଶ ସୁଦ,ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନି, ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ନୋଟିସ୍‌ ମିଳିଛି।

ତାଲିକାରେ ପୂର୍ବତନ ଆର୍ମି ଚିଫ୍‌ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ତାଙ୍କ ପତ୍ନୀ ସୁନିତା ଦ୍ୱିବେଦୀଙ୍କ ନାଁ ମଧ୍ୟ ରହିଛି । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ଦେସାଇ ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ ମଧ୍ୟ ନୋଟିସ୍‌ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି।

ନିର୍ବାଚନ କମିଶନଙ୍କ ଯାଞ୍ଚରେ ଏହି ଭୋଟରମାନଙ୍କ ବର୍ତ୍ତମାନର ରେକର୍ଡକୁ ପୂର୍ବ SIR ସମୟରେ ପ୍ରସ୍ତୁତ ହୋଇଥିବା ଭୋଟର ତାଲିକା ସହିତ ମ୍ୟାପ୍‌ କରାଯାଇପାରିନଥିବା କୁହାଯାଇଛି । ଜୟଶଙ୍କର ଓ ତାଙ୍କ ପତ୍ନୀଙ୍କୁ ‘Unmapped Last SIR’ କ୍ୟାଟେଗୋରୀରେ ରଖାଯାଇଛି। ଦୁହେଁ ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରର ସୁନ୍ଦର ନଗର ଭୋଟର ଅଞ୍ଚଳରେ ପଞ୍ଜିକୃତ ଥିବା ରିପୋର୍ଟ ହୋଇଛି । ଏହାକୁ ନେଇ ଚିନ୍ତା ପ୍ରକାଶ ପାଇବା ପରେ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ନୋଟିସ୍‌ ମିଳିବାର ଅର୍ଥ ଭୋଟର ତାଲିକାରୁ ନାଁ ହଟିଯିବା ନୁହେଁ । ସମ୍ପୃକ୍ତ ଭୋଟରମାନଙ୍କୁ ECINETରେ ନିଜ ତଥ୍ୟ ଯାଞ୍ଚ କିମ୍ବା ସଂଶୋଧନ କରିବାର ସୁଯୋଗ ଦିଆଯାଉଛି।

ନିର୍ବାଚନ ଅଧିକାରୀଙ୍କ ଅନୁସାରେ, କାହାର ନାଁ ଭୋଟର ତାଲିକାରୁ ହଟାଇବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେବା ଆବଶ୍ୟକ । ଏହା ପରେ ଉଚିତ କାରଣ ଦର୍ଶାଇ ଏବଂ ଅପିଲ୍‌ର ସୁଯୋଗ ଥିବା ଆଦେଶ ଆଧାରରେ ହିଁ ନାଁ ହଟାଇବା ପ୍ରକ୍ରିୟା ହୋଇପାରିବ ।

ଦିଲ୍ଲୀ SIR ସମ୍ପର୍କିତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟରମାନେ ନିଜ ନାଁ ଡ୍ରାଫ୍ଟ ତାଲିକାରେ ଯାଞ୍ଚ କରିପାରିବେ। ନାଁ କିମ୍ବା ତଥ୍ୟରେ ସମସ୍ୟା ଥିଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବାର ବ୍ୟବସ୍ଥା ରହିଛି। ତେଣୁ SIR ନୋଟିସ୍‌କୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ, ନୋଟିସ୍‌ ଜାରି ହେବା ମାତ୍ରକେ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୋଟର ଅଧିକାର କିମ୍ବା ତାଲିକାରେ ଥିବା ନାଁ ତୁରନ୍ତ ବାତିଲ ହୋଇଯିବ ନାହିଁ ବୋଲି ନିର୍ବାଚନ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।