Six Years On Bed: ଦୁଃଖ ଓ ଦାରିଦ୍ର୍ୟ ପରେ ରୋଗ ଛଡ଼ାଇନେଲା ସବୁକିଛି; ୬ ବର୍ଷ ହେଲାଣି ବିଛଣାରେ କଟୁଛି ଦିନ

Aug 29, 2026 - 18:30
Six Years On Bed: ଦୁଃଖ ଓ ଦାରିଦ୍ର୍ୟ ପରେ ରୋଗ ଛଡ଼ାଇନେଲା ସବୁକିଛି; ୬ ବର୍ଷ ହେଲାଣି ବିଛଣାରେ କଟୁଛି ଦିନ

ଦୁଃଖ ଓ ଦାରିଦ୍ର୍ୟ ତାଙ୍କ ଜୀବନରୁ ଯେମିତି ଛଡ଼ାଇ ନେଇଛି ସବୁ । ଗତ ୬ ବର୍ଷ ହେଲାଣି ବିଛଣା ହିଁ ତାଙ୍କର ଦୁନିଆ। ସ୍ନାୟୁଗତ ରୋଗ ତାଙ୍କୁ ଏମିତି ଅସହାୟ କରିଦେଇଛି ଯେ, ଉଠିବା ବସିବା ମଧ୍ୟ ସମ୍ଭବ ହେଉନାହିଁ। ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର, ହେଲେ ଅର୍ଥାଭାବ ସାଜିଛି ବଡ଼ ବାଧକ। ଭତ୍ତା ଓ ଚାଉଳରେ ଚଳୁଥିବା ମଣିଷ ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ଏମିତି ଏକ ଦୁଃଖଦ ଖବର ଅନୁଗୁଳ ଜିଲ୍ଲା ବେଡ଼ାଶାସନ ପଞ୍ଚାୟତ ହମାମୀରା ଗାଁରୁ ଆସିଛି।

ତାଙ୍କ ନାଁ ପ୍ରଭାକର ସତ, ହେଲେ ଏ ପ୍ରଭାକର କିନ୍ତୁ ଏଠି ତେଜହୀନ। ବିଛଣାରେ ୬ ବର୍ଷ ହେଲାଣି ପଡ଼ିପଡ଼ି ଯେମିତି ସେ ହରାଇସାରିଲେଣି ସବୁ ଦୀପ୍ତି । ଆମକୁ ଦେଖି କେତେ କଥା ସେ କହିଗଲେ । ତାଙ୍କ ଦୁଃଖ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବାକୁ କହିଲେ । ଅନୁଗୁଳ ଜିଲ୍ଲା ବେଡ଼ାଶାସନ ପଂଚାୟତ ହମାମୀରା ଗାଁର ପ୍ରଭାକର ୬ ବର୍ଷ ହେଲାଣି ଉଠିବସି ପାରୁନାହାନ୍ତି । ବୟସ ତ ୬୦ ଟପିଛି । କିନ୍ତୁ ପୂର୍ବରୁ କିଛି ରୋଗ ନଥିଲା ।

ସେ ହୋଟେଲରେ ରୋଷେୟା ଭାବେ କାମ କରି ବେଶ୍ ଦି ପଇସା ରୋଜଗାର କରୁଥିଲେ । ହେଲେ ହଠାତ୍ ସ୍ନାୟୁଗତ ରୋଗ ତାଙ୍କୁ ଆକ୍ରାନ୍ତ କଲା । ଡାକ୍ତର ଦେଖାଇଲେ, ମେଡିସିନ ଖାଇଲେ, ହେଲେ ଭଲ ହେଲାନି ରୋଗ । ଡାକ୍ତର କହିଛନ୍ତି ଅପରେସନ କରିବାକୁ ହେବ, ଆଉ ସେଥିପାଇଁ ଦରକାର ଲକ୍ଷାଧିକ ଟଙ୍କା । ହେଲେ ଏ ଗରୀବ ମଣିଷ ଆଣିବ କୋଉଠୁ । ସେଥିପାଇଁ ତ ରଙ୍ଗହୀନ ଘରେ ରଙ୍ଗହୀନ ଜୀବନ ଧରି ପଡ଼ିଛନ୍ତି । 

ଓଦା କପଡ଼ାରେ ସ୍ତ୍ରୀ ମାମୀ ପୋଛି ଦେଉଛନ୍ତି ତାଙ୍କ ଦେହ । ହେଲେ ଏ ସ୍ତ୍ରୀ କଣ ପୋଛିପାରିବ ସବୁ କଷ୍ଟ ? ଦର୍ଶକ ବନ୍ଧୁ ପ୍ରଭାକର ଓ ମାମୀଙ୍କ ପରିବାର କହିଲେ ସେ ଦୁହେଁ । ପିଲାଛୁଆ ନାହାନ୍ତି । ତେଣୁ ନିଜ ଦୁଃଖକୁ ନିଜେ ବାଣ୍ଟିପିଇବା ଛଡ଼ା ବାଟ ଆଉ କଣ । ହେଲେ ଏ ଅସହାୟ ମଣିଷ ପାଇଁ ବି ଯେମିତି ସରକାର ଅବହେଳା କରିଛନ୍ତି । 

୧୨ଶହ ଟଙ୍କା ଭତ୍ତା ଆଉ ୧୦ କିଲୋ ଚାଉଳ ତ ମିଳୁଛି ହେଲେ ସେତିକି କୋଉ ଅଣ୍ଟୁଛି । କାରଣ ରୋଜଗାର କରିବାକୁ ଆଉ କେହି ନାହାନ୍ତି । ୧୨ଶହ ଟଙ୍କାରେ ସେ ଚଳିବେ କେମିତି ? ତେଣୁ ସାଢେ ୩ ହଜାର ଟଙ୍କା ଭତ୍ତା ସହ ଅନ୍ତୋଦୟ ଯୋଜନାରେ ସାମିଲ କରିବାକୁ ସେ ଅନୁରୋଧ କରିଛନ୍ତି । 

ସବୁଠାରୁ ଦୁଃଖର କଥା ପୂର୍ବରୁ ଡାକ୍ତର ଯାହା ମେଡିସିନ ଲେଖିଥିଲେ। ତାକୁ କିଣିଲେ ମାସକୁ ଦରକାର ୩ ହଜାର ଟଙ୍କା । ଟଙ୍କା ଅଭାବରୁ ସେ ମେଡିସିନ ବି ଖାଇପାରୁନାହାନ୍ତି ପ୍ରଭାକର । ପ୍ରଭାକରଙ୍କ ଏ ଦୁଃଖ ନେଇ ଆମେ ଅନୁଗୋଳ ଉପଜିଲ୍ଲାପାଳଙ୍କୁ ଭେଟିଥିଲୁ। ଆମଠାରୁ ସବୁକଥା ଜାଣିବା ପରେ ତାଙ୍କୁ ସରକାରୀ ସ୍ତରରେ ସବୁ ସହଯୋଗ କରାଯିବ ବୋଲି କହିଛନ୍ତି ।

  • ଦୁଃଖ ଓ ଦାରିଦ୍ର୍ୟ ପରେ ରୋଗ ଛଡ଼ାଇନେଲା ସବୁକିଛି
  • ୬ ବର୍ଷ ହେଲାଣି ବିଛଣାରେ କଟୁଛି ଦିନ
  • ସ୍ନାୟୁଗତ ରୋଗରେ ଆକ୍ରାନ୍ତ ପ୍ରଭାକର
  • ଅନୁଗୋଳ ବେଡାଶାସନ ହମାମୀରା ଗାଁର ପ୍ରଭାକର
  • ଅପରେସନ ପାଇଁ ସହଯୋଗ କରିବାକୁ ଅନୁରୋଧ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।