Snake kept in drum: ମହିଳାଙ୍କୁ କାମୁଡ଼ିଲା ଗୋଖର, ମାରିଲେନି ଲୋକେ; ୩ ଦିନ ଡ୍ରମ୍‌ରେ ବନ୍ଦ କରି ରଖିଲେ

Aug 15, 2026 - 15:00
Snake kept in drum: ମହିଳାଙ୍କୁ କାମୁଡ଼ିଲା ଗୋଖର, ମାରିଲେନି ଲୋକେ; ୩ ଦିନ ଡ୍ରମ୍‌ରେ ବନ୍ଦ କରି ରଖିଲେ

ଯାଜପୁର ରୋଡ୍ ବନାଞ୍ଚଳର କଙ୍କଡ଼ାଝର ଗାଁ। ରାତିରେ ରୁଟି ପାଇଁ ରୋଷେଇ ଘରକୁ ତାୱା ଆଣିବାକୁ ଯାଇଥିଲେ ଜଣେ ମହିଳା। କିନ୍ତୁ ତାୱା ତଳେ ଲୁଚି ରହିଥିଲା ବିଷାକ୍ତ ଗୋଖର ସାପ। ତାୱା ଉଠାଇବା ମାତ୍ରେ ମହିଳାଙ୍କ ଡାହାଣ ଗୋଡ଼କୁ ଚୋଟ ମାରିଥିଲା। ମହିଳାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ, ହେଲେ ସେତେବେଳକୁ ସାପଟି କାନ୍ଥ ଭିତରେ ଲୁଚିଯାଇଥିଲା। ତୁରନ୍ତ ମହିଳାଙ୍କୁ ଦାନଗଦି ମେଡିକାଲ ନିଆଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏବେ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ICUରେ ଚିକିତ୍ସା ଚାଲିଛି।

କିନ୍ତୁ ଏହାରି ଭିତରେ ଆଉ ଏକ ଅଜବ କାଣ୍ଡ ଘଟିଗଲା। ସାପଟିକୁ ଖୋଜି ବାହାର କରିବା ପରେ ତାକୁ ମାରିବା ବଦଳରେ ଏକ ଡ୍ରମ୍‌ରେ ବନ୍ଦ କରି ରଖିଦେଲେ ଲୋକେ। ଗୋଟିଏ ଦିନ ନୁହେଁ, ପୂରା ୩ ଦିନ। ସାପକୁ ଏଭଳି ରଖିଲେ ହୁଏତ ମହିଳାଙ୍କ ଚିକିତ୍ସାରେ କିଛି ଉପକାର ହେବ ଏଭଳି ଧାରଣା ମଧ୍ୟ ଥିଲା। ତା ଛଡ଼ା ଶ୍ରାବଣ ମାସ ଚାଲିଥିବାରୁ ସାପକୁ ମାରିଲେ ମହିଳାଙ୍କ କିଛି କ୍ଷତି ଘଟିବ ବୋଲି ମଧ୍ୟ ପରିବାରର ଧାରଣା ଥିଲା। ତେଣୁ ତିନିଦିନ କଳା ପ୍ଲାଷ୍ଟିକ ଡ୍ରମରେ ବନ୍ଦୀ ଜୀବନ କାଟିଲା ବିଷାକ୍ତ ଗୋଖର। ଶେଷରେ ସାପ ଧରାଳି ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

ଜାଣି ରଖନ୍ତୁ ସାପ କାମୁଡ଼ିଲେ ସମୟ ନଷ୍ଟ ନକରି ତୁରନ୍ତ ହସ୍ପିଟାଲ ଯିବା ହିଁ ଜୀବନ ବଞ୍ଚାଇବାର ସବୁଠୁ ବଡ଼ ଉପାୟ। କୌଣସି ଅନ୍ଧବିଶ୍ବାସ ଉପରେ ଭରସା କରନ୍ତୁ ନାହିଁ। ନଚେତ୍ ଏହାଦ୍ୱାରା ଜୀବନ ମଧ୍ୟ ଚାଲିଯାଇପାରେ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।