Sonam Wangchuk Warns of Fresh Agitation: ସୋନମ ୱାଙ୍ଗଚୁକଙ୍କ ନୂଆ ଆନ୍ଦୋଳନ ଧମକ, ସେପ୍ଟେମ୍ବର ୧୯ରୁ ୨୪ ଯାଏଁ ଆନ୍ଦୋଳନ ଚେତାବନୀ
ଲଦାଖ ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ସରକାର ଯଦି ଗୋଟିଏ ସପ୍ତାହ ମଧ୍ୟରେ ପ୍ରତିଶ୍ରୁତି ନଦିଅନ୍ତି, ତେବେ ସେପ୍ଟେମ୍ବର ୧୯ରୁ ୨୪ ତାରିଖ ଯାଏଁ ପୁଣି ଆନ୍ଦୋଳନ କରାଯିବ ବୋଲି ଶିକ୍ଷାବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଚେତାବନୀ ଦେଇଛନ୍ତି।
ନୂଆଦିଲ୍ଲୀରେ ଲଦାଖର ପ୍ରମୁଖ ଗୋଷ୍ଠୀଗୁଡ଼ିକ ଏବଂ ଗୃହ ମନ୍ତ୍ରଣାଳୟ (MHA)ର ସବ୍-କମିଟି ମଧ୍ୟରେ ହୋଇଥିବା ଆଲୋଚନାର ଅଗ୍ରଗତିକୁ ନେଇ ୱାଙ୍ଗଚୁକ ଅସନ୍ତୋଷ ପ୍ରକାଶ କରିବାର କିଛି ଘଣ୍ଟା ପରେ ଏହି ଚେତାବନୀ ଆସିଛି।
ଗତବର୍ଷ ସେପ୍ଟେମ୍ବରରେ କଠୋର ଜାତୀୟ ସୁରକ୍ଷା ଆଇନ (NSA) ଅଧୀନରେ ମାମଲା ରୁଜୁ ହେବା ପରେ ୱାଙ୍ଗଚୁକ ପ୍ରାୟ ୬ ମାସ ଯୋଧପୁର ଜେଲ୍ରେ ରହିଥିଲେ।
ଗତବର୍ଷ ସେପ୍ଟେମ୍ବର ୨୬ରେ ତାଙ୍କୁ ଅଟକ ରଖାଯାଇଥିଲା। ଏହାର ଦୁଇ ଦିନ ପୂର୍ବରୁ ଲଦାଖ ପାଇଁ ଅଧିକ ସ୍ୱାୟତ୍ତତା ଦାବିରେ ହୋଇଥିବା ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଥିଲେ।
୨୦୧୮ ମସିହାରେ ମ୍ୟାଗସେସେ ପୁରସ୍କାର ପାଇଥିବା ଏବଂ ଲଦାଖ ରାଜ୍ୟ ମାନ୍ୟତା ଆନ୍ଦୋଳନର ପ୍ରମୁଖ ଚେହେରା ଥିବା ୱାଙ୍ଗଚୁକଙ୍କୁ ହିଂସା ପାଇଁ ଦାୟୀ କରିଥିଲା କେନ୍ଦ୍ର ସରକାର।
ମାର୍ଚ୍ଚ ୨୦୨୬ରେ ଜେଲ୍ରୁ ମୁକ୍ତ ହେବାର କିଛି ମାସ ପରେ ୱାଙ୍ଗଚୁକ NEET ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଆନ୍ଦୋଳନ କରୁଥିବା ଛାତ୍ରମାନଙ୍କୁ ସମର୍ଥନ କରିଥିଲେ। ଏହା ସହିତ ଜୁନ୍ ୨୮ରୁ ସେ ୨୬ ଦିନ ଧରି ଅନଶନରେ ବସିଥିଲେ।
MHA କମିଟି ସହ ଆଲୋଚନାକୁ ନେଇ ଅସନ୍ତୋଷ
ନୂଆଦିଲ୍ଲୀରେ ଲଦାଖର ପ୍ରମୁଖ ନେତା ଏବଂ MHA ସବ୍-କମିଟି ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ ୱାଙ୍ଗଚୁକ ଅସନ୍ତୋଷ ପ୍ରକାଶ କରିଥିଲେ। ବୈଠକକୁ ନେଇ ସେ ଲୋକପ୍ରିୟ କମେଡିଆନ୍ ଜସପାଲ ଭଟ୍ଟିଙ୍କ ଏକ ପୁରୁଣା କାର୍ଯ୍ୟକ୍ରମର ଭିଡିଓ କ୍ଲିପ୍ ସେୟାର କରି କଟାକ୍ଷ କରିଥିଲେ। ଆଲୋଚନାରେ ନୂଆ କିଛି ହୋଇନଥିବା ଭଳି ସେ ସୂଚାଇଥିଲେ।
ଗୁରୁବାର Xରେ ଏକ ପୋଷ୍ଟ କରି ୱାଙ୍ଗଚୁକ କହିଥିଲେ ଯେ ଆପେକ୍ସ ବଡି ଅଫ୍ ଲେହ୍ (LAB) ଏବଂ କାର୍ଗିଲ ଡେମୋକ୍ରାଟିକ ଆଲାଏନ୍ସ (KDA)ର ନେତାମାନେ ଅପରାହ୍ନ ୪ଟାରେ ନୂଆଦିଲ୍ଲୀସ୍ଥିତ ଲଦାଖ ଭବନରେ ସାମ୍ବାଦିକ ସମ୍ମିଳନୀ କରିବେ।
ସେ କହିଥିଲେ ଯେ ସେପ୍ଟେମ୍ବର ୯ରେ ନୂଆଦିଲ୍ଲୀରେ ହୋଇଥିବା ସବ୍-କମିଟି ସ୍ତରୀୟ ବୈଠକର ଫଳାଫଳକୁ ନେଇ LAB ଏବଂ KDAର ନେତାମାନେ ଅତ୍ୟନ୍ତ ନିରାଶ ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।