Sonam Wangchuk Warns of Indefinite Fast: ଦିଲ୍ଲୀରେ ଅଟକ ନେତାଙ୍କୁ ଛାଡ଼ ନଚେତ୍..., ସୋନମ୍ ୱାଙ୍ଗଚୁକ୍ ଦେଲେ ବଡ଼ ଚେତାବନୀ
ଦିଲ୍ଲୀରେ ଅଟକ ନେତାଙ୍କୁ ଛାଡ଼, ନଚେତ୍ ଆନ୍ଦୋଳନ ତୀବ୍ର ହେବ। ଆସନ୍ତାକାଲି ସୁଦ୍ଧା ନେତାମାନଙ୍କୁ ମୁକ୍ତ କରାନଗଲେ ଅନଶନ କିମ୍ବା ପଦଯାତ୍ରା କରିବାକୁ ଚେତାବନୀ ଦେଇଛନ୍ତି ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍। ଦେଶରେ ଏବେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଚାଲିଥିବା ସେ କହିଛନ୍ତି।
ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଭୋଟର ତାଲିକାରେ ହେରଫେର ଅଭିଯୋଗ ଆଣି ବିରୋଧୀଙ୍କ ପକ୍ଷରୁ ପ୍ରତିବାଦ ଯୋଜନା କରାଯାଇଥିଲା। ଏହା ପୂର୍ବରୁ ପୋଲିସ ଅନେକ ନେତା ଓ ପ୍ରତିବାଦକାରୀଙ୍କୁ ଅଟକ ରଖିଛି। ଅଟକ ନେତାଙ୍କ ମଧ୍ୟରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମେତ ବିରୋଧୀ ଦଳର ନେତା ମଧ୍ୟ ଅଛନ୍ତି।
ଅନ୍ୟପଟେ, ଆନ୍ଦୋଳନ ସମୟରେ ଶାନ୍ତି ବଜାୟ ରଖିବାକୁ ପୂର୍ବରୁ ଅପିଲ୍ କରିଥିଲେ ୱାଙ୍ଗଚୁକ୍। ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ମନେ ପକାଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ସେ ଯୁବକମାନଙ୍କୁ ଅନୁରୋଧ କରିଛନ୍ତି।
ତେବେ ଲଦାଖରେ ଶୀତ ପାଇଁ ପ୍ରସ୍ତୁତି ଏବଂ କୃତ୍ରିମ ହିମବାହ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସେ ଦିଲ୍ଲୀର ପ୍ରତିବାଦରେ ଯୋଗ ଦେଇପାରିବେ ନାହିଁ ବୋଲି କହିଥିଲେ। ହିମବାହ ହ୍ରଦ ଫାଟି ବନ୍ୟା ଆସିବାର ବିପଦ ରୋକିବା ପାଇଁ ମଧ୍ୟ ସେ କାମ କରୁଛନ୍ତି। ଆସନ୍ତାକାଲି ସୁଦ୍ଧା ଅଟକ ନେତାମାନେ ମୁକ୍ତ ନହେଲେ ତାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ଏବେ ତାହା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।