Soumya Ranjan Death Case Takes New Turn: ସୌମ୍ୟରଂଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼, ସମ୍ପତ୍ତି ଚୁକ୍ତିକୁ ନେଇ ଉଠିଲା ପ୍ରଶ୍ନ
ମୋଡ଼ ପରେ ମୋଡ଼ ବଦଳୁଛି...ପୁରୁଣା ଘଟଣା ହେଲେ ବି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯୁବ OFS ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ନିଇତି ନୂଆ ଖିଅ ପଦାକୁ ଆସୁଛି। ଆଜିକୁ ୬ ବର୍ଷ ହେଲା, ସେହି ଗୋଟିଏ କଥା କହି ଆସୁଛନ୍ତି ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡ଼ିଥିବା ସୌମ୍ୟଙ୍କ ବାପା, ମା’। ନିରାଶାପୂର୍ଣ୍ଣ ଦାମ୍ପତ୍ୟ ଜୀବନ ସହ ଉତ୍ତରାଧିକାରୀ ଭାବେ ସମ୍ପତ୍ତି ଭାଗବଣ୍ଟାର ଚୁକ୍ତି ପଛର ରହସ୍ୟକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି ମାତା, ପିତା। ଆଜି ବି ସେହି ସମାନ କଥା। ୨୦୨୧ ଜୁଲାଇ ୯। ପତ୍ନୀ ବିଦ୍ୟାଭାରତୀ ACF ସ୍ବାମୀ ସୌମ୍ୟରଂଜନଙ୍କ ସହ ପାରଳାଖେମୁଣ୍ଡିର ଜଣେ ଭେଣ୍ଡରଙ୍କ ପାଖରେ କରାଇଥିଲେ ଚୁକ୍ତି। ସୌମ୍ୟଙ୍କ ଅବର୍ତ୍ତମାନରେ ପତ୍ନୀ ବିଦ୍ୟାଭାରତୀ ହିଁ ସୌମ୍ୟଙ୍କ ସମ୍ପତ୍ତିର ସାଜିବେ ଉତ୍ତରାଧିକାରୀ। ଆଉ ଏହି ସନ୍ଦେହଜନକ ଚୁକ୍ତିର ଠିକ୍ ୩ ଦିନ ପରେ ଅର୍ଥାତ ୨୦୨୧ ଜୁଲାଇ ୧୨ ବିଳମ୍ବିତ ରାତିରେ ଅତି ରହସ୍ୟଜନକ ଭାବେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ବାର୍ଟସରେ ନିଆଁ ଲାଗି ଜଳିଯାଆନ୍ତି ସୌମ୍ୟ। ପରବର୍ତ୍ତୀ ସମୟରେ ଚିକିତ୍ସାଧିନ ଅବସ୍ଥାରେ ମେଡ଼ିକାଲରେ ଚାଲିଯାଏ ଜୀବନ।
ତେବେ ସୌମ୍ୟଙ୍କ ବାପା, ମା’ଙ୍କ ଅଭିଯୋଗ ଯଦି ସତ, ତାହେଲେ ସୌମ୍ୟଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କ’ଣ ? ସମ୍ପତ୍ତି ହାତେଇବା ପାଇଁ ତିଆରି ହୋଇଥିଲା କି କୌଣସି ଏକ ବଡ଼ ଷଡ଼ଯନ୍ତ୍ର ? ଆଉ ଗିରଫ ହୋଇସାରିଥିବା ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ଏହି ଷଡ଼ଯନ୍ତ୍ର ପଛରେ ସାଜିଥିଲେ କି ଜଣେ ଜଣେ କାର୍ପଟଦାର ? ଏଭଳି ନାନା ପ୍ରଶ୍ନ ଏବଂ ଆଶଙ୍କା ଭିତରେ ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ଦର୍ଶାଇଥିଲା। କେବଳ ବିଦ୍ୟାଭାରତୀଙ୍କ ବିରୋଧରେ IPCର ଧାରା ୨୮୫ ଏବଂ ୩୦୪-A ଅଧୀନରେ ଚାର୍ଜସିଟ୍ ଦାଖଲ କରି ତତ୍କାଳୀନ DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଦେଇଥିଲା କ୍ଲିନ୍ ଚିଟ୍। ଯାହାକୁ ଚ୍ୟାଲେଞ୍ଜ କରି ସୌମ୍ୟଙ୍କ ପରିବାର ପାରଳାଖେମୁଣ୍ଡି SDJM କୋର୍ଟରେ ଦାଖଲ କରିଥିଲେ ପ୍ରୋଟେଷ୍ଟ ପିଟିସନ୍। ଏସବୁ ଭିତରେ ଗତକାଲି ମନ୍ମଥ କୁମ୍ଭ ଗିରଫ ହୋଇଥିଲେ ବି ଆଜି ଯାଏଁ କିନ୍ତୁ କୋର୍ଟକୁ ଧରାଛୁଆଁ ଦେଉନାହାଁନ୍ତି ବିଦ୍ୟାଭାରତୀ। ଆଜି ପାରଳାଖେମୁଣ୍ଡି SDJM କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବି ରହିଥିଲା। କିନ୍ତୁ ସେ ହାଜର ହୋଇନାହାନ୍ତି। ଅନ୍ୟପକ୍ଷରେ ହାଇକୋର୍ଟ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ବସ୍ତ ଦେଇଛନ୍ତି। ଅକ୍ଟୋବର ୩୦ ସୁଦ୍ଧା ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଭାରତୀଙ୍କୁ।
ଆଇନର ଗଳାବାଟ ଦେଖାଇ ପାରଳାଖେମୁଣ୍ଡି କୋର୍ଟ, ପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ମାମଲାକୁ ଗଡ଼ାଇ ଚାଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ। କିନ୍ତୁ ସୁପ୍ରିମକୋର୍ଟ ସ୍ପେଶାଲ୍ ଲିଭ୍ ପିଟିସନକୁ ଖାରଜ କରିଦେଇଛନ୍ତି। ତେବେ ହାଇକୋର୍ଟ ପୁଣି ଥରେ ମାସେ ସମୟ ଦେଇଥିବାରୁ କେବେ ହାଜର ହେବେ ବିଦ୍ୟାଭାରତୀ ? ହାଜର ପରେ କି ନିର୍ଦ୍ଦେଶ ଦେବେ ଅଦାଲତ ? ବିଦ୍ୟାଭାରତୀଙ୍କ ଗିରଫଦାରୀ ପରେ ଫିଟିବ କି ସୌମ୍ୟ ମୃତ୍ୟୁର ସମ୍ପୂର୍ଣ୍ଣ ରହସ୍ୟ ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।