Srimandir Darshan Halted: ଆଜି ଶ୍ରୀବିଗ୍ରହଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ
ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀବିଗ୍ରହଙ୍କ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଭକ୍ତଙ୍କୁ ମିଳିବନି ଶ୍ରୀଜିଉଙ୍କ ଦର୍ଶନ। ବନକଲାଗି ନୀତି ପାଇଁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଆରମ୍ଭ ହେବ ବନକଲାଗି ନୀତି। ଏହି ଗୁପ୍ତ ନୀତି ସମୟରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।
ତେଣୁ ନୀତିକାନ୍ତିରେ ଯେପରି ବାଧା ନଉପୁଜେ, ସେଥିପାଇଁ ଭକ୍ତଙ୍କ ଦର୍ଶନ ଅସ୍ଥାୟୀ ଭାବେ ବନ୍ଦ ରହିବ। ବନକଲାଗି ନୀତି ସମ୍ପନ୍ନ ହେବା ପରେ ପୁଣି ଥରେ ଭକ୍ତଙ୍କ ପାଇଁ ଖୋଲିବ ଦର୍ଶନ ବ୍ୟବସ୍ଥା। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କୁ ସୂଚନା ଦିଆଯାଇଛି। ତେଣୁ ଆଜି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏହି ସମୟକୁ ଧ୍ୟାନରେ ରଖି ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।