Strawberries Farming Tips: ବଡ ଜାଗା ଦରକାର ନାହିଁ; ଘର ବାଲକୋନିରେ ହିଁ ଫଳାନ୍ତୁ ମିଠା ଷ୍ଟ୍ରବେରି, ଜାଣନ୍ତୁ କିପରି କରିବେ

Oct 04, 2026 - 17:33
Strawberries Farming Tips: ବଡ ଜାଗା ଦରକାର ନାହିଁ; ଘର ବାଲକୋନିରେ ହିଁ ଫଳାନ୍ତୁ ମିଠା ଷ୍ଟ୍ରବେରି, ଜାଣନ୍ତୁ କିପରି କରିବେ

ରସାଳ, ମିଠା ଓ ଲାଲ ଟକଟକ ଷ୍ଟ୍ରବେରି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଏହି ଫଳରେ ଭିଟାମିନ୍‌, ଆଣ୍ଟିଅକ୍ସିଡାଣ୍ଟ ଓ ଅନେକ ଜରୁରୀ ପୋଷକତତ୍ୱ ରହିଥାଏ। ସାଧାରଣତଃ ଆମେ ଷ୍ଟ୍ରବେରି ବଜାରରୁ କିଣିଥାଉ। କିନ୍ତୁ ଚାହିଁଲେ ଘରର ଛୋଟ ଗାର୍ଡେନ୍‌ କିମ୍ବା ବାଲକୋନିରେ କୁଣ୍ଡ ଭିତରେ ମଧ୍ୟ ଏହାକୁ ଚାଷ କରିପାରିବେ।

କୁଣ୍ଡରେ ଫଳିଥିବା ତାଜା ଷ୍ଟ୍ରବେରିର ସ୍ୱାଦ ଅନେକ ସମୟରେ ବଜାରରେ ମିଳୁଥିବା ଫଳଠାରୁ ଅଧିକ ସୁସ୍ୱାଦୁ ଲାଗିପାରେ। ଷ୍ଟ୍ରବେରି ଗଛ ଅଧିକ ଜାଗା ମଧ୍ୟ ନେଇ ନଥାଏ। ତେଣୁ ଘରେ ଜାଗା କମ୍‌ ଥିଲେ ମଧ୍ୟ କଣ୍ଟେନର୍‌ କିମ୍ବା କୁଣ୍ଡରେ ଏହାକୁ ସହଜରେ ବଢ଼ାଇହେବ।

କେମିତି କୁଣ୍ଡ ବାଛିବେ?

ଷ୍ଟ୍ରବେରି ଗଛ ଲଗାଇବା ପାଇଁ ଏମିତି କୁଣ୍ଡ ବାଛନ୍ତୁ, ଯେଉଁଥିରେ ଅତିରିକ୍ତ ପାଣି ସହଜରେ ବାହାରିପାରିବ। କୁଣ୍ଡର ଗଭୀରତା ପ୍ରାୟ ୨୦ରୁ ୩୦ ସେଣ୍ଟିମିଟର ରହିଲେ ଭଲ। ମାଟିର କୁଣ୍ଡ ବା ଟେରାକୋଟା ପଟ୍‌ ଏଥିପାଇଁ ଉପଯୋଗୀ ହୋଇପାରେ, କାରଣ ଏଥିରେ ପାଣି ଜମି ରହିବାର ଆଶଙ୍କା କମ୍‌ ଥାଏ। ଜାଗା ଥିଲେ ଗୋଟିଏ ବଡ଼ କୁଣ୍ଡରେ ବହୁତ ଗଛ ଲଗାଇବା ବଦଳରେ କିଛି ଛୋଟ କୁଣ୍ଡରେ ଅଲଗା ଅଲଗା ଚାରା ଲଗାଇପାରିବେ।

ଚାରା ଲଗାଇବା ବେଳେ ଏହି ଭୁଲ କରନ୍ତୁନି

ଷ୍ଟ୍ରବେରି ଚାରା ଲଗାଇବା ସମୟରେ ଗଛର ‘କ୍ରାଉନ୍‌’ ଅଂଶ ପ୍ରତି ଧ୍ୟାନ ଦେବା ଦରକାର। ଯେଉଁଠାରୁ ପତ୍ର ଓ ଚେର ବାହାରିଥାଏ, ସେହି ଅଂଶଟି ମାଟିର ସ୍ତର ସହ ସମାନ ରହିବା ଉଚିତ। ଅତ୍ୟଧିକ ଗଭୀରରେ ଚାରା ଲଗାଇଲେ ଗଛ ପଚିଯିବାର ଆଶଙ୍କା ରହେ। ଆଉ ବହୁତ ଉପରେ ରଖିଲେ ଚେର ଶୁଖିଯାଇପାରେ। ଯଦି ବଡ଼ କୁଣ୍ଡରେ ଏକାଧିକ ଚାରା ଲଗାଉଛନ୍ତି, ତେବେ ଗଛଗୁଡ଼ିକ ମଧ୍ୟରେ ପ୍ରାୟ ୩୦ ସେଣ୍ଟିମିଟର ବ୍ୟବଧାନ ରଖିବା ଭଲ।

କେତେ ଖରା ଦରକାର?

ଷ୍ଟ୍ରବେରି ଗଛକୁ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଦରକାର। ପ୍ରତିଦିନ ପ୍ରାୟ ୬ରୁ ୮ ଘଣ୍ଟା ସିଧାସଳଖ ଖରା ମିଳିଲେ ଗଛ ଭଲ ବଢ଼ିଥାଏ। ଘରର ବାଲକୋନିର ଏମିତି ସ୍ଥାନ ବାଛନ୍ତୁ, ଯେଉଁଠାରେ ଭଲ ସୂର୍ଯ୍ୟ କିରଣ ପଡ଼ୁଥିବ। ସାଧାରଣତଃ ୧୫ରୁ ୨୭ ଡିଗ୍ରୀ ସେଲସିୟସ ମଧ୍ୟରେ ତାପମାତ୍ରା ଥିଲେ ଷ୍ଟ୍ରବେରି ଗଛରେ ଭଲ ଫଳ ଧରିପାରେ। ସେଥିପାଇଁ ଶୀତ ଋତୁରେ ଏହାକୁ ଚାଷ କରିବା ତୁଳନାମୂଳକ ଭାବେ ସହଜ।

ପାଣି ଦେବେ କେମିତି?

ଷ୍ଟ୍ରବେରି ଗଛର ମାଟିରେ ଆର୍ଦ୍ରତା ରହିବା ଜରୁରୀ, କିନ୍ତୁ କୁଣ୍ଡରେ ପାଣି ଜମି ରହିବା ଉଚିତ ନୁହେଁ। ପାଣି ଦେବା ପୂର୍ବରୁ ମାଟିର ଉପରିଭାଗକୁ ଯାଞ୍ଚ କରନ୍ତୁ। ପତ୍ର ଉପରେ ବାରମ୍ବାର ପାଣି ପକାଇବା ବଦଳରେ ଗଛର ଚେର ପାଖରେ ପାଣି ଦିଅନ୍ତୁ। ବଢ଼ିବା ସମୟରେ ପ୍ରାୟ ୨ରୁ ୪ ସପ୍ତାହ ବ୍ୟବଧାନରେ ସନ୍ତୁଳିତ ସାର ଦିଆଗଲେ ଗଛ ସୁସ୍ଥ ରହିବା ସହ ଭଲ ଫଳ ମଧ୍ୟ ଦେଇପାରେ।

ଭଲ ଫଳ ପାଇଁ ରନର୍ସ କାଟନ୍ତୁ

ଷ୍ଟ୍ରବେରି ଗଛରୁ ବାହାରୁଥିବା ଲମ୍ବା ଶାଖା ବା ‘ରନର୍ସ’କୁ ସମୟ ସମୟରେ କାଟିଦେବା ଉଚିତ। ଏହାଦ୍ୱାରା ଗଛର ଅଧିକ ଶକ୍ତି ଫଳ ତିଆରି କରିବାରେ ବ୍ୟବହୃତ ହୋଇପାରେ। ଷ୍ଟ୍ରବେରି ପୂରା ଲାଲ ହୋଇ ପାଚିଗଲେ ତାହାକୁ ତୋଳନ୍ତୁ। ଫଳକୁ ଟାଣି ଛିଣ୍ଡାଇବା ବଦଳରେ କଇଁଚିରେ ଡାଳ ସହିତ କାଟିବା ଭଲ।

ପାଚିଲା ପରେ ଅଧିକ ଦିନ ରଖନ୍ତୁନି

ପାଚିଥିବା ଷ୍ଟ୍ରବେରିକୁ ଦୀର୍ଘ ସମୟ ଗଛରେ ଛାଡ଼ିଦେଲେ ପୋକ ଓ ଫଙ୍ଗସ୍‌ ଲାଗିବାର ଆଶଙ୍କା ବଢ଼ିପାରେ। ଅଧିକ ପାଚିଗଲେ ଫଳ ଶୀଘ୍ର ନଷ୍ଟ ମଧ୍ୟ ହୋଇପାରେ। ତେଣୁ ଫଳ ଧରିବା ଋତୁରେ ନିୟମିତ ଭାବେ ଗଛକୁ ଯାଞ୍ଚ କରନ୍ତୁ ଏବଂ ପାଚିଥିବା ଫଳକୁ ସମୟରେ ତୋଳନ୍ତୁ। ସାମାନ୍ୟ ଯତ୍ନ ନେଲେ ଘରର ବାଲକୋନିରେ ହିଁ ତାଜା, ରସାଳ ଓ ମିଠା ଷ୍ଟ୍ରବେରିର ମଜା ନେଇପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।